ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ସାରା ବିଶ୍ୱରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।  ଏପଟେ ସାରା ଦେଶ ଆଜି ଯୋଗ ମୁଦ୍ରାରେ ରହିଛି।  ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ର ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ଆୟୋଜିତ ଯୋଗ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି।

ଏଠାରେ ଆୟୋଜିତ ବିଶାଳ ଯୋଗ ଶିବିରରେ ୫୦ ହଜାରରୁ ଅଧିକ ଲୋକେ ଅଂଶଗ୍ରହଣ କରି ଯୋଗ କରିଛନ୍ତି। ଶାରୀରିକ ଓ ମାନସିକ ସୁସ୍ଥତାର ମହୌଷଧି ଯୋଗ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ୨୦୧୫ ମସିହାରେ ଜୁନ ୨୧ କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା। ଏହି ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ୟୋଗ ଶିବିରର ଆୟୋଜନ କରାଯାଇଛି।

ଯୋଗଗୁରୁ ବାବା ରାମଦେବ ରାଜସ୍ଥାନର କୋଟାରେ ବିଶାଳ ଯୋଗ ଶିବିରର ଆୟୋଜନ କରିଥିଲେ।  ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଏହି ଯୋଗ ଶିବିରରେ ସାମିଲ ହୋଇଥିଲେ। ବାବା ରାମଦେବଙ୍କ ଏହି କାର୍ଯ୍ୟକ୍ରମ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି।

ସେହିପରି ଇଣ୍ଡୋ ତିବ୍ଦତୀୟ ଫୋର୍ସ-ITBPର ଯବାନମାନେ ବିଭିନ୍ନ ସ୍ଥାନରେ ଯୋଗ କରିଥିଲେ। ଲଦାଖରେ ବରଫ  ଉପରେ ଏବଂ ହିମ ଜଳରେ ITBP ଯବାନ ଯୋଗ କରିଛନ୍ତି।  ସେହିପରି ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ୍ ଜ୍ୟୋତିରେ ନୌସେନା ଯବାନମାନେ ମଧ୍ୟ ଯୋଗ କରିଛନ୍ତି।

You might also like