ଚିଲିକା ଡଙ୍ଗାବୁଡ଼ି ଘଟଣା: ଆଉ ୩ ମୃତଦେହ ଉଦ୍ଧାର
ବାଲୁଙ୍ଗା: ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ମିଶାଇ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଜଣେ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
ସମସ୍ତେ ନୟାଗଡ଼ ଏବଂ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ସର୍ଚ୍ଚ ଅପରେସନରେ ଦମକଳ ବାହିନୀ ସହ ନୌସେନା, ଓଡ୍ରାଫ୍ ଓ ସ୍ଥାନୀୟ ମତ୍ସ୍ୟଜୀବୀ ସାମିଲ ହୋଇଛନ୍ତି।
ସୂଚନାଥାଉ କି, ଗତକାଲି ସଂଧ୍ୟାରେ ପର୍ଯ୍ୟଟକଙ୍କୁ ଧରି ଏକ ଡଙ୍ଗା କାଳିଜାଈରୁ ବାଲୁଗାଁ ଫେରୁଥିବା ବେଳେ ହଠାତ୍ ଝଡ଼ବର୍ଷା ହେବାରୁ ମଝି ଚିଲିକାରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏଥିରେ ନାଉରିଆକୁ ମିଶାଇ ଡଙ୍ଗାରେ ମୋଟ୍ ୧୬ ଜଣ ଥିଲେ।
ଉଦ୍ଧାର ହୋଇଥିବା ୧୨ ଜଣଙ୍କୁ ବାଲୁଗାଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ଥିଲାବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ସେପଟେ ଡଙ୍ଗାବୁଡ଼ି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ SRC, ଖୋର୍ଦ୍ଧା ଓ ଗଞ୍ଜାମ ଜଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
CM @Naveen_Odisha expressed grief over the Chilika boat accident and directed @SRC_Odisha @Ganjam_Admin @KhordhaDm to coordinate and expedite the rescue operations. He ordered free medical treatment for the injured.
— CMO Odisha (@CMO_Odisha) 16 June 2018
ଏହି ଘଟଣା ପରେ ବିଭିନ୍ନ ଦିଗକୁ ନେଇ ଏବେ ଛିଡ଼ା ହୋଇଛି ପ୍ରଶ୍ନବାଚୀ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ? ଡଙ୍ଗାରେ ଥିବା ଯାତ୍ରୀଙ୍କୁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଥିଲା ନା ନାହିଁ ? ଯଦି ପାଗ ଖରାପ ଥିଲା, ତେବେ କାହିଁକି ଯାତ୍ରୀଙ୍କୁ ଏହି ଡଙ୍ଗାରେ ନିଆଯାଇଥିଲା ହ୍ରଦ ଭିତରକୁ ? ଚିଲିକା କୂଳ ଏବଂ କାଳିଜାଈ ମନ୍ଦିର ମଧ୍ୟରେ ଯାତ୍ରୀଙ୍କ ପରିବହନ ପାଇଁ ନିୟୋଜିତ ଡଙ୍ଗା ଚାଳକଙ୍କ କେତେ ଦକ୍ଷ ? ତାକୁ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ପ୍ରଶାସନର ଦାୟିତ୍ୱ ଉପରେ ମଧ୍ୟ ଅଙ୍ଗୁଳି ଉଠିଛି।