ବୟାନ ବଦଳାଇଲେ ମନ୍ତ୍ରୀ: ବସ୍‌ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଖବର ମିଛ  

ପାଟନା: ବିହାର ମୋତିହାର ସଡ଼କ ଦୁର୍ଘଟଣାରେ କୌଣସି ବି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। ଗତକାଲି ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି କହିଛନ୍ତି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଦିନେଶ ଯାଦବ। ଯାତ୍ରୀଙ୍କ ମୃତ୍ୟୁ ଖବର କେବଳ ଅପପ୍ରଚାର ଥିଲା ବୋଲି ସେ କହିଛନ୍ତି।

ଗତକାଲି ମୁଜଫରପୁରରୁ ଦିଲ୍ଳୀ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ମୋତିହାର ନିକଟରେ ଓଲଟି ପଡ଼ିଥିଲା। ଏହାପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଏହି ଘଟଣା ପରେ ଖୋଦ୍ ମନ୍ତ୍ରୀ ଦିନେଶ ଯାଦବ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଥିଲେ। ତେବେ ଆଜି ନିଜ ପୂର୍ବ ବୟାନରୁ ଓହରିବା ସହ ଘଟଣାରେ କୌଣସି ବ୍ୟକ୍ତି ଆହତ ମଧ୍ୟ ହୋଇନଥିବା ସେ କହିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ। ତେବେ ସରକାରୀ ସ୍ଥରରେ ଏପରି ବ୍ୟତିକ୍ରମ କିପରି ହେଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

You might also like