ବ୍ରିଜ୍‌ରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ୍‌, ଓଲଟି ପଡ଼ିଲା ବସ୍‌: ଜଣେ ମୃତ, ୨୪ ଆହତ

ଅନୁଗୁଳ/ବରଗଡ଼: ଗୋଟିଏ ଦିନରେ ରାଜ୍ୟରେ ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପଟେ ବସ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବା ସହ ଅନ୍ୟପଟେ ବ୍ରିଜରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁବେ ନିକଟରେ ତିରୁପତି ନାମକ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିବା ଫଳରେ ୮ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ନୂଆପଡା କୋମନାରୁ ୨୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଆଜି ଭୋର୍‌ ସମୟରେ ଏହି ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲ୍‌ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

ସେହିପରି ବରଗଡ଼ରେ ମଧ୍ୟ ଏକ ସଡ଼କ ଦୁର୍ଘଟଣା ହୋଇଛି। ପଦ୍ମପୁର ଘେଁସ ନିକଟ ବ୍ରିଜରେ ଏକ ପିକ୍‌ଅପ୍ ଭ୍ୟାନ୍ ସହ ପିଟି ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି।  ଗୁରୁତରଙ୍କ ମଧ୍ୟରେ ୪ ଶିଶୁ ଥିବା ସୂଚନା ମିଳିଛି।

ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନେ ନୂଆପଡ଼ା ବାବୁପାଲି ଅଞ୍ଚଳର ବୋଲି ଜଣାପଡିଛି।  ଭ୍ୟାନ୍‌ରେ ମୋଟ ୨୫ ଜଣ ଥିଲେ। ସୂଚନା ଅନୁସାରେ, କେନ୍ଦୁପତ୍ର ତୋଳିବାକୁ ଦେବଗଡ଼ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ

You might also like