ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀ ଦ୍ୱାରା ଘେରି ହୋଇ ରହିଥିବା ସୁନ୍ଦରବନ ଜଙ୍ଗଲ ହେଉଛି ବିଶ୍ୱର ସର୍ବବୃହତ୍ ହେନ୍ତାଳ ବଣ ବା ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ୍ ଓ ପୃଥିବୀର ବୃହତ୍ତମ ତ୍ରିକୋଣଭୂମି ମଧ୍ୟରୁ ଅନ୍ୟତମ। ତେବେ ୧୯୮୭ ମସିହାରେ UNESCO ପକ୍ଷରୁ ଏକ ୱାର୍ଲଡ୍ ହେରିଟେଜ୍ ସାଇଟ୍ ଭାବେ ଘୋଷଣା କରାଯାଇଥିବା ଏଇ ବୃହତ୍ ଜଙ୍ଗଲ ଏବେ ଭୂପୃଷ୍ଠ ତାପମାତ୍ରାର ବୃଦ୍ଧି (global warming) ଯୋଗୁଁ ଧୀରେ ଧୀରେ ଶୁଖିଲା ହୋଇ ଯିବାରେ ଲାଗିଛି। ଫଳରେ ଏଇ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଏଠାକାର ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ଜୀବନ ନିର୍ବାହ କରିବା ଦିନକୁ ଦିନ ଅତି କଷ୍ଟକର ହୋଇ ପଡୁଛି।
ଏଠାକାର ମତ୍ସ୍ୟଜୀବୀମାନେ ମୁଖ୍ୟତଃ ଯେଉଁ ସମସ୍ୟା ସବୁର ସମ୍ମୁଖୀନ ହୁଅନ୍ତି ସେଗୁଡ଼ିକ ହେଲା: ଜଳ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଜଳରେ ଲବଣା°ଶ ବୃଦ୍ଧି, ଗ୍ଲୋବାଲ୍ ଓ୍ୱାର୍ମି° କାରଣରୁ ମାଛଙ୍କ ସଠିକ ବୃଦ୍ଧି ନ ଘଟିବା ଇତ୍ୟାଦି। ତେଣୁ ସ୍ଥାନୀୟ ଲୋକମାନେ ବାରମ୍ବାର ଜଙ୍ଗଲର ଗଭୀରକୁ ପଶିବାକୁ ବାଧ୍ୟ ହେଉଛନ୍ତି ଓ ଅନେକ ସମୟରେ ବାଘ ଆକ୍ରମଣର ଶିକାର ହେଉଛନ୍ତି।
ଉଦାହରଣ ସ୍ୱରୂପ, ଲାହିରୀପୁର ଦ୍ୱୀପର ଶମ୍ଭୁ ମଣ୍ଡଳଙ୍କ କଥାକୁ ନିଆଯାଇପାରେ। ୩ବର୍ଷ ତଳେ ଶମ୍ଭୁ ଓ ତାଙ୍କ ପଡୋଶୀ ରାଧାକାନ୍ତ କଙ୍କଡ଼ା ଧରିବା ଉଦ୍ଦେଶ୍ୟରେ ଘଞ୍ଚ ହେନ୍ତାଳ ବଣ ଭିତରକୁ ଯାଇଥିଲେ। ଯେଉଁଠାକୁ ଡଙ୍ଗା ବାହିଯିବା ପ୍ରାୟ ଅସମ୍ଭବ ଓ ଯେଉଁଠାରେ ଭଟ୍ଟା ସମୟରେ ଭୂମି ପୂରା କାଦୁଆ ହୋଇଯାଏ, ଗଭୀର ହେନ୍ତାଳ ବଣ ଭିତରେ ରହିଥିବା ସେଭଳି ସ୍ଥାନଗୁଡ଼ିକରେ ମିଳୁଥିବା କଙ୍କଡ଼ାର ବହୁ ଚାହିଦା ଥାଏ। ଏପରିକି ଏହା ଅନେକ ସମୟରେ କିଲୋଗ୍ରାମ ପିଛା ୧୫୦୦ ଟଙ୍କାରେ ମଧ୍ୟ ବିକ୍ରି ହୁଏ।
ତେବେ ଏଥିପାଇଁ ସେମାନେ ବନ ବିଭାଗ ପକ୍ଷରୁ ଜଙ୍ଗଲ ସୀମାରେ ନିର୍ଦ୍ଧାରିତ ବିପଦ ସଂକେତକୁ ଅତିକ୍ରମ କରି ଯାଇଥିଲେ। ଘଞ୍ଚ ଜଙ୍ଗଲରେ ହଠାତ ସେମାନେ ବାଘ ଆକ୍ରମଣର ଶିକାର ହେଲେ। ରାଧାକାନ୍ତ ପ୍ରଥମେ ତ ବାଡ଼ି ସାହାଯ୍ୟରେ ବାଘ ସହ ଲଢ଼ିବାକୁ ଚେଷ୍ଟାକଲେ। ହେଲେ ଶେଷରେ ବାଘ ତାଙ୍କୁ ଟାଣି ନେଇଗଲା।
ଶମ୍ଭୁ ଯଦିଓ କୌଣସି ମତେ ଲହୁଲୁହାଣ ଅବସ୍ଥାରେ ଘରକୁ ଫେରିଆସିବାରେ ସକ୍ଷମ ହେଲେ କିନ୍ତୁ କିଛି ସମୟ ପରେ ତାଙ୍କର ମଧ୍ୟ ମୃତ୍ୟୁ ହେଲା। ଏବେ ଶମ୍ଭୁଙ୍କ ସ୍ତ୍ରୀ ସରୋଜିନୀ ଓ ରାଧାକାନ୍ତଙ୍କ ସ୍ତ୍ରୀ ସରସ୍ଵତୀ, ଉଭୟ ‘ବାଘ୍ ବିଧୋବା’। ଏଇଭଳି ଆହୁରି ଅନେକ ‘ବାଘ୍ ବିଧୋବା’ ଏ ଅଞ୍ଚଳରେ ଅଛନ୍ତି। ଏମାନଙ୍କ ସ୍ୱାମୀମାନେ ସାଧାରଣତଃ ସୁନ୍ଦରବନ ଜଙ୍ଗଲର କୋର୍ ଏରିଆ ଭିତରେ ମାଛ, କଙ୍କଡ଼ା ଆଦି ଧରୁଥିବା, କାଠ କାଟିବା କିମ୍ବା ମହୁ ସଂଗ୍ରହ କଲାବେଳେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।
ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୬ରୁ ଏ ମଧ୍ୟରେ ଜଙ୍ଗଲର କୋର୍ ଏରିଆ ନିକଟରେ ମାଛ ଓ କଙ୍କଡ଼ା ଧରିବା ସମୟରେ ପ୍ରାୟ ୭୫୦ ଜଣଙ୍କର ବାଘ ଆକ୍ରମଣରେ ମୃତ୍ୟୁ ଘଟିଛି। ତେବେ ଏଇ ମହିଳାମାନେ ସେମାନଙ୍କ ଦୁର୍ଦ୍ଦଶା ପାଇଁ ବାଘମାନଙ୍କୁ ଦାୟୀ କରନ୍ତି ନାହିଁ। ବରଂ ସେମାନଙ୍କ ମତରେ ବହୁ ମାତ୍ରାରେ ସ୍ଥାନୀୟ ହେନ୍ତାଳ ବଣ ନଷ୍ଟ ହୋଇ ଯାଇଥିବାରୁ ବାଘମାନେ ବାହାରକୁ ଚାଲି ଆସୁଛନ୍ତି ଓ ଲୋକମାନେ ସେମାନଙ୍କ ଶିକାର ପାଲଟୁଛନ୍ତି। ଏନେଇ ସେମାନେ ବିଭିନ୍ନ ଏନଜିଓଙ୍କ ସହାୟତାରେ ଏବେ ହେନ୍ତାଳ ବଣ ସୃଷ୍ଟିରେ ଲାଗିଛନ୍ତି। ପଶ୍ଚିମବଙ୍ଗର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରୋଜେକ୍ଟ୍ ଅଧୀନରେ ଏମାନେ ସମଗ୍ର ସୁନ୍ଦରବନରେ ୫ କୋଟି ହେନ୍ତାଳ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି।
ସମଗ୍ର ବିଶ୍ୱରେ ଥିବା ବାଘ ବାସୋପଯୋଗୀ ଅଞ୍ଚଳର ମାତ୍ର ଏକ ଚତୁର୍ଥା°ଶରୁ ବି କମ୍ ଅଞ୍ଚଳ ଭାରତରେ ରହିଥିଲେ ମଧ୍ୟ ଏଠାରେ ମୋଟ ବାଘ ସଂଖ୍ୟାର ୭୦% ବାଘ ବାସ କରନ୍ତି (୨୦୧୮ର ବାଘ ଗଣନା ଅନୁଯାୟୀ ଏଇ ସଂଖ୍ୟା ୩,୦୦୦)। ଆଉ ବାଘ ଏକ ବିଲୁପ୍ତପ୍ରାୟ ଜୀବ ହୋଇଥିବାରୁ ଏହାର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରାଯାଇଥାଏ।
ତେବେ ସୁନ୍ଦରବନର ପରିବେଶ ଓ ଏହାର ବାଘମାନଙ୍କ ପାଇଁ ଅତି ଆବଶ୍ୟକ ସୁନ୍ଦରୀ ଗଛଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଜଳରେ ଲବଣା°ଶ ବୃଦ୍ଧି, ମୃତ୍ତିକା କ୍ଷୟ ଓ ବିଭିନ୍ନ ପ୍ରକାରର ରୋଗ(ମୁଖ୍ୟତଃ ଅଗ ପଚିଯିବା ରୋଗ: ଯେଉଁଥିରେ ୧୯୮୦ ମସିହା ପରଠାରୁ ୧୫ପ୍ରତିଶତ ଗଛ ନଷ୍ଟ ହୋଇସାରିଛି) ହିଁ ସୁନ୍ଦରୀ ଗଛ ନଷ୍ଟର କାରଣ ସାଜିଛି।
ସୁନ୍ଦରବନର ମୁଖ୍ୟ ହେନ୍ତାଳ ପ୍ରଜାତି ଓ ଏହାର ଇକୋ ସିଷ୍ଟମର ସୁରକ୍ଷା ପାଇଁ ନିତାନ୍ତ ଆବଶ୍ୟକ ସୁନ୍ଦରୀ ଗଛ ଯେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଭଲଭାବେ ହୃଦୟଙ୍ଗମ କରିଛନ୍ତି ସମ୍ପୃକ୍ତ ବ୍ୟାଗ୍ରୋ ବା ବାଘ୍ ବିଧୋବାମାନେ। ତେଣୁ ସୁନ୍ଦରବନ ଅନ୍ତର୍ଗତ ଗୋସାବା ନଦୀ କୂଳରେ ଥିବା ଗୋସାବା ଆଇଲାଣ୍ଡର ‘ବାଘ୍ ବିଧୋବା’ମାନେ ମୁଖ୍ୟତଃ ଏଇ ସୁନ୍ଦରୀ ବୃକ୍ଷର ସୁରକ୍ଷା କରୁଛନ୍ତି।
କେବଳ ‘ବାଘ୍ ବିଧୋବା’ ମାନେ ନୁହନ୍ତି, ସୁନ୍ଦରବନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ଅନେକ ମହିଳା ମଧ୍ୟ ନିଷ୍ଠାର ସହ ହେନ୍ତାଳବଣ ସୁରକ୍ଷାରେ ନିୟୋଜିତ ଅଛନ୍ତି। ଯେମିତି କି ପଶ୍ଚିମବଙ୍ଗ ଅନ୍ତର୍ଗତ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଝାରଖାଲି ଗ୍ରାମପଞ୍ଚାୟତସ୍ଥିତ ବିଦ୍ୟାସାଗର ପଲ୍ଲୀର 'ସବୁଜ ବାହିନୀ।'
ଏଇ ଗୋଷ୍ଠୀର ମହିଳାମାନେ ହେନ୍ତାଳବଣକୁ ସୁରକ୍ଷା ଦେଇ ତା' ମାଧ୍ୟମରେ ନିଜର ଘର-ପରିବାର ଓ ଗାଁକୁ ବାରମ୍ବାର ଦେଖାଦେଉଥିବା ଝଡ଼-ତୋଫାନ (ଖାସ୍ କରି ୨୦୦୯ର ‘ଆଇଲା’ ବାତ୍ୟା ପରେ ସୁନ୍ଦରବନର ବହୁ ଅଞ୍ଚଳ ପ୍ରଭାବିତ ହୋଇ ଏଠାକାର ବଣ ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଥିଲା। ତା' ପରେ ବାରମ୍ବାର ଏଠାରେ ଝଡ଼-ବାତ୍ୟାର ପ୍ରାଦୁର୍ଭାବ ମଧ୍ୟ ବଢ଼ିଛି) ତଥା ସୁନ୍ଦରବନର ଉଚ୍ଚ ଜୁଆର କବଳରୁ ରକ୍ଷା କରିବାକୁ ଚାହାନ୍ତି।
ଏମାନେ ମୁଖ୍ୟତଃ ଉଚ୍ଚ ଜୁଆର ସମୟରେ ହେନ୍ତାଳ ମଞ୍ଜି ସଂଗ୍ରହ କରି ସେସବୁକୁ ଚାରାରେ ପରିଣତ କରିଥାନ୍ତି ଓ ପରେ ସେସବୁକୁ ମାଟଲା ନଦୀ କୂଳରେ ରୋପଣ କରିଥାନ୍ତି। ଏହା ଦ୍ୱାରା ପ୍ରାକୃତିକ ଦୁର୍ବିପାକରୁ ଅନେକ ପରିମାଣରେ ରକ୍ଷା ମିଳୁଥିବା ସ୍ଥାନୀୟ ଲୋକେ ଅନୁଭବ କରୁଛନ୍ତି।
ସୁନ୍ଦରବନର କାକଦ୍ୱୀପ ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁରର ମହିଳାମାନେ ମଧ୍ୟ ଏଇ ସୁରକ୍ଷା କାର୍ଯ୍ୟରେ ପଛରେ ରହି ନାହାନ୍ତି। ୨୦୨୦ ମସିହାର ‘ଅମ୍ଫାନ’ ବାତ୍ୟା ପରେ ଏ ଅଞ୍ଚଳର ଅଧିକାଂଶ ଗଛ ନଷ୍ଟ ହୋଇଯାଇଥିଲା। ଫଳରେ ଉଚ୍ଚ ଜୁଆର ସମୟରେ କୂଳ ଲଙ୍ଘି ସମୁଦ୍ର ପାଣି ବାରମ୍ବାର ଲୋକଙ୍କ ଘର ଭିତରକୁ ପଶି ଆସୁଥିଲା।
ଏବେ କିନ୍ତୁ କେତେକ ସ୍ଥାନୀୟ ମହିଳାଙ୍କ ଉଦ୍ୟମରେ ଏଠାରେ ଏକ ଛୋଟ ଜଙ୍ଗଲ ସୃଷ୍ଟି ହୋଇପାରିଛି। ସ୍ଥାନୀୟ ଅଞ୍ଚଳର ପାଣିରେ ଲବଣା°ଶ ଅଧିକ ଥିବାରୁ ସମ୍ପୃକ୍ତ ମହିଳାମାନେ ଏହାକୁ ସୁହାଇବା ଭଳି ଆଭିସିନିଆ ପ୍ରଜାତିର ହେନ୍ତାଳ ଗଛ ଲଗାଇଛନ୍ତି। ଏଇ ମହିଳାମାନେ ଅନେକ ସଂଖ୍ୟାରେ ନର୍ସରୀ ସୃଷ୍ଟିକରି ଶହ ଶହ ହେନ୍ତାଳ ଗଛ ରୋପଣ କରିଛନ୍ତି। ଏହାଦ୍ୱାରା ସେମାନେ ସମସ୍ତେ ହେନ୍ତାଳ ବଣ ରୂପକ ଏକ ପ୍ରାକୃତିକ ସୁରକ୍ଷା ବଳୟ ପାଇପାରିବା ସହ ନଦୀ କୂଳଗୁଡ଼ିକୁ ସୁରକ୍ଷିତ ରଖିପାରୁଛନ୍ତି ତଥା ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ପାଇ ପାରୁଛନ୍ତି।
'Nature Environment and Wildlife Society (NEWS)' ଭଳି NGOଗୁଡ଼ିକ ସାହାଯ୍ୟରେ ବହୁ ସ୍ଥାନୀୟ ମହିଳା ଜଣେ ଜଣେ ସବୁଜ ଯୋଦ୍ଧାରେ ପରିଣତ ହୋଇପାରିବା ସହ ହେନ୍ତାଳବଣକୁ ସୁରକ୍ଷା ଦେବାରେ ସକ୍ଷମ ହୋଇ ପାରିଛନ୍ତି।
ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)
]]>ଓଡ଼ିଶାର ସୀମାକୁ ଲାଗିଥିବା ସୁନ୍ଦରବନ ଅଂଚଳକୁ ଦେଶର ‘ବାତ୍ୟା ରାଜଧାନୀ’ ଭାବେ ଅଭିହିତ କରିଛି ଭାରତୀୟ ପାଣିପାଗ ବିଭାଗ। କାରଣ ଏହି ଅଞ୍ଚଳ ସବୁଠାରୁ ବାତ୍ୟାପ୍ରବଣ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଏଣିତିକି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ବାରମ୍ବାର ସାମୁଦ୍ରିକ ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଆଇଏମଡି ରିପୋର୍ଟରେ କୁହାଯାଇଛି।
ପୁଣେ ଠାରେ ଥିବା ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ କରିଥିବା ବିଶ୍ଳେଷଣ ଅନୁସାରେ, ବିଭିନ୍ନ ସମୟରେ ହୋଇଥିବା ବାତ୍ୟା ମଧ୍ୟରେ ସମୟ ବ୍ୟବଧାନକୁ ନେଇ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସାମୁଦ୍ରିକ ବାତ୍ୟାର ପ୍ରତ୍ୟାବର୍ତ୍ତନ ସମୟ ୧.୫ରୁ ୬.୦ ବର୍ଷ ସ୍କେଲ୍ ମଧ୍ୟରେ ୧.୬୭ ରହିଛି। ଅପେକ୍ଷାକୃତ ସଂକ୍ଷିପ୍ତ ପ୍ରତ୍ୟାବର୍ତ୍ତନ ସମୟ ଅଧିକ ସାମୁଦ୍ରିକ ବାତ୍ୟାର ସୂଚନା ଦିଏ । ତେଣୁ ଏଠାରେ ବାତ୍ୟା ଆସିବାର ବ୍ୟବଧାନ ତୁଳନାତ୍ମକ ଭାବେ କମ୍ ରହିଛି। ‘କ୍ଲାଇମେଟ୍ ହାଜାର୍ଡସ୍ ଆଣ୍ଡ୍ ଭଲ୍ନେରେବିଲିଟି ଆଟ୍ଲାସ୍ ଅଫ୍ ଇଣ୍ଡିଆ’ରୁ ଦେଖାଯାଇଛି ଯେ, ଭୀଷଣ ସାମୁଦ୍ରିକ ବାତ୍ୟାଗୁଡ଼ିକର ପ୍ରତ୍ୟାବର୍ତ୍ତନ ସମୟ ଥିଲା ୨.୬୧ ବର୍ଷ ।
ତେବେ ୨୦୨୧ ମସିହାରେ ଦେଶରେ ସଂଘଟିତ ୧୦ଟି ‘ସାଇକ୍ଲୋନିକ୍ ଡିଷ୍ଟର୍ବାନ୍ସେସ୍’ରୁ ସୁନ୍ଦରବନରେ ପ୍ରବାହିତ ହୋଇଥିବା ୨ଟି ବାତ୍ୟା ହେଉଛି ‘ୟାସ୍’ ଏବଂ ‘ଜାୱଦ୍’। ୧୯୬୧ରୁ ୨୦୨୦ ମଧ୍ୟରେ ଏହି ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରାୟ ୯୦ କିଲୋମିଟର୍ ଅଞ୍ଚଳ ଦେଇ ପ୍ରବାହିତ ସାମୁଦ୍ରିକ ବାତ୍ୟାଗୁଡ଼ିକ ଉପରେ ଗବେଷକମାନେ ଅଧ୍ୟୟନ କରିଥିଲେ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା, ଆନ୍ଧ୍ରପ୍ରଦେଶର ନେଲୋର୍, ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ମଧ୍ୟ ବାତ୍ୟା ଅଧ୍ୟୁଷିତ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।
କେନ୍ଦ୍ରାପଡ଼ାର ବାତ୍ୟା ପ୍ରତ୍ୟାବର୍ତ୍ତନ ସମୟ ୧.୯୪ ବର୍ଷ ଥିବା ବେଳେ ନେଲୋର୍ ଏବଂ ପୂର୍ବ ମେଦିନୀପୁରରେ ପ୍ରତ୍ୟାବର୍ତ୍ତନ ସମୟ ୨ ବର୍ଷ ରହିଛି। ଯଥାକ୍ରମେ ୨.୮୬ ବର୍ଷ ଏବଂ ୩ ବର୍ଷ ପ୍ରତ୍ୟାବର୍ତ୍ତନ ସମୟ ଥାଇ ଓଡ଼ିଶାର ବାଲେଶ୍ୱର ଜିଲ୍ଲା, ତାମିଲନାଡୁର ବିଲ୍ଲୁପୁରମ୍ ଏବଂ ଦକ୍ଷିଣ ୨୪ ପ୍ରଗଣା ଭୀଷଣ ବାତ୍ୟାପ୍ରବଣ ବୋଲି କୁହାଯାଉଛି।
]]>ସମୁଦ୍ରର ଅଶାନ୍ତ ଜୁଆର ହେଉ ବା ବାତ୍ୟା ଭଳି ବୀଭିଷିକା ସବୁବେଳ ତଟ ସୁରକ୍ଷା ପାଇଁ ଛାତି ପସାରି ଛିଡ଼ା ହୋଇଥିବା ହେନ୍ତାଳ ବନ ଏବେ ଶ୍ରୀହୀନ ହେବାକୁ ବସିଲାଣି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ବ୍ୟାପକ ବୃକ୍ଷ ଛେଦନ ଯୋଗୁ ଅସୁରିକ୍ଷତ ହୋଇ ପଡ଼ିଛି ଏହି ସୁରକ୍ଷା କବଚ । ବିପଦକୁ ଠେଲି ହେଇଯାଉଛି ସମଗ୍ର ଉପକୂଳ । ହେନ୍ତାଳ ବନରେ ଥିବା ବୃକ୍ଷ ଅତି ପାଖାପାଖି ଓ ଚେର ପରସ୍ପର ମଧ୍ୟରେ ଛନ୍ଦାଛନ୍ଦି ହୋଇ ରହୁଥିବାରୁ ଏହା ବାତ୍ୟା ବେଳେ ପବନର ବେଗକୁ ରୋକିବାରେ ସହାୟକ ହୁଏ । ଓଡ଼ିଶା ଭଳି ବାତ୍ୟା ପ୍ରବଣ ରାଜ୍ୟର ସୁରକ୍ଷା କବଚ ହେନ୍ତାଳ ବନର ସୁରକ୍ଷା ପାଇଁ ଏବେ ସ୍ୱର ଉଠାଇଲେଣି ଉପକୂଳ ବାସିନ୍ଦା ଓ ଗବେଷକ ।
ଓଡ଼ିଶା ଉପକୂଳରେ ପ୍ରାୟ ୨୫୧ ବର୍ଗ କିଲୋମିଟର ଅଞ୍ଚଳରେ ରହିଛି ଲୁଣା ବା ହେନ୍ତାଳ ବନ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ଲୁଣା ଜଙ୍ଗଲ ରହିଥିବା ବେଳେ ବାଲେଶ୍ୱର, ଜଗତସିଂହପୁର ଓ ପୁରୀ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଲୁଣା ଜଙ୍ଗଲ ରହିଛି । ତେବେ ହେନ୍ତାଳ ବନର ଅଭିବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ତିନିବର୍ଷୀୟ ଯୋଜନା କରାଯାଇଛି । ଏହି ସମୟରେ ହଜାରେ ହେକ୍ଟର ଅଞ୍ଚଳରେ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପିସିସିଏଫ୍ ।
]]>