ଉତ୍ତର କୋରିଆ ସରକାରୀ ଗଣମାଧ୍ୟମ କେସିଏନଏର ରିପୋର୍ଟ ଅନୁଯାୟୀ, ଗତ ଗୁଧବାର ଦିନ ଉତ୍ତର କୋରିଆର ରାଜଧାନୀ ପେଙ୍ଗୟୋଙ୍ଗରେ ଏକ ସାମରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋରିଆ ଯୁଦ୍ଧ ବିରାମ ଘୋଷଣାର ୬୯ତମ ବାର୍ଷିକୀ ଅବସରରେ ଉତ୍ତରକୋରିଆ ପକ୍ଷରୁ ଏହି ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ ଜଙ୍ଗ ଉନ ଯୋଗ ଦେଇ କହିଛନ୍ତି, ‘ ଆମେରିକା ସହ ବିବାଦ ଉପୁଜିଥିବାରୁ ସେମାନେ ନିଜ ଦେଶର ସୁରକ୍ଷା ନିମନ୍ତେ ଆଣବିକ ଅସ୍ତ୍ର ତିଆରି କରିଥିଲେ । ଯୁଦ୍ଧ ବିରାମକୁ ପ୍ରାୟ ୭୦ ବର୍ଷ ହୋଇଥିଲେ ମଧ୍ୟ ଆମେରିକା ଓ ଦକ୍ଷିଣ କୋରିଆ ତାଙ୍କ ଦେଶ ବିରୋଧରେ ଶତ୍ରୁତାପୂର୍ଣ୍ଣ ଆଚରଣ ଜାରି ରଖିଛନ୍ତି ।’
ସୂଚନା ଅନୁସାରେ, ଉତ୍ତର କୋରିଆ ଗତ ୨୦୧୭ ମସିହାରେ ଆଣବିକ ଅସ୍ତ୍ର ପରୀକ୍ଷା କରିଥିଲା । ଯାହା ପରେ ଉତ୍ତର କୋରିଆ ଏବେ ପୁଣି ଆଣବିକ ପରୀକ୍ଷଣ କରିବା ପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏମିତିକି ଆଣବିକ ପରୀକ୍ଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଥିବାର କହିଛନ୍ତି ଆମେରିକୀୟ ଓ ଦକ୍ଷିଣ କୋରିଆର ଗୁଇନ୍ଦା ଅଧିକାରୀମାନେ ।
ତେବେ ଗୋଟିଏ ପଟେ ଆମେରିକୀୟ ଓ ଦକ୍ଷିଣ କୋରିଆର ଗୁଇନ୍ଦା ଅଧିକାରୀମାନେ ଏହିପରି କହିଥିବାବେଳେ କିମଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।
]]>(Story Written By:- ପ୍ରସନ୍ନ କୁମାର ସାହୁ)
ୟୁକ୍ରେନ-ଋଷିଆ ଯୁଦ୍ଧର ଘନଘଟା ଭିତରେ ଉଙ୍କି ମାରିଛି ବିଶ୍ୱର ଆଉ ଏକ ବହୁ ପୁରାତନ ବିବାଦ । କୋରିଆ ଭୁଖଣ୍ଡର ଦୁଇ ରାଷ୍ଟ୍ର ଦକ୍ଷିଣ ଓ ଉତ୍ତର କୋରିଆ ମଧ୍ୟରେ ପୁଣି ତେଜିଛି ଉତ୍ତେଜନା । ଦକ୍ଷିଣ କୋରିଆକୁ ଚରମବାଣୀ ଶୁଣାଇଛନ୍ତି ଉତ୍ତର କୋରିଆ ଶାସନ ମୁଖ୍ୟ କିମ୍ -ଜନ-୍ ଉନ୍ଙ୍କ ଭଉଣୀ ତଥା ସରକାରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ଥିବ କିମ୍-ୟୋ-ଜଙ୍ଗ । ସେ କହିଛନ୍ତି ଦକ୍ଷିଣ କୋରିଆ ଯଦି ଆମ ଉପରେ ଆଗ ଆକ୍ରମଣ କରେ, ତେବେ ଏହା ତାଙ୍କର ମସ୍ତବଡ଼ ଭୁଲ ହେବ । ସେମାନେ ନିଜେ ନିଜର ପତ୍ତନକୁ ଡାକି ଆଣିବେ । ଦ୍ୱିତୀୟ କୋରିଆ ଯୁଦ୍ଧ ଆରମ୍ଭ କରିବା ଲାଗି ଆମର କୌଣସି ଉଦ୍ଦେଶ୍ୟ ନାହିଁ । ମାତ୍ର ଯଦି ଦକ୍ଷିଣ କୋରିଆ ଏଭଳି ଦୁଃସାହସ କରେ, ତେବେ ଆମେ ପରମାଣୁ ବୋମା ପକାଇ ତାଙ୍କୁ ଧ୍ୱଂସ କରିଦେବୁ ।
ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ ଉକ୍ ନିଜ ଦେଶର ସାମରିକ କ୍ଷମତାର ଉଦାହରଣ ଦେବା ସହ ନିମିଷିକ ମଧ୍ୟରେ ଉତ୍ତର-କୋରିଆର ବିଭିନ୍ନ ଟାର୍ଗେଟକୁ ଧ୍ୱଂସ କରିଦିଆଯାଇପାରିବ ବୋଲି ଦୃଢୋକ୍ତି କରିଥିଲେ । ଏନେଇ ଦକ୍ଷିଣ କୋରିଆ ନିକଟରେ ରହିଥିବା ବିଭିନ୍ନ ଅତ୍ୟାଧୁନିକ ଓ ଘାତକ ଅସ୍ତ୍ରଶସ୍ତ୍ର ସଂପର୍କରେ ବି ସେ ସୂଚନା ପ୍ରଦାନ କରିଥିଲେ । ଉତ୍ତର-କୋରିଆ ପୁଣି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ଆରମ୍ଭ କରିବା ପ୍ରରୀପ୍ରେକ୍ଷୀରେ ଏଭଳି କହିଥିଲେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ-ଉକ୍ ।
ତେବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ଚିହିଁଙ୍କି ଉଠିଛନ୍ତି କିମ୍-ୟୋ । ସିଧାସଳଖ ପରମାଣୁ ବୋମା ମାଡ଼ କରିବା ଲାଗି ଧମକ ଦେଇଛନ୍ତି । କେବଳ ଧମକରେ ଅଟକି ନାହାନ୍ତି ୟୋ, ଦକ୍ଷିଣ କୋରିଆକୁ କଟୁ ଭାଷାରେ ସମାଲୋଚନା ବି କରିଛନ୍ତି । ତାଙ୍କ ଦେଶ ଉପରେ ଆକ୍ରମଣ କରିବାର ଦିବାସ୍ୱପ୍ନ ଦେଖିବା ଦକ୍ଷିଣ କୋରିଆ ଛାଡି ଦେଉ ବୋଲି ସେ ତାଚ୍ଛଲ୍ୟ କରିଛନ୍ତି । ନଚେତ୍ ଏହା ତାଙ୍କ ପାଇଁ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ସଦୃଶ ହେବ ବୋଲି ସେ କହିଛନ୍ତି । ଯଦି ଦକ୍ଷିଣ କୋରିଆ ଆକ୍ରମଣ କରେ ତେବେ ତାଙ୍କ ଦେଶ ନିକଟରେ ଥିବା ସ୍ୱଳ୍ପ ଦୂରଗାମୀ ପରମାଣୁ ଅସ୍ତ୍ର ବ୍ୟବହାର କରି ଦକ୍ଷିଣ କୋରିଆର ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ଅନାୟସରେ ଧ୍ୱଂସ କରିଦିଆଯିବ ବୋଲି କିମ୍-ୟୋ ଚେତାଇ ଦେଇଛନ୍ତି । ଦକ୍ଷିଣ କୋରିଆରେ ମୁତୟନ ଥିବା ୨୮ ହଜାରରୁ ଅଧିକ ଆମେରିକୀୟ ସୈନ୍ୟ ବି ଏଥିରୁ ନିସ୍ତାର ପାଇବେ ନାହିଁ ବୋଲି ସେ କହିଛନ୍ତି ।
ତେବେ ଏଭଳି ବିସ୍ଫୋରକ ବୟାନ ଦେବା ତାଙ୍କ ପକ୍ଷେ କିଛି ନୂଆ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି । ହଟଚମଟ କଲା ଭଳି ମନ୍ତବ୍ୟ ଦେବାରେ କିମ୍-ୟୋ ମାହିର ଏବଂ ତାକୁ ଗୁରୁତର ସହ ନେବା ଉଚିତ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି ।
ଦକ୍ଷିଣ-କୋରିଆର ଦକ୍ଷିଣପନ୍ଥୀ ନେତା ୟୁନ୍ ସୁକ୍ ଇଓଲ, ମୁନ୍-ଜେ-ଇନ୍ଙ୍କ ସ୍ଥାନରେ ଆସନ୍ତା ମାସ ୯ ତାରିଖରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ମୁନ୍-ଜେ-ଇନ୍ । ଉତ୍ତର କୋରିଆ ପ୍ରତି କୋହଳ ମନୋଭାବ ରଖୁଥିବା ବେଳେ ୟୁନ୍-ସୁକ୍ କଠୋର ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତର-କୋରିଆ ପ୍ରେସର ଟ୍ୟାକ୍ଟିକ୍ ଖେଳୁଥିବା କୁହାଯାଉଛି । ୨୦୧୮ରେ ରାଷ୍ଟ୍ରପତି ମୁନ୍-ଜେ-ଇନ୍ ଉତ୍ତର କୋରିଆ ଶାସନ ମୁଖ୍ୟ କିମ୍ ଜଙ୍ଗକୁ ୩ ଥର ଭେଟିଥିଲେ । ଏମିତିକି ତାଙ୍କ ପ୍ରଚେଷ୍ଟା ଯାଗୁଁ ସେତେବେଳେ ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ସହ କିମ୍ଙ୍କ ଶିଖର ବୈଠକ ସମ୍ଭବ ହୋଇଥିଲା ।
ସେହିପରି ୨୦୧୯ରେ ବି ଟ୍ରମ୍ପ-କିମ୍ ବୈଠକ ହୋଇଥିଲା । ତେବେ ଆର୍ଥିକ କଟକଣା କୋହଳ ପ୍ରସଙ୍ଗରେ ସହମତି ହୋଇପାରିନଥିବାରୁ ବୈଠକ ବିଫଳ ହୋଇଥିଲା । ଅନ୍ୟପକ୍ଷରେ ପରମାଣୁ ଅସ୍ତ୍ର ପରିହାର କରିବା ଲାଗି ଉତ୍ତର କୋରିଆକୁ ମନାଇବା ଲାଗି ବାଇଡେନ୍ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ବି ଉଦ୍ୟମ ହୋଇନାହିଁ ।
୧୯୫୦ରୁ ୧୯୫୩ ଯାଏଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ଥିଲା । ଯାହା କୋରିଆ ଯୁଦ୍ଧ ନାଁରେ ପ୍ରସିଦ୍ଧ । ୧୯୫୦ରେ ଉତ୍ତର-କୋରିଆ ସେନା ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରିବା ସହ ଏହାକୁ ଅଧିକାର କରିଥିଲା । ଚୀନ୍ ଓ ପୂର୍ବତନ ସୋଭିଏତ୍ ସଂଘ ଉତ୍ତର କୋରିଆ ସପକ୍ଷରେ ଥିବା ବେଳେ ଆମେରିକା ଓ ମିତ୍ର ରାଷ୍ଟ୍ର ଦକ୍ଷିଣ କୋରିଆ ସମର୍ଥନରେ ଠିଆ ହୋଇଥିଲେ । ଜାତିସଂଘ ସେନା ସହାୟତାରେ ଦକ୍ଷିଣ କୋରିଆକୁ ମୁକ୍ତ କରାଯାଇଥିଲା । ଅନ୍ୟପକ୍ଷରେ ୧୯୫୩ ଜୁଲାଇ ୨୭ରେ ସ୍ୱାକ୍ଷରିତ ଆର୍ମିଟାଇସ ସନ୍ଧି ବଳରେ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଅସ୍ତ୍ର ବିରତି ଲାଗୁ ହୋଇଥିଲା । ଏହାସତ୍ତ୍ୱେ ବି ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ କ୍ରମାଗତ ଭାବେ ଉତ୍ତେଜନା ଲାଗି ରହିଛି ।
]]>ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ ଏବଂ ତାଙ୍କର ସରକାର, ସବୁବେଳେ ନିଜର ଅଜବ ଗଜବ ନିଷ୍ପତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତର କୋରିଆବାସୀ ଅନେକ ପ୍ରତିବନ୍ଧକ ମଧ୍ୟରେ ଜୀବନ ବିତାଉଛନ୍ତି । ଯେଉଁଥିରୁ ବାହାରିବା ତାଙ୍କ ପାଇଁ ମୁସ୍କିଲ । ସେଠାକାର ସରକାର ଓ ତାଙ୍କ ଦ୍ୱାରା ପ୍ରସ୍ତୁତ କାନୁନ, ତାଲିବାନୀ ଶାସନଠାରୁ କମ୍ ନୁହେଁ । ନିକଟରେ ଏବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଣେ ୧୪ ବର୍ଷର ସ୍କୁଲ ଛାତ୍ର ଦକ୍ଷିଣ କୋରିଆ ଚଳଚ୍ଚିତ୍ରର ଏକ ଛୋଟ ଦୃଶ୍ୟ ଦେଖିଥିଲେ । ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି ।
ପିଲାଟି ୫ ମିନିଟ୍ ପାଇଁ ଦେଖିଥିଲା ଫିଲ୍ମ
ଗଣମାଧ୍ୟମ (ଡେଲି ଷ୍ଟାର) ରିପୋର୍ଟ ଅନୁଯାୟୀ, ନଭେମ୍ବର ୭ରେ ଜଣେ ୧୪ ବର୍ଷର ବାଳକ ଦକ୍ଷିଣ କୋରିଆର ଫିଲ୍ମ ‘ଦି ଅଙ୍କଲ’ର ୫ ମିନିଟର ଏକ ସିନ୍ ଦେଖିଥିଲେ । ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି । ତେବେ ଏହି ଫିଲ୍ମଟି ମିଷ୍ଟ୍ରି ଏବଂ ଡ୍ରାମା ଆଧାରିତ । ଏହାକୁ କିମ୍ ୟୋଙ୍ଗ ଜିନ୍ ନିର୍ଦ୍ଦେଶନା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଗିରଫ ଅଭିଯୁକ୍ତ ହେଇସେନ ସିଟିର ଏକ ଏଲିମେଣ୍ଟ୍ରି ଏବଂ ମିଡିଲ୍ ସ୍କୁଲର ଛାତ୍ର । ପିଲାଟି ମାତ୍ର ୫ ମିନିଟ୍ ପାଇଁ ଏହି ଫିଲ୍ମ ଦେଖିଥିଲା । ଯାହା ପରେ ତାଙ୍କୁ ତୁରନ୍ତ ଗିରଫ କରାଯାଇ ୧୪ ବର୍ଷର ଶଶ୍ରମ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି ।
ମାତା-ପିତାଙ୍କୁ ବି ମିଳିପାରେ ଦଣ୍ଡ
କୁହାଯାଉଛି, ଦେଶର ଆସୋସିଏସନ ସିଷ୍ଟମ ଅଧୀନରେ ପିଲାଟିର ପିତା-ମାତାଙ୍କୁ ମଧ୍ୟ ଗିରଫ କରାଯାଇପାରେ । ଏହି ନିୟମ ଅଧିନରେ ଯଦି ସଂସ୍କୃତି ସହ ଜଡ଼ିତ କିଛି ବି ଅପରାଧ ଦେଶରେ ଘଟେ, ଆଉ ଏହାର କାରଣ ଯଦି ଦାୟିତ୍ୱ ହୀନତା ପାଇଁ ହୋଇଥାଏ, ତେବେ ଏହି ଦାୟିତ୍ୱହୀନ ଶିକ୍ଷା ପାଇଁ ଯିଏ ଦାୟୀ ତାଙ୍କୁ ୧୬ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ । ଏହି ପରିମାଣ ସେଠାକାର ଲୋକଙ୍କ ପାଇଁ ଢ଼େର ଅଧିକ । କାରଣ ସେଠାରେ ଲୋକଙ୍କ ରୋଜଗାର ଖୁବ୍ କମ୍ । ଲୋକଙ୍କୁ ଖୁବ୍ କମ୍ ପରିମାରଣ ଦରମା ମିଳିଥାଏ ।
]]>ଏଠାରେ ଆମେ ଦକ୍ଷିଣ କୋରିଆ ବିଷୟରେ କହୁଛୁ। ଏଠାରେ, ବିବାହ ସମାରୋହରେ ଅଧିକରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିବା ସେମାନଙ୍କୁ ସମାଜରେ ସେମାନଙ୍କର ସ୍ଥିତିକୁ ଯୋଡି ଦେଖାଯାଏ। ବିଶ୍ୱାସ କରାଯାଏ ଯେ ଯେଉଁ ବ୍ୟକ୍ତିର ବିବାହ ଉତ୍ସବରେ ଯେତେ ଅତିଥି ଆସିଥିବେ ସେ ଲୋକ ସେତେ ଲୋକପ୍ରିୟ। ଏଠାରେ ଲୋକମାନେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାକୁ ଅତିଥି କିଣନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆରେ ଏପରି ଅନେକ ଏଜେନ୍ସି ଅଛନ୍ତି ଯେଉଁମାନେ ଟଙ୍କା ନେଇ ଲୋକଙ୍କୁ ଭଡା ପାଇଁ ଅତିଥି ଯୋଗାନ୍ତି। ବିବାହକୁ ଆସୁଥିବା ଅତିଥିମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇ ପ୍ରସ୍ତୁତ କରାଯାଇଥାଏ। ବିବାହ ଉତ୍ସବରେ ଭଡା ସୂତ୍ରରେ ଆସୁଥିବା ଲୋକମାନେ ଏଭଳି ଅଭିନୟ କରନ୍ତି ଯେ ଅନ୍ୟମାନେ ଭାବି ନିଅନ୍ତି ସେମାନେ ସେହି ପରିବାରର କୌଣସି ସମ୍ପର୍କୀୟ ବୋଲି।
ଦକ୍ଷିଣ କୋରିଆର ଅତିଥିଙ୍କୁ ଭଡାରେ ଦେଉଥିବା ସବୁଠାରୁ ଜଣାଶୁଣା ଏଜେନ୍ସିର ନାମ ହେଉଛି ହାଗେକ୍ ଫ୍ରେଣ୍ଡସ୍। ଏହା ବ୍ୟତୀତ ଏଠାରେ ଏପରି ଅନେକ କମ୍ପାନୀ ଅଛି, ଯେଉଁମାନେ ଟଙ୍କା ନେଇ ବିହାରରେ ଅତିଥି ଯୋଗାନ୍ତି।
ଏଜେନ୍ସିଗୁଡିକ କହିଛନ୍ତି ଯେ କରୋନା ସଙ୍କଟ କାରଣରୁ ୯୯ ପ୍ରତିଶତ ଅତିଥିଙ୍କୁ ବିବାହ ସମାରୋହରେ ଯୋଗଦେବାକୁ ବାରଣ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ଏବଂ ୨୫୦ ଲୋକ ଏକ ଉତ୍ସବରେ ଯୋଗ ଦେଇ ପାରିବେ ବୋଲି କୁହାଯାଇଛି। ଦକ୍ଷିଣ କୋରିଆର ଲୋକମାନେ ବିବାହ ଉତ୍ସବରେ ୨୦ରୁ ୨୫ ନକଲି ଅତିଥିଙ୍କୁ ନିମନ୍ତ୍ରଣ କରନ୍ତି। ଏଠାରେ ଜଣେ ଅତିଥି ପିଛା ୧୫ଶହ ଟଙ୍କା ଭଡା ଦେବାକୁ ହୋଇଥାଏ।
]]>ଦକ୍ଷିଣ କୋରିଆବାସୀଙ୍କ ପାଇଁ ଖୁସି ଖବର । ସେମାନେ ଖୁବ୍ଶୀଘ୍ର ନିର୍ଭୟରେ ଘରୁ ବାହାରକୁ ଆସିପାରିବେ । କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ସେ ଏବେ ଘରୁ ନିର୍ଦ୍ୱନ୍ଦ୍ୱରେ ବାହାରିପାରିବେ । ଦକ୍ଷିଣ କୋରିଆ ବୁଧବାର କହିଛି ଯେ, ଆସନ୍ତା ଜୁଲାଇରୁ ଘରୁ ବାହାରକୁ ବାହାରିଲେ ଏଣିକି ମାସ୍କ ଲଗାଇବା ଆବଶ୍ୟକ ନାହିଁ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା କୁହାଯାଇଛି । ଦକ୍ଷିଣ କୋରିଆର ଏହି ପଦକ୍ଷେପ ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ସରକାରଙ୍କ କହିବାନୁଯାୟୀ ଏଭଳି ପଦକ୍ଷେପ କେବଳ ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ମୁଖ୍ୟ ଉଦେଶ୍ୟ । କାରଣ ସେପ୍ଟେମ୍ବର ସୁଦ୍ଧା ଦକ୍ଷିଣ କୋରିଆ ଏହାର ୫୨ ନିୟୁତ ଲୋକଙ୍କ ମଧ୍ୟରୁ ଅତିକମରେ ୭୦ ପ୍ରତିଶତ ଲୋକଙ୍କ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ଦେଶରେ କେବଳ ୭.୭ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇଛି ।
କରୋନା ଭାଇରସକୁ ନେଇ ଏକ ପ୍ରତିକ୍ରିୟା ବୈଠକରେ ପ୍ରଧାନମନ୍ତ୍ରୀ କିମ ବୋ-କ୍ୟୁମ କହିଛନ୍ତି ଯେ, ଯେଉଁ ଲୋକମାନେ ଅତି କମରେ ପ୍ରଥମ ଡୋଜ ନେଇସାରିଛନ୍ତି ସେମାନଙ୍କୁ ମଧ୍ୟ ଜୁନ୍ ମାସଠାରୁ ବହୁ ସଂଖ୍ୟାରେ ଏକାଠି ହେବାକୁ ଅନୁମତି ଦିଆଯିବ । କିନ୍ତୁ ଅକ୍ଟୋବର ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ ନିୟମରେ କୌଣସି ପ୍ରକାର କୋହଳ କରାଯିବ ନାହିଁ । ସେ ଆହୁରି କହିଛନ୍ତି ଯେତେବେଳେ ଦେଶର ୭୦% ରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍ ଟିକାକରଣ ସରିବ, ସେତେବେଳେ କ୍ୱାରେଣ୍ଟାଇନ୍ର ସମସ୍ତ କଟକଣା ମଧ୍ୟ କୋହଳ କରାଯିବ ।
ସ୍ୱାସ୍ଥ୍ୟମନ୍ତ୍ରୀ କ୍ୱୋନ୍ ଦେଓକ୍-ଚିଓଲ୍ କହିଛନ୍ତି ଯେ, ୬୦ ରୁ ୭୪ ବର୍ଷ ବୟସର ୬୦% ରୁ ଅଧିକ ଲୋକ ଟିକାକରଣ ପାଇଁ ପଞ୍ଜିକରଣ କରିସାରିଛନ୍ତି । ସୂଚନାଯୋଗ୍ୟ ଦକ୍ଷିଣ କୋରିଆରେ ମଙ୍ଗଳବାର ଗୋଟିଏ ଦିନରେ ୭୦୭ ନୂଆ ମାମଲା ଚିହ୍ନଟ ହୋଇଛି । ଯାହାଫଳରେ ଏଠାରେ ମୋଟ ମାମଲା ୧ ଲକ୍ଷ ୩୭ ହଜାର ୬୮୨ ସଂଖ୍ୟା ଅତିକ୍ରମ କରିଛି । ଏହି ଦେଶରେ ଏଠାରେ ଏବେ ସୁଦ୍ଧା କରୋନାରେ ୧୯୪୦ଜଣଙ୍କର ମୃତ୍ୟୁ ହୋଇଛି ।
]]>ଉତ୍ତର କୋରିଆର ଅଫିସିଆଲ୍ ନ୍ୟୁଜ୍ କମିଟି, କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ଶନିବାର କହିଛି ଯେ, ଦଳର ‘ଆଦର୍ଶଗତ ଉତ୍ସାହ’ ଏବଂ ‘ଆତ୍ମ ନିର୍ଭରତା’ ପାଇଁ ସଂଗ୍ରାମ ହେତୁ ଅନେକ କାର୍ଯ୍ୟ କରାଯାଉଛି ବୋଲି କିମ୍ ପ୍ରଶଂସା କରିଛନ୍ତି । ଶୁକ୍ରବାର ପୋଲିତବ୍ୟୁରୋ ବୈଠକକୁ ଆସିଥିବା କିମ୍ ପ୍ରଥମ ଥର ପାଇଁ ମେ’ ୬ ପରେ ସର୍ବସାଧାରଣରେ ନଜର ଆସିଛନ୍ତି । ସେତେବେଳେ ସେ ଉତ୍ତର କୋରିଆର ଯବାନମାନଙ୍କ ପରିବାର ସହିତ ଫଟୋ ଉଠାଇଥିଲେ ।
ମହାମାରୀ ହେତୁ ସୀମା ବନ୍ଦ ହେବା ପରେ ଉତ୍ତର କୋରିଆର ଅସ୍ଥିର ଅର୍ଥନୀତିକୁ ଆହୁରି ଦୁର୍ବଳ ହୋଇଯାଇଛି । ସୀମା ବନ୍ଦ ହେବା କାରଣରୁ ତାର ପ୍ରମୂଖ ସହଯୋଗୀ ଚୀନ୍ ସହିତ ବାଣିଜ୍ୟ କାରବାର ହ୍ରାସ ପାଇଛି । କିମ ଶୁକ୍ରବାର କହିଛନ୍ତି ଯେ, ଉତ୍ତର କୋରିଆକୁ ଏବେ ‘ପ୍ରତିକୂଳ ପରିସ୍ଥିତି ଏବଂ ପରିସ୍ଥିତି ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ତେବେ ଏହି ଖବରରେ ଆମେରିକା କିମ୍ବା ଦକ୍ଷିଣ କୋରିଆ ବିଷୟରେ କିମ କୌଣସି ମନ୍ତବ୍ୟ ଦେଇଥିବା ଉଲ୍ଲେଖ କରାଯାଇ ନାହିଁ ।
]]>