ଏହି ବୈଠକରେ ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଙ୍କର ଠକ୍କର ତେଲ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି । ଯାହା ଦ୍ୱାରା ତେଲ ଦର ହ୍ରାସ ପାଇପାରିବ । ସେ କହିଛନ୍ତି, ଯଦି ସରକାର ତାଙ୍କର ଏହି ପରାମର୍ଶଗୁଡ଼ିକୁ ଗ୍ରହଣ କରନ୍ତି, ତେବେ ସାଧାରଣ ଲୋକଙ୍କୁ ଏହାର ଏକ ବଡ଼ ଫାଇଦା ମିଳିବ ।
ଅଖିଳ ଭାରତୀୟ ଖାଇବା ତେଲ ବ୍ୟବସାୟୀ ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଙ୍କର ଠକ୍କର ଏହି ବୈଠକରେ ନିଜର ମତାମତ ଦେଇ କହିଛନ୍ତି ଯେ, ସରକାର ଖାଇବା ତେଲ ଉପରେ କୃଷି କଲ୍ୟାଣ ସେସ୍ ଲାଗୁ କରିଛନ୍ତି । ଏଥିସହିତ ତେଲ ଏବଂ ତୈଳବୀଜ ଉପରେ ଜିଏସ୍ଟି ମଧ୍ୟ ଲାଗୁ କରିଛନ୍ତି । ଚଳିତ ବର୍ଷ ତେଲର ମୂଲ୍ୟ ଆକାଶଛୁଆଁ ହୋଇଛି, ଯାହାଫଳରେ ସରକାରଙ୍କୁ ଏଥର କୃଷି କଲ୍ୟାଣ ସେସ୍ ଦ୍ୱାରା ରାଜସ୍ୱରେ ଏକ ବଡ ଫାଇଦା ମିଳିଛି ।
ତେଣୁ ସରକାର ଏବେ ସାଧାରଣ ଜନତାଙ୍କୁ ଦୃଷ୍ଟିରେ ରଖି, ଏହି କୃଷି କଲ୍ୟାଣ ସେସ୍କୁ ହଟାଇଦେବା ଉଚିତ୍ । ଏହାସହ ଜିଏସ୍ଟିକୁ ମଧ୍ୟ ଶୁନ୍ୟ ପ୍ରତିଶତ କରିବା ଉଚିତ୍ । ଯାହା ଦ୍ୱାରା ସାଧାରଣ ଜନତା ଏହି ଦର ବୃଦ୍ଧି ସମସ୍ୟାରୁ ସାମାନ୍ୟ ଆସ୍ୱଶ୍ତି ପାଇବେ ।
ଏହା ସହିତ, ସରକାର ଯଦି ସଟ୍ଟା ବଜାର ଉପରେ ନଜର ରଖିବେ ଏବଂ ତେଲକୁ ନେଇ ହେଉଥିବା ସଟ୍ଟା ଖେଳକୁ ବନ୍ଦ କରିବେ, ତେବେ ଅନେକାଂଶରେ ଖାଇବା ତେଲ ଦର ମଧ୍ୟ କମ୍ ହେବାର ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ ଏହା ଦ୍ୱାରା ସାଧାରଣ ଜନତା ଓ କୃଷକଙ୍କ ପାଇଁ ମଧ୍ୟ ଅନେକ ଫାଇଦା ମିଳିବ ।
ରିଫାଇନ୍ଡ ପାମୋଲିନ ଉପରେ ଥିବା ପ୍ରତିବନ୍ଧକକୁ ହଟାଯାଉ
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଙ୍କର ଠକ୍କର ଆହୁରି କହିଛନ୍ତି, ଗତ ବର୍ଷଠାରୁ ରିଫାଇନଡ୍ ପାମୋଲିନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ସରକାର ତୁରନ୍ତ ହଟାଇବା ଆବଶ୍ୟକ । କାରଣ ଦେଶର କିଛି ରାଜ୍ୟରେ ରିଫାଇନାରୀର ଅଭାବ ଏବଂ କିଛି ରାଜ୍ୟରେ ରିଫାଇନାରୀ ବିଲକୁଲ ନଥିବା କାରଣରୁ ଅଭାବୀ ଉତ୍ପାଦନ ସମସ୍ୟା ରହିଛି । ଏହାସହ ଯୋଗାଣ ଶୃଙ୍ଖଳରେ ମଧ୍ୟ ବାଧା ସୃଷ୍ଟି ହେଉଛି । ଏପରି ସମୟରେ, କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି । ଏହା ମଧ୍ୟ ମୂଲ୍ୟ ବୃଦ୍ଧିର ଏକ କାରଣ ହୋଇପାରେ । ଖାଲି ସେତିକି ନୁହେଁ କରୋନା ସଂକ୍ରମଣ ମଧ୍ୟ ରିଫାଇନାରୀର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇଛି ।
ଏହି ବୈଠକରେ କେତେକ ସଂସ୍ଥା ପରିବର୍ତ୍ତନଶୀଳ ଆମଦାନୀ ଶୁଳ୍କ ପ୍ରଣୟନ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଯାହାଦ୍ୱାରା ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଇବା ବେଳେ ଆମଦାନୀ ଶୁଳ୍କ ଆପେ ହ୍ରାସ ପାଇବ ଏବଂ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ପାଇଲେ ଆମଦାନୀ ଶୁଳ୍କ ଆପେ ବୃଦ୍ଧି ପାଇବ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ମୁଖ୍ୟ ସଚିବମାନେ ଉପସ୍ଥିତ ଥିଲେ ।
]]>