ଅତୀତ ଦିନକୁ ତୁଳନା କରି ମୁଖ୍ୟ ବିଚାରପତି କହିଛନ୍ତି, ପୂର୍ବରୁ ସଂସଦର ଉଭୟ ଗୃହରେ ଓକିଲମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା, କିନ୍ତୁ ବର୍ତ୍ତମାନର ପରିସ୍ଥିତି ଭିନ୍ନ । ବର୍ତ୍ତମାନର ସ୍ଥିତି ନିରାଶାଜନକ ଏବଂ ସଂସଦର ଉଭୟ ଗୃହରେ ପର୍ଯ୍ୟାପ୍ତ ବିତର୍କ ହେଉନାହିଁ । ଅନ୍ୟପଟେ ନ୍ୟାୟିକ କାର୍ଯ୍ୟ ବ୍ୟତୀତ ଜନସେବାରେ ସହଯୋଗ କରିବାକୁ ସେ ଓକିଲମାନଙ୍କୁ କହିଛନ୍ତି ।
“ବର୍ତ୍ତମାନ ଆଇନ ଉପରେ କୌଣସି ସ୍ପଷ୍ଟତା ନାହିଁ । ଆଇନର ଉଦ୍ଦେଶ୍ୟ ବିଷୟରେ କେହି ଅବଗତ ନାହାନ୍ତି । ଲୋକଙ୍କ ଉଦ୍ଦେଶ୍ୟରେ ହୋଇଥିବା ବେଳେ ଆଇନ୍ ନଜାଣିବା ଲୋକଙ୍କ ପାଇଁ ଏକ ବଡ଼ କ୍ଷତି । ଗୃହରେ ଆଇନଜୀବୀ ଏବଂ ବୁଦ୍ଧିଜୀବୀ ନରହିଲେ, ଏପରି ଘଟେ । ସ୍ୱାଧୀନତା ସଂଗ୍ରାମୀଙ୍କୁ ଦୃଷ୍ଟିରେ ରଖିଲେ ଜାଣିପାରିବେ ସେମାନଙ୍କ ମଧ୍ୟରୁ ଅନେକ ଆଇନଗତ ପୃଷ୍ଠଭୂମିରୁ ଆସିଥିଲେ । ଲୋକସଭା ଏବଂ ରାଜ୍ୟସଭାର ପୂର୍ବତନ ସଦସ୍ୟମାନେ ଅଧିକାଂଶ ଆଇନଗତ ପୃଷ୍ଠଭୂମିରୁ ଆସିଥିଲେ ।
ପ୍ରଧାନ ବିଚାରପତି କହିଛନ୍ତି, ବର୍ତ୍ତମାନ ଗୃହର ସ୍ଥିତି ସମ୍ପର୍କରେ ସମସ୍ତେ ଅବଗତ, ଯାହା ଅତି ଦୁଃଖଦ । ଅତୀତରେ ସଂସଦର ବିତର୍କ ଅତ୍ୟନ୍ତ ଗଠନମୂଳକ ଥିଲା । ମୁଁ ଆର୍ଥିକ ବିଲ୍ ଉପରେ ବିତର୍କ ଦେଖିଛି ଏବଂ ସେଠାରେ ବହୁତ ଗଠନମୂଳକ ମନ୍ତବ୍ୟ ଥିଲା । ଓକିଲମାନେ ତର୍କ କରୁଥିଲେ ଏବଂ ସେମାନଙ୍କ ସହିତ ଆଲୋଚନା କରାଯାଉଥିଲା । ସେମାନଙ୍କୁ ଆଇନଗତ ଦିଗ ବିଷୟରେ ସ୍ପଷ୍ଟତା ମିଳୁଥିଲା । କେବଳ ଆଇନ୍ ସେବାରେ ଜଡ଼ିତ ନରହିବ ଦେଶ ସେବାରେ ମଧ୍ୟ ଜ୍ଞାନକୁ ବ୍ୟବହାର କରିବାକୁ ଆଇନଜୀବୀ ମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ।
ନୀତି ଏବଂ ସଫଳତାର ସମୀକ୍ଷା କରିବାର ଏହା ହେଉଛି ସମୟ। କୌଣସି ଦେଶର ଇତିହାସରେ ୭୫ ବର୍ଷ କମ୍ ସମୟ ନୁହେଁ । ଯେତେବେଳେ ଆମେ ସ୍କୁଲ ଯାଉଥିଲୁ, ଆମକୁ ଗୁଡ଼ ଏବଂ ଏକ ଛୋଟ ପତାକା ମିଳିଥାଏ । ଆଜି ଆମ ପାଖରେ ବହୁତ କିଛି ଅଛି, କିନ୍ତୁ ଆମେ ଖୁସି ନୁହଁ । ଆମର ସନ୍ତୁଷ୍ଟର ସ୍ତର ବହୁତ ତଳକୁ ଖସିସାରିଛି ।
]]>ଦେଶର କରୋନା ମୁକାବିଲାରେ ସୁପ୍ରିମକୋର୍ଟଙ୍କ ଭୂମିକାକୁ ପ୍ରଶଂସା କରି ପ୍ରଧାନ ବିଚାରପତିଙ୍କୁ ଏକ କୁନି ଝିଅର ଚିଠି । ଏହି ଚିଠି ଲେଖିଛନ୍ତି କେରଳ ଥିସୁର ସହରର କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ଲିଡଓ୍ୱିନା ଯୋସେଫ୍ । ଚିଠିରେ ସେ ଲେଖିଛନ୍ତି, କରୋନାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ତାକୁ ବହୁତ ବ୍ୟଥିତ କରିଥିଲା । ଦେଶର ଏଭଳି ଦୁଃସ୍ଥିତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବାରେ, ଅକ୍ସିଜେନ ଯୋଗାଣ କରି ଲୋକଙ୍କ ମୃତ୍ୟୁକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହା ତାକୁ ବହୁତ ଖୁସି ଦେଇଛି । କୋର୍ଟଙ୍କ ଉଚିତ ପଦକ୍ଷେପ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିପାରିଛି । ସୁପ୍ରିମକୋର୍ଟଙ୍କ ପଦକ୍ଷେପ ପାଇଁ ସେ ଗର୍ବିତ ଓ ବହୁତ ଖୁସି ।
ଚିଠିରେ ଏକ ସୁନ୍ଦର ଚିତ୍ର ମଧ୍ୟ ଆଙ୍କିଛି ଏହି କୁନି ଝିଅଟି । ଚିତ୍ରରେ ଜଣେ ବିଚାରପତି ତାଙ୍କ ହାତୁଡ଼ିରେ କରୋନା ଭୂତାଣୁକୁ ବାଡ଼େଇବାର ଚିତ୍ର ରହିଛି । ତା’ସହିତ ପାଖରେ ରହିଛି ତ୍ରିରଙ୍ଗା, ଅଶୋକ ସ୍ତମ୍ଭ ଓ ମହାତ୍ମା ଗାନ୍ଧିଙ୍କ ଫଟୋ ।
ଲିଡଓ୍ୱାନାଙ୍କ ଏହି ଚିଠି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନାଙ୍କୁ ଭାବପ୍ରବଣ କରିଦେଇଛି । ସେ ଏତେ ପ୍ରଭାବିତ ହୋଇଛନ୍ତି ଯେ, ଲିଡଓ୍ୱାନାଙ୍କ ଚିଠିର ଉତ୍ତରରେ ନିଜେ ଏକ ଚିଠି ଲେଖିଛନ୍ତି ଜଷ୍ଟିସ ରମନ୍ନା । ଦେଶରେ କଣ ସବୁ ଘଟୁଛି, ତାର ଖବର ରଖୁଥିବାରୁ ଓ ଲୋକଙ୍କ ହିତ କଥା ଭାବୁଥିବାରୁ ଲିଡଓ୍ୱାନାଙ୍କୁ ପ୍ରଧାନ ବିଚାରପତି ପ୍ରଶଂସା କରିଛନ୍ତି । ଭବିଷ୍ୟତରେ ସେ ଜଣେ ଶିକ୍ଷିତ, ଦାୟିତ୍ୱବାନ୍ ନାଗରିକ ହୋଇ ଦେଶ ଗଠନରେ ସହାୟକ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ଜଷ୍ଟିସ ରମନ୍ନା । ଚିଠି ସହିତ ତାଙ୍କ ଦସ୍ତଖତ ଥିବା ଦେଶର ଏକ ସମ୍ବିଧାନ ମଧ୍ୟ ଉପହାର ଭାବେ ଲିଡଓ୍ୱାନାଙ୍କୁ ପଠାଇଛନ୍ତି ଦେଶର ପ୍ରଧାନ ବିଚାରପତି ।
]]>