ମହାକାଶରେ ଲୋକଙ୍କ ମନୋରଞ୍ଜନ କରିବାକୁ ଯୋଜନା କରୁଥିବା ବିଶ୍ୱର ପ୍ରଥମ କମ୍ପାନୀ ଆଷ୍ଟ୍ରୋ ଲାଇଭ୍ ଏକ୍ସପିରିଏନ୍ସ (ଏଏଲ୍ଇ) ଏହି ଅଭିନବ ଯୋଜନା କରୁଛି। କମ୍ପାନୀ ଦ୍ୱାରା ମହାକାଶକୁ ପଠାଯାଇଥିବା ଏକ କ୍ଷୁଦ୍ର ଉପଗ୍ରହରୁ ଛୋଟଛୋଟ ପଥରଖଣ୍ଡ ଭଳି ବସ୍ତୁ ଖସି ଉଲକାପାତର ଭ୍ରମ ସୃଷ୍ଟି କରିବ। ଏହି ଉପଗ୍ରହ ପୃଥିବୀ ପୃଷ୍ଠ ଠାରୁ ମାତ୍ର ୩୫୫ କିଲୋମିଟର ଉପରେ ଘୁରି ବୁଲିବ ଏବଂ ତାହାକୁ ନିର୍ଦ୍ଦେଶ ଦେଲେ ସେଥିରୁ ୧୫ରୁ ୨୦ଟି ଛୋଟଛୋଟ (ପ୍ରାୟ ଅଧା ଇଞ୍ଚ ଓସାରର) ଧାତବ ଖଣ୍ଡ ଖସିପଡ଼ିବ। ଏହାପରେ ସେଗୁଡ଼ିକ ବାୟୁମଣ୍ଡଳ ସହ ଘସି ହୋଇ ଜଳିବ ଏବଂ ଆଲୋକ ସୃଷ୍ଟି କରିବ। ଫଳରେ ଉଲକାପାତର ଭର୍ମ ସୃଷ୍ଟି ହେବ।
କୌଣସି ସହର, କମ୍ପାନୀ, ପାର୍କ କିମ୍ବା କୌଣସି ଧନୀ ବ୍ୟକ୍ତି ଚାହିଁଲେ ଉଲକାପାତ ପାଇଁ ଅର୍ଡର୍ ଦେଇପାରିବେ। ଏହା ରାତି ୮ଟାରୁ ୯ଟା ଭିତରେ ଗ୍ରାହକଙ୍କ ଇଚ୍ଛା ଅନୁସାରେ ଯେକୌଣସି ସହର ଉପରେ ୪ରୁ ୫ ସେକେଣ୍ଡ୍ ପାଇଁ ଉଲକାପାତ କରାଯାଇପାରିବ। ଏଥିପାଇଁ ଗ୍ରାହକଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ତାହା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ, ବଡ଼ବଡ଼ ସହରରେ ହେଉଥିବା ବିଶାଳ ଆତସବାଜି କାର୍ଯ୍ୟକ୍ରମ ଠାରୁ ଏହା କମ୍ ଖର୍ଚ୍ଚ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ତେବେ ଏଥିପାଇଁ ୨୦ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି।
ଚଳିତବର୍ଷ ଡିସେମ୍ବରରେ ଜାପାନରୁ ଏହି ଉପଗ୍ରହ ମହାକାଶ ପଠାଯିବାର ଯୋଜନା ହେଉଛି। ୨ଟି ପର୍ଯ୍ୟାୟରେ ଏହିଭଳି ୨ଟି ଉପଗ୍ରହ ପଠାଇପାରେ ଏଏଲ୍ଇ କମ୍ପାନୀ। ପ୍ରତି ଉପଗ୍ରହ ୨୭ ମାସ ଯାଏ ପୃଥିବୀ ଚାରିପଟେ ବୁଲିପାରିବ। ତେବେ ସବୁକିଛି ଯୋଜନା ଠିକ୍ ରହିଲେ, ଆସନ୍ତାବର୍ଷ ଜାପାନର ହିରୋସିମା ଆକାଶରେ ରାତିରେ ଏହି କୃତ୍ରିମ ଉଲକାପାତ ଦେଖିବାକୁ ମିଳିପାରେ ବୋଲି ଜଣାପଡ଼ିଛି।
]]>