ଉଭୟ ଦଳ ନିଜ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଥିବା କହି ସରକାର ଗଠନ ଲାଗି ଦାବି କରିଛନ୍ତି। ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ବି.ଏସ୍. ୟେଦୁରପ୍ପା। ଏହାପରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ସୁଯୋଗ ଦେବାକୁ ଦାବି କରିଛନ୍ତି।
ବିଜେପିକୁ ସ୍ୱାଧୀନ ବିଧାୟକମାନେ ସମର୍ଥନ କରୁଛନ୍ତି। ଫଳରେ ସରକାର ଗଠନ ଲାଗି ବିଜେପିକୁ ସୁଯୋଗ ଦିଆଯାଉ ବୋଲି ଦାବି କରଛନ୍ତି ୟେଦୁରପ୍ପା। ଯେତେ ଶୀଘ୍ର ସମ୍ଭବ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟପାଳ ତାଙ୍କୁ କହିଥିବା ସୂଚନା ଦେଇଛନ୍ତି ୟେଦୁରପ୍ପା। ସେପଟେ ସରକାର ଗଠନ ଲାଗି ଜେଡ଼ିଏସ୍-କଂଗ୍ରେସ ମେଣ୍ଟ ମଧ୍ୟ ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ନିକଟକରେ ଆବଶ୍ୟକ ସମର୍ଥନ ଥିବା ଦୁଇ ଦଳ ଦାବି କରୁଛନ୍ତି। ଆଜି ଜେଡିଏସ୍ର ନବନିର୍ବାଚିତ ବିଧାୟକମାନେ ଏଚ.ଡି. କୁମାର ସ୍ୱାମୀଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରିଛନ୍ତି। ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୁମାର ସ୍ୱାମୀ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେପି ଜେଡିଏସ୍ର ୩୮ ବିଧାୟକଙ୍କୁ ଲୋଭନୀୟ ଅଫର୍ ଦେଇଥିବା ସେ କହିଛନ୍ତି।
ବିଜେପି ପ୍ରତି ବିଧାୟକଙ୍କୁ ୧୦୦ କୋଟି ଟଙ୍କା ଓ ମନ୍ତ୍ରୀ ପଦର ପ୍ରସ୍ତାବ ଦେଇଛି। ବିଜେପି ତାଙ୍କ ଠାରୁ ମଧ୍ୟ ସମର୍ଥନ ଲୋଡିଥିଲା ବୋଲି କୁମାର ସ୍ୱାମୀ କହିଛନ୍ତି। ତେବେ ବିଜେପି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯଦି ବିଜେପି ଆମ ଦଳର ବିଧାୟକଙ୍କୁ ନେବାକୁ ଚେଷ୍ଟା କରେ ତେବେ ଆମେ ମଧ୍ୟ ଏଭଳି କରିବୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସେ ଆଜି ଆଉ ଥରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବେ ବୋଲି କୁମାରସ୍ୱାମୀ କହିଛନ୍ତି।
]]>