ଏହି ସିରିଜ୍ ପରାଜୟକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦ୍ୱିତୀୟ ମ୍ୟାଚ୍ରେ ଆୟୋଜକ ଟିମ୍ ମାତ୍ର ୧୧୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା, ଯେଉଁଠି ପରାଜୟ ସୁନିଶ୍ଚିତ ଥିଲା। ଏହାପରେ ନିର୍ଣ୍ଣାୟକ ମ୍ୟାଚ୍ରେ ଟିମ୍ ୨୭୦ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିପାରି ନ ଥିଲା।
ଏଠାରେ ରୋହିତ ଶର୍ମାଙ୍କ ଅଧିନାୟକୀୟ ଓ ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷଣ ଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେବା ସ୍ୱାଭାବିକ। ଟିମ୍ର ସାମଗ୍ରିକ ପ୍ରଦର୍ଶନ ଉପରେ ଅଧିକ ପ୍ରଶ୍ନ ଉଠୁଛି। ନା ଖେଳାଳିଙ୍କ ପ୍ରଦର୍ଶନରେ ନିରନ୍ତରତା ରହିଛି ନା ସେମାନେ ନିଜ ମାଟିରୁ ଫାଇଦା ଉଠାଇ ପାରୁଛନ୍ତି। ଯେଉଁ ପିଚ୍ରେ ଖେଳାଳି ବର୍ଷ ବର୍ଷ ଧରି ଖେଳି ଆସୁଛନ୍ତି, ଯାହାର ସ୍ଥିତି ଓ ବାତାବରଣ ସହ ସେମାନେ ଭଲ ଭାବେ ପରିଚିତ, ସେଠାରେ ହାରିବା ଚିନ୍ତାର ବିଷୟ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବିଫଳତା ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଟିମ୍ର ପ୍ରସ୍ତୁତି ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ତେବେ କାହିଁକି ହାରିଲା ରୋହିତ ସେନା? କେଉଁଠି ରହିଲା ସମସ୍ୟା?
ନାମୀ-ଦାମୀ ବ୍ୟାଟର୍ ଫେଲ୍:
ଏକଦା ଦିନିକିଆ କ୍ରିକେଟ୍ରେ ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଶୀର୍ଷକ୍ରମ ବ୍ୟାଟର୍ - ରୋହିତ ଶର୍ମା, ଶିଖର ଧାବନ ଓ ବିରାଟ କୋହଲିଙ୍କ ଆଧିପତ୍ୟ ଥିଲା। ଅଧିକାଂଶ ମ୍ୟାଚ୍ରେ ସେମାନଙ୍କ ମଧ୍ୟରୁ କେହି ନା କେହି ଶତକ-ଅର୍ଦ୍ଧଶତକ ଲଗାଉଥିଲେ। ଶିଖର ଏବେ ଟିମ୍ରେ ନାହାନ୍ତି, ବିରାଟଙ୍କ ସେହି ସମୟ ଆଉ ନାହିଁ ଏବଂ ରୋହିତଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବ ରହିଛି।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ରୋହିତ ଓ ବିରାଟ ମିଶିକି ୧୫୦ ରନ୍ ବି କରିପାରି ନ ଥିଲେ। ଏହାକୁ ବିଫଳତାର ଏହା ସବୁଠାରୁ ବଡ଼ କାରଣ କୁହାଯାଇପାରେ।
ଶୁଭମନ ଗିଲ୍, ରବୀନ୍ଦ୍ର ଜାଡ଼େଜା, ହାର୍ଦ୍ଦିକ ପାଣ୍ଡ୍ୟା ମିଳିତ ଭାବେ ଟିମ୍କୁ ନିରାଶ କରିଥିଲେ। ସବୁ ଫର୍ମାଟ୍ରେ ଭଲ ପ୍ରଦର୍ଶନ କରିଆସୁଥିବା ଶୁଭମନ ପୂରା ସିରିଜ୍ରେ କଷ୍ଟେମଷ୍ଟେ ୫୦ ସଂଖ୍ୟାକୁ ଅତିକ୍ରମ କରିପାରିଥିଲେ। ଜାଡ଼େଜା ୭୯ ଓ ପାଣ୍ଡ୍ୟା ୬୬ ରନ୍ କରିଥିଲେ। ଉଭୟ ଅଲ୍ରାଉଣ୍ଡର୍ ଏବଂ ସବୁ ମ୍ୟାଚ୍ରେ ବ୍ୟାଟିଂରେ ସେମାନଙ୍କ ଉପରେ ଚାପ ରହୁଥିଲା।
ଆହତ ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ଟିମ୍ରେ ସୁଯୋଗ ପାଇଥିବା ସୂର୍ଯ୍ୟକୁମାର ଯାଦବ ତିନିଟିଯାକ ମ୍ୟାଚ୍ରେ ଖାତା ଖୋଲିପାରି ନ ଥିଲେ। ଟି-୨୦ର ବିସ୍ଫୋରକ ବ୍ୟାଟର୍ଙ୍କ ଏଭଳି ବିଫଳତା କେହି ଆଶା କରି ନ ଥିଲେ। ଅନ୍ୟପଟେ ଲୋକେଶ ରାହୁଲ ପ୍ରଥମ ମ୍ୟାଚ୍ରେ ଟିମ୍ର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ହେଲେ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ବିଫଳ ହୋଇଥିଲେ।
ଅଷ୍ଟ୍ରେଲିଆର ବାମହାତି ପେସର୍ ମିଚେଲ୍ ଷ୍ଟାର୍କ ପ୍ରଥମ ଦୁଇ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଶୀର୍ଷ କ୍ରମର ପୁରୁଣା ଦୁର୍ବଳତାକୁ ପୁଣି ଥରେ ଉଜାଗର କରିଥିବା ବେଳେ ଆଦାମ ଜମ୍ପା ପ୍ରମାଣିତ କରିଥିଲେ ଯେ ଗୁଣାତ୍ମକ ଲେଗ୍ ସ୍ପିନ୍ ବୋଲିଂ ଜରିଆରେ ଭାରତୀୟ ଟିମ୍କୁ ତା’ରି ଘରେ ହରାଯାଇପାରିବ।
ଏ କଥା ବି ମନେ ରଖିବାକୁ ହେବ ଯେ ଅଷ୍ଟ୍ରେଲିଆ ତା’ର ମୁଖ୍ୟ ପେସର୍ ତଥା ଅଧିନାୟକ ପାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଏହି ସିରିଜ୍ ଜିତିଥିଲା।
ବୁମ୍ରାଙ୍କ ଅଭାବ ଓ ଶାମୀଙ୍କ ବିଫଳତା:
ଯେତେବେଳେ ଯଶପ୍ରୀତ ବୁମ୍ରା ଭାରତୀୟ ଟିମ୍ରେ ନ ଥା’ନ୍ତି ଏବଂ ଟିମ୍ ମ୍ୟାଚ୍ ହାରିଯାଏ, ସେତେବେଳେ ବୁମ୍ରେ ବହୁତ ମନେପଡ଼ନ୍ତି। ମନେପଡ଼ିବା ସ୍ୱାଭାବିକ, କାରଣ ସେ ପେସ୍ ବାହିନୀର ନେତୃତ୍ୱ ନିଅନ୍ତି। ତାଙ୍କ ବୋଲିଂ ଶୈଳୀ ଅନ୍ୟମାନଙ୍କ ଠାରୁ ଭିନ୍ନ। ସେ ଡେଥ୍ ଓଭର୍ ବିଶେଷଜ୍ଞ, ୟର୍କର ପକାଇବାରେ ପାରଙ୍ଗମ।
ତେବେ ଆଘାତଜନିତ କାରଣରୁ ବୁମ୍ରା ଦୀର୍ଘଦିନ ହେଲା ଟିମ୍ରୁ ଦୂରରେ ଅଛନ୍ତି। ଏହା ଭିତରେ ଟିମ୍ ଇଣ୍ଡିଆ ଏସିଆ କପ୍, ଟି-୨୦ ବିଶ୍ୱକପ୍ ଏବଂ ବିଭିନ୍ନ ଫର୍ମାଟ୍ରେ ଅନେକ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିସାରିଲାଣି। ଏ ବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ଓ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ। ସେତେବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଥିବେ ବୋଲି କେହି ଦୃଢ଼ତାର ସହ କହିପାରିବେ ନାହିଁ।
ଅଧିକ ଗୁରୁତ୍ୱ ରଖୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ବୁମ୍ରାଙ୍କ ଅଭାବ ଅଧିକ ଅନୁଭୂତ ହୋଇଥିଲା। କାରଣ ଟିମ୍ ଏହି ସିରିଜ୍ ହାରିଥିଲା ଏବଂ ତାଙ୍କ ଅନୁପସ୍ଥିତିରେ ବରିଷ୍ଠ ପେସର୍ ମହମ୍ମଦ ଶାମୀ ଆଶାଜନକ ପ୍ରଦର୍ଶନ କରିପାରି ନ ଥିଲେ। ପ୍ରାୟତଃ ବୋଲିଂ-ଅନୁକୂଳ ପିଚ୍ରେ ଖେଳାଯାଇଥିବା ତିନି ମ୍ୟାଚ୍ରେ ଶାମୀ କେବଳ ତିନି ୱିକେଟ୍ ନେଇଥିଲେ ଏବଂ ତାଙ୍କ ଇକୋନୋମୀ ରେଟ୍ ୫.୫ ଠାରୁ ଅଧିକ ଥିଲା।
ମହମ୍ମଦ ସିରାଜ ବି ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ଏହାଛଡ଼ା ଅନେକ ଅବସରରେ ଦେଖିବାକୁ ମିଳୁଥିଲା ଯେ ଭାରତୀୟ ସ୍ପିନର୍ଙ୍କ ତୁଳନାରେ ଅଷ୍ଟ୍ରେଲୀୟ ସ୍ପିନର୍ ଅଧିକ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି।
ଅନ୍ୟତମ ବରିଷ୍ଠ ପେସର୍ ଭୁବନେଶ୍ୱର କୁମାରଙ୍କୁ ଟି-୨୦ ବିଶ୍ୱକପ୍ ପରଠାରୁ ଆଉ ସୁଯୋଗ ମିଳୁ ନାହିଁ ଯେତେବେଳେ କି ସେ ଅତୀତରେ ସୀମିତ ଓଭର୍ ଟିମ୍ର ଅଭିନ୍ନ ଅଙ୍ଗ ରହିଆସୁଥିଲେ। ଅର୍ଶଦୀପ ସିଂହଙ୍କ ଭଳି ପ୍ରତିଭାଶାଳୀ ବାମହାତି ପେସର୍ ବି ସୁଯୋଗ ଅପେକ୍ଷାରେ ଅଛନ୍ତି।
ଆସନ୍ତା ଦୁଇ ମାସ ଧରି ଭାରତୀୟ ଖେଳାଳିମାନେ ଆଇପିଏଲ୍ରେ ବ୍ୟସ୍ତ ରହିବେ। ଏହାପରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍। ପରେ ପରେ ୱେଷ୍ଟ୍ଇଣ୍ଡିଜ୍ ଗସ୍ତରେ ଟେଷ୍ଟ୍, ଦିନିକିଆ ଓ ଟି-୨୦ ସିରିଜ୍।
ଏହାପରେ ଏସିଆ କପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟର ଆହ୍ୱାନ ଏବଂ ବିଶ୍ୱକପ୍ର ଠିକ୍ ପୂର୍ବରୁ ଘରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍।
ଏସିଆ କପ୍କୁ ଛାଡ଼ିଦେଲେ, ଭାରତ ପାଖରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ର ଛଅଟି ମ୍ୟାଚ୍ ରହିଛି। ଏହି ସୀମିତ ସୁଯୋଗ ମଧ୍ୟରେ ଟିମ୍ ମ୍ୟାନେଜ୍ମେଣ୍ଟ୍କୁ ମଜଭୁତ ଟିମ୍ ସଂଯୋଜନା ପ୍ରସ୍ତୁତ କରିବାକୁ ହେବ। ପ୍ରତିଭାଶାଳୀ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷାନିରୀକ୍ଷା କରାଯିବା ବି ଜରୁରୀ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ଅନ୍ୟପଟେ ୧୭ ଡିସେମ୍ବରରୁ ଭାରତର ସାଉଥ୍ ଆଫ୍ରିକା ଗସ୍ତ ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୭ ସପ୍ତାହ ଧରି ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍ ଖେଳିବା ନେଇ ସ୍ଥିର ହୋଇଛି । ଏହି ମ୍ୟାଚଗୁଡିକ ଜୋହାନ୍ସବର୍ଗ, ସେଞ୍ଚୁରିଆନ୍, ପାର୍ଲ ଏବଂ କେପଟାଉନରେ ଖେଳାଯିବ ।
ତେବେ ସାଉଥ ଆଫ୍ରିକାର ଉତ୍ତର ଭାଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଟେଷ୍ଟ ସିରିଜ ପାଇଁ ସ୍ଥିର କରାଯାଇଥିବା ଦୁଇଟି ସ୍ଥାନ ଜୋହାନ୍ସବର୍ଗ ଏବଂ ପ୍ରିଟୋରିଆ ଏହି ନୂଆ ଭାରିଏଣ୍ଟ କବଳରେ ପଡ଼ିବାର ବେଶି ସମ୍ଭାବନା ରହିଛି । ତେଣୁ ଏହି ପରିପ୍ରେକ୍ଷିରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଯେପର୍ଯ୍ୟନ୍ତ କ୍ରିକେଟ୍ ସାଉଥ୍ ଆଫ୍ରିକା ପକ୍ଷରୁ କରୋନା ପରିସ୍ଥିତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ, ସେପର୍ଯ୍ୟନ୍ତ ଆମେ ଆଗାମୀ ପଦକ୍ଷେପ କଥା ଚିନ୍ତା କରିପାରିବୁ ନାହିଁ । ବର୍ତ୍ତମାନର କାର୍ଯ୍ୟସୂଚୀ ଅନୁଯାୟୀ ମୁମ୍ବାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ଶେଷ ହେବା ପରେ ଡିସେମ୍ବର ୮ କିମ୍ବା ୯ ରେ ଭାରତୀୟ ଦଳ ସାଉଥ୍ ଆଫ୍ରିକା ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି ।’
ତେବେ ବିସିସିଆଇ ପକ୍ଷରୁ ଏବେ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । କିନ୍ତୁ ଆଗାମୀ ଦିନରେ କ୍ରିକେଟ୍ ସାଉଥ୍ ଆଫ୍ରିକା ସହ ବିସିସିଆଇ କରୋନାର ଏହି ନୂଆ ଭାରିଏଣ୍ଟ ସହ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିସିସିଆଇ ଅଧିକାରୀଙ୍କ କହିବାନୁଯାୟୀ, ‘ଯଦିଓ ଖେଳାଳିଙ୍କୁ ମୁମ୍ବାଇରୁ ଜୋହାନ୍ସବର୍ଗ ଚାର୍ଟାର୍ଡ ବିମାନ ଯୋଗେ ପଠାଯିବ, ହେଲେ ପରିବର୍ତ୍ତିତ ପରିସ୍ଥିତି ଅନୁଯାୟୀ ସେଠାରେ ସେମାନଙ୍କୁ ୩ରୁ ୪ ଦିନ ପର୍ଯ୍ୟନ୍ତ କଡ଼ା କ୍ୱାରେଣ୍ଟିନରେ ରହିବାକୁ ପଡିବ ।’
ସେ ଆହୁରି କହିଛନ୍ତି, 'ଆଗରୁ ଏଭଳି କ୍ୱାରେଣ୍ଟିନ୍ ବ୍ୟବସ୍ଥା ନଥିଲା । କିନ୍ତୁ ନିଶ୍ଚିତ ଭାବେ ଖେଳାଳିମାନେ ବାୟୋ ବବୁଲ ମଧ୍ୟରେ ରହିବେ । ଏବେ ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟ ସେଠାରେ ବିମାନ ଉଡ଼ାଣକୁ ସାମୟିକ ଭାବେ ବାତିଲ କରିଛି । ଆମକୁ ଏହି ଦିଗଗୁଡିକ ଉପରେ ଗୁରୁତ୍ୱ ଦେବାକୁ ହେବ । ଭାରତ ‘ଏ’ ଟିମ୍ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ।’
ସେହିଭଳି ଆଉ ଜଣେ ଅଧିକାରୀ କହିଛନ୍ତି, 'ଆମେ ସାଉଥ ଆଫ୍ରିକାରେ ପହଞ୍ଚିବା ପରେ ଆମକୁ କ୍ୱରେଣ୍ଟିନରେ ରହିବାକୁ ପଡ଼ି ନଥିଲା । କାରଣ ଆମେ ଚାର୍ଟାର୍ଡ ବିମାନରେ ଆସିଥିଲୁ ଏବଂ ବାୟୋ ବବୁଲରେ ରହୁଥିଲୁ । ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ଡାକ୍ତରୀ ଟିମ୍ ଆମ ପ୍ରତିନିଧୀଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ ।’
ଅଧିକାରୀ ଜଣକ ଫୋନ୍ ଯୋଗେ ଆହୁରି କହିଛନ୍ତି ଯେ, ‘ଆମକୁ କୁହାଯାଇଛି ଚିନ୍ତାର କରିବାର ଆବଶ୍ୟକ ନାହିଁ । କାରଣ ଯେଉଁଠି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି ତାହା, ସେମାନେ ରହୁଥିବା ସ୍ଥାନ ବ୍ଲୋମଫୋଟେନ୍ଠାରୁ ବହୁ ଦୂରରେ ରହିଛି ।
]]>ତେବେ ସୂର୍ଯ୍ୟକୁମାର ଯାଦବ ଗତ ଦୁଇଟି ଟି -୨୦ ମ୍ୟାଚରେ ନିରାଶା ଜନକ ପ୍ରଦର୍ଶନ କରିଥିଲେ ବି ତାଙ୍କୁ ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୂର୍ଯ୍ୟକୁମାର ଟିମ୍ରେ ସାମିଲ ହେବା ପାଇଁ କୋଲକାତାରୁ କାନପୁର ଅଭିମୁଖେ ବାହାରିଛନ୍ତି । କାରଣ ପ୍ରଥମ ଟେଷ୍ଟ ମ୍ୟାଚ୍ କାନପୁରରେ ଖେଳାଯିବ । ୩୧ ବର୍ଷୀୟ ସୂର୍ଯ୍ୟକୁମାର ପ୍ରଥମ ଟି -୨୦ରେ ଚମତ୍କାର ଇନିଂସ ଖେଳି ଦମ୍ଦାର ୬୨ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ପରବର୍ତ୍ତୀ ୨ଟି ମ୍ୟାଚ୍ରେ ସେ ଏକ ରନ୍ ଏବଂ ଶୂନ୍ୟରେ ଆଉଟ୍ ହୋଇଥିଲେ । କିନ୍ତୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ଟି-୨୦ରେ ତାଙ୍କ ପ୍ରଦର୍ଶନ ଭଲ ରହିଛି ।
୪୦ରୁ ଅଧିକ ଥର ୫୦ ରନ୍ କରିଛନ୍ତି
ମୁମ୍ବାଇର ଏହି ସୂର୍ଯ୍ୟକୁମାର ଯାଦବ ଫାଷ୍ଟ କ୍ଲାସ୍ରେ ଭଲ ରେକର୍ଡ ରହିଛି । ସେ ୧୨୯ଟି ଇନିଂସ ଖେଳିଥିବା ବେଳେ ୩୮ ହାରରେ ମୋଟ୍ ୫୩୨୬ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୧୪ଟି ଶତକ ରହିଥିବା ବେଳେ ୨୬ଟି ଅର୍ଦ୍ଧଶତକ ରହିଛି । ଅର୍ଥାତ୍ ସେ ୪୦ ଥର ୫୦ରୁ ଅଧିକ ରନର ଇନିଂସ ଖେଳିଛନ୍ତି । ସେ ୨୦୦ ରନର ସର୍ବୋଚ୍ଚ ଇନିଂସ ମଧ୍ୟ ଖେଳିଛନ୍ତି । ସେ ଭାରତ ପାଇଁ ୩ଟି ଦିନିକିଆ ଏବଂ ୧୧ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି କ୍ରମରେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ସୁଯୋଗ ଦିଆଯାଇପାରେ ।
ଚତୁର୍ଥ ସ୍ଥାନରେ ଆସିପାରନ୍ତି ଶ୍ରେୟସ ଆୟର୍
ଟେଷ୍ଟ ଦଳରେ ଶ୍ରେୟସ୍ ଆୟର ସ୍ଥାନ ପାଇଛନ୍ତି । ବିରାଟ କୋହଲି ପ୍ରଥମ ଟେଷ୍ଟରେ ଖେଳୁ ନାହାନ୍ତି । ତେଣୁ ଆୟରଙ୍କୁ ୪ ନମ୍ବରରେ ଦଳ ମଇଦାନକୁ ଛାଡ଼ିପାରେ ବୋଲି ଅନୁମାନ କରାଯାଉଛି । ୨୬ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ଫାଷ୍ଟ କ୍ଲାସ୍ କ୍ରିକେଟ୍ରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ୯୨ଟି ଇନିଂସ ଖେଳିଥିବା ବେଳେ ୫୨ ହାରରେ ୪୫୯୨ ରନ୍ କରିଛନ୍ତି । ସେଥିରେ ୧୨ ଶତକ ଏବଂ ୨୩ ଅର୍ଦ୍ଧଶତକ ସାମିଲ ଅଛି । ତାଙ୍କ ନାଁରେ ମଧ୍ୟ ୨୦୨ ରନ୍ର ଲମ୍ବ ଇନିଂସ ଖେଳିବାର ରେକର୍ଡ ରହିଛି ।
ପ୍ରଥମ ଟେଷ୍ଟରେ କେ.ଏଲ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଓପନିଂ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଚେତେଶ୍ୱର ପୂଜାରା ୩ ନମ୍ବରରେ ଖେଳିବା ନିଶ୍ଚିତ । ଏହି କ୍ରମରେ ନମ୍ବର ୪ରେ ଶ୍ରେୟସ୍ ଆୟର ମଇଦାନକୁ ଓହ୍ଲାଇବେ ନଚେତ୍ ଶୁଭମାନ ତାଙ୍କ ବିକଳ୍ପ ରହିଛନ୍ତି ।
]]>ଏହାର ଜବାବରେ ୧୮୫ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୧୧୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି । ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ତୃତୀୟ ଓଭରରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ୨ ଓଭର୍ରେ ଦଳ ୨୨ ରନ୍ ହାସଲ କରି ନେଇଥିବା ବେଳେ ତୃତୀୟ ଓଭର୍ ବୋଲିଂ କରିବାକୁ ଆସିଥିବା ଅକ୍ଷର ପଟେଲ ପ୍ରଥମେ ଡାରେଲ ମିଚେଲ(୫)ଙ୍କୁ ଆଉଟ କରିଥିଲେ ।
ଏହାପରେ ମାର୍କ ଚାପମ୍ୟାନ(୦) ଓ ଗ୍ଲେନ ଫିଲିପ୍ସ(୦)ଙ୍କୁ ଆଉଟ କରି ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରି ଦେଇଥିଲେ। ତେବେ ଓପନର ମାର୍ଟିନ ଗପ୍ଟିଲ କାଉଣ୍ଟର ଆଟାକ ଆରମ୍ଭ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ତାଙ୍କୁ କିଛି ସମୟ ପାଇଁ ଟିମ ସାଇଫର୍ଟ ସହଯୋଗ କରିଥିଲେ। ଗପ୍ଟିଲ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ ।
ତେବେ ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ୨ଟି ୱିକେଟ୍ ପାଇଛନ୍ତି । ସେହିପରି ଭେଙ୍କଟେଶ ଆୟର, ଦୀପକ ଚହର ଓ ୟୁଜଭେନ୍ଦର ଚହଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି ।
ତେବେ ସିରିଜ୍ର ପ୍ରଥମ ଦୁଇ ମ୍ୟାଚରେ ଭାରତ ଟସ୍ ଜିତିଥିଲେ ମଧ୍ୟ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । କିନ୍ତୁ ଏଥର ଭାରତର ଅଧିକ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲେ । ତେବେ ତାଙ୍କର ଏହି ଏକ୍ସପେରିମେଣ୍ଟ ସଫଳ ହୋଇଛି । ଅନ୍ୟପଟେ ରାହୁଲ ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ କୋଚ୍ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ଟି-୨୦ ସିରିଜ୍ । ଯାହାକୁ ସେ କ୍ଲିନ୍ ସ୍ୱିପ୍ କରିଛନ୍ତି ।
]]>ଭାରତ ଏବେ ସୁଦ୍ଧା ୯୪ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଜିତିଛି । ଆର୍ଥାତ୍ ଯେତିକି ଜଣ ଖାଳାଳି ସେତିକି ମ୍ୟାଚ୍ ଜିତିଛି ଭାରତ । ସାରା ବିଶ୍ୱରେ ଭାରତ ଠାରୁ ଅଧିକ ଟି-୨୦ ମ୍ୟାଚ୍ କେବଳ ପାକିସ୍ତାନ (୧୧୩ଟି) ଜିତିଛି ।
ହର୍ଷଲ ପଟେଲ ହେଉଛନ୍ତି ଟି-ଟ୍ୱେଣ୍ଟିରେ ଭାରତର ୯୪ତମ ଖେଳାଳି । ସେ ୧୯ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ଏଥିରେ ସେ ମ୍ୟାଚ୍ ୱିନର ମଧ୍ୟ ଥିଲେ । ହର୍ଷଲଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଗଲା ।
୨୧ ନଭେମ୍ବରରେ ଅର୍ଥାତ୍ ଆଜି ଭାରତ ନିଜର ୯୫ତମ ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ ଆଭେଶ ଖାନଙ୍କୁ ଭାରତ ସୁଯୋଗ ଦେବାର ସମ୍ଭାବନା ରହିଛି । ଅର୍ଥାତ୍ ୯୫ତମ ଟି -୨୦ ମ୍ୟାଚ୍ରେ ଭାରତର ୯୫ତମ ଖେଳାଳି ହେବେ ଆଭେଶ ଖାନ୍ ।
ଟି-୨୦ ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ବିରାଟ କୋହଲି । ବିଶ୍ୱରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । ସେ ଏବେ ସୁଦ୍ଧା ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଅନ୍ୟପଟେ ବିରାଟଙ୍କ ନାଁରେ ଏକ ଅଲୋଡ଼ା ରେକର୍ଡ ମଧ୍ୟ ରହିଛି । ସେ ଟି-ଟ୍ୱେଣ୍ଟି ଫର୍ମାଟ୍ରେ , ଏବେ ସୁଦ୍ଧା ଗୋଟିଏ ବି ଶତକ ହାସଲ କରି ପାରି ନାହାନ୍ତି । ତାଙ୍କର ସାର୍ବାଧିକ ସ୍କୋର ମଧ୍ୟ ୯୪ । ଆଉ ସେହି ମ୍ୟାଚ୍ରେ ସେ ନଟ୍ ଆଉଟ୍ ମଧ୍ୟ ରହିଥିଲେ ।
ଟି-୨୦ ମ୍ୟାଚରେ ଭାରତ ଅପେକ୍ଷା ଅଧିକ ଖେଳାଳିଙ୍କୁ କେବଳ ଅଷ୍ଟ୍ରେଲିଆ ମଇଦାନକୁ ଓହ୍ଲାଇଛି । ଏବେ ସୁଦ୍ଧା ୯୮ ଜଣ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଟି-୨୦ ମଇଦାନକୁ ଓହ୍ଲାଇ ସାରିଛି ।
]]>ତେବେ ଏକ ବଡ଼ ବ୍ୟବଧାନ ପରେ ପୁଣି ଥରେ ଏକାଠି ନଜର ଆସିଛନ୍ତି ସୌରଭ ଓ ସେହୱାଗ୍ । ଠିକ୍ ସେହି ପୁରୁଣା ଅନ୍ଦାଜରେ । ଗତ ଶୁକ୍ରବାର ଫ୍ୟାନ୍ସମାନେ ଏହି ଦୁଇ ଖେଳାଳିଙ୍କର ସେହି ପୁରୁଣା ଷ୍ଟାଇଲ୍ ଦେଖିବାକୁ ପାଇଛନ୍ତି । ସମାନ ଧରଣର ଆଟାକିଂ ମୁଡ୍ରେ ଉଭୟ ଗାଙ୍ଗୁଲି ଏବଂ ସେହୱାଗ୍ଙ୍କୁ ଦେଖିବାକୁ ମିଳିଛି ।
କିନ୍ତୁ ମଇଦାନରେ ନହେଁ ବରଂ କୌନ ବାନେଗା କରୋଡ଼ପତି ମଞ୍ଚରେ । ସେହୱାଗ ଏବଂ ଗାଙ୍ଗୁଲି ପୁରୁଣା ଦିନର ଅନେକ କଥା ଅମିତାଭ ବଚ୍ଚନଙ୍କ ସହ ସେୟାର କରିଛନ୍ତି । ତେବେ ଏହି କଥାବାର୍ତ୍ତା ବେଳେ ବିରେନ୍ଦର ସେହୱାଗ, ସୌରଭ ଗାଙ୍ଗୁଲିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେହୱାଗ କହିଛନ୍ତି ଯେ, ମ୍ୟାଚ୍ ପରେ ଯେତେବେଳେ ଦାଦା ସାମ୍ବାଦିକ ସମ୍ମିଳନୀକୁ ଯାଉଥିଲେ, ସେତେବେଳେ ସାଥୀ ଖେଳାଳିଙ୍କୁ କିଟ୍ ବ୍ୟାଗ୍ ପ୍ୟାକ୍ କରିବାକୁ କହୁଥିଲେ । କିନ୍ତୁ ଗାଙ୍ଗୁଲି ସେହବାଗଙ୍କ ଏହି ଆରୋପକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ସେହୱାଗ ମିଛ କହୁଛନ୍ତି ଏବଂ ଏନେଇ ଜାହିର ଖାନ, ଆଶିଷ ନେହେରା, ଯୁବରାଜ ସିଂ କିମ୍ବା ହରଭଜନ ସିଂଙ୍କୁ ପଚାରିପାରିବେ ।
ସେହୱାଗ ଏବଂ ଗାଙ୍ଗୁଲି କୌନ ବାନେଗା କରୋଡ଼ପତିରେ ଖୁବ୍ ମଜା ମସ୍ତି କରିଛନ୍ତି । ଏହାରି ଭିତରେ ସେହୱାଗ କହିଥିଲେ ଯେ, ନିଜ କ୍ୟାରିୟରରେ ସୌରଭ ଗାଙ୍ଗୁଲିଙ୍କଠାରୁ ଭଲ ଅଧିନାୟକ ସେ କେବେ ଦେଖି ନାହାଁନ୍ତି । ଅନେକ ଅଧିନାୟକଙ୍କ ଅଧୀନରେ ସେ ଖେଳିଥିଲେ ମଧ୍ୟ ଗାଙ୍ଗୁଲିଙ୍କ ଭଳି ଅଧିନାୟକ କେହି ନୁହଁନ୍ତି । ସେହୱାଗ ଆହୁରି କହିଛନ୍ତି ଯେ, ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ବିଦେଶ ମାଟିରେ ଜିତିବା ଶିଖିଲା । ପୂର୍ବରୁ ଟିମ୍ ଇଣ୍ଡିଆ ବିଦେଶରେ ସିରିଜ୍ ହରୁଥିଲା । କିନ୍ତୁ ଦାଦାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ସିରିଜ୍ ଡ୍ର କରିଥିଲା ।
ଖାଲି ସେତିକି ନୁହେଁ, ସୌରାଭ ଗାଙ୍ଗୁଲିଙ୍କୁ WHO ସହିତ ତୁଳନା ମଧ୍ୟ କରିଛନ୍ତି ସେହୱାଗ । ସେ କହିଛନ୍ତି, 'ସୌରଭ ଗାଙ୍ଗୁଲି ଆମ ଦଳର WHO ଥିଲେ । ସେ ଯାହା କହୁଥିଲେ, ତାହା ହେଉଥିଲା । କିନ୍ତୁ ଏହି ସମୟରେ ହଠାତ୍ ଗାଙ୍ଗୁଲି କହିଥିଲେ ସେହୱାଗ କେବେ ବି ତାଙ୍କ କଥା ମାନନ୍ତି ନାହିଁ । ଗାଙ୍ଗୁଲିଙ୍କ କହିତବାନୁଯାୟୀ, ନେଟୱେଷ୍ଟ ଟ୍ରଫି ଫାଇନାଲରେ ଗାଙ୍ଗୁଲି ଯେତେ ମନା କରିବା ପରେ ମଧ୍ୟ ସେହୱାଗ୍ ବୋଲରମାନଙ୍କୁ ଚୌକା ପରେ ଚୌକା ମାରିବାରେ ଲାଗିଥିଲେ । ସେହୱାଗ୍ କେବଳ ଗୋଟିଏ ବଲ ଛାଡ଼ଥିଲେ, ବୋଧହୁଏ ତାଙ୍କର ଗାଙ୍ଗୁଲିଙ୍କ ପ୍ରତି ଦୟା ଆସିଥିଲା ।
]]>ଅନ୍ୟପଟେ, ଦିନିକିଆ ରାଙ୍କିଂର ଦୁଇ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ବାବର ଆଜମ୍। ଆଉ ଏହି ରାଙ୍କିଂର ପ୍ରଥମ ସ୍ଥାନରେ ରହିଛନ୍ତି ବିରାଟ କୋହଲି। ହେଲେ ସବୁଠାରୁ ବଡ଼ କଥା ହେଲା ବିରାଟ କୋହଲି ଓ ବାବରଙ୍କ ମଧ୍ୟରେ ମାତ୍ର ୫ ପଏଣ୍ଟର ଅନ୍ତର ରହିଛି। ବାବର ୮୫୨ ପଏଣ୍ଟ ପାଇ ଦୁଇ ନମ୍ଭର ସ୍ଥାନରେ ରହିଥିବା ବେଳେ ବିରାଟ ୮୫୭ ପଏଣ୍ଟ ପାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେହିଭଳି ୮୨୫ ପଏଣ୍ଟ ସହ ଏହି ତାଲିକାର ତିନି ନମ୍ବର ସ୍ଥାନରେ ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ରହିଛନ୍ତି । ତେବେ ରାଙ୍କିଂ ତାଲିକାକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ ବିରାଟଙ୍କ ଏକ ନମ୍ବର ସ୍ଥାନ ଏବେ ବିପଦରେ। କୌଣସି ମୁହୁର୍ତ୍ତରେ ବି ବିରାଟ ଏକ ନମ୍ବର ସ୍ଥାନରୁ ଖସିପାରନ୍ତି। ଶୀର୍ଷ ସ୍ଥାନର ମୁକୁଟ କୌଣସି ମୁହୁର୍ତ୍ତରେ ବି ବିରାଟଙ୍କ ପାଖରୁ ଚାଲିଯାଇପାରେ।
ସେହିଭଳି ଦକ୍ଷିଣ ଆଫ୍ରିକାର ରେସି ଭାନ୍ ଡେର୍ ଡୁସେନ୍ ମଧ୍ୟ ପାକିସ୍ତାନ ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ଯଥାକ୍ରମେ ୧୨୩ ଓ ୬୦ ରନ୍ କରି ନଟଆଉଟ୍ ରହିଥିଲେ। ଏହାସହ ସେ ଏବେ ରାଙ୍କିଂ ତାଲିକାର ୨୨ ତମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାବୁମା ମଧ୍ୟ ଦ୍ୱିତୀୟ ମ୍ୟାଚରେ ୯୨ ରନ ସଂଗ୍ରହ କରି ତାଲିକାର ୮୮ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।
ସେହିଭଳି ଆଇସିସି ପକ୍ଷରୁ ଜାରି କରାଯାଇଥିବା ଦିନିକିଆ ବୋଲର ରାଙ୍କିଂ ତାଲିକାରେ ୭୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ବୋଲର ଏନରିଚ୍ ନାର୍ଥଜେ। ସେ ପାକିସ୍ତାନ ବିକ୍ଷରେ ପ୍ରଥମ ଦୁଇଟି ଦିନିକିଆରେ ସାତୋଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ସେହିଭଳି ଟି-୨୦ ଫର୍ମାଟରେ ବାଂଲାଦେଶ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଡେବ୍ୟୁ କରିଥିବା ଫିନ୍ ଆଲେନ୍ ତୃତୀୟ ମ୍ୟାଚ୍ରେ ୨୯ ବଲରୁ ୭୧ ରନ୍ ସଂଗ୍ରହ କରି ଶ୍ରେଷ୍ଠ ୧୦୦ ବ୍ୟାଟ୍ସମ୍ୟାନ୍ ତାଲିକାରେ ସାମିଲ ହେଇଛନ୍ତି। ଅନ୍ୟପଟେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦୀ ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚରେ ମାତ୍ର ୧୫ ରନ୍ ଦେଇ ତିନୋଟି ୱିକେଟ୍ ହାସଲ କରିବାରେ ସଫଳ ହେଇଥିଲେ। ଏହାପରେ ସେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୬ ନମ୍ବର ରାଙ୍କିଂକୁ ଉନ୍ନୀତ ହେଇଛନ୍ତି।
]]>