ଆସାମର ଛାବୁଆ ଏୟାରବେସ୍ରେ ହୋଇଥିବା ଭାରତୀୟ ବାୟୁସେନାର ଏହି ସର୍ବବୃହତ ଅଭ୍ୟାସ ବେଳେ ତିନିଶହରୁ ଅଧିକ ଅଫିସରଙ୍କ ସହ ୧୫ହଜାରରୁ ଅଧିକ ବାୟୁସେନା କର୍ମଚାରୀ ଉପସ୍ଥିତ ଥିଲେ। ଏଥିସହ ନୌସେନା ଓ ସ୍ଥଳସେନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମରାଭ୍ୟାସର ନାଁ ରଖାଯାଇଛି ଗଗନଶକ୍ତି।
ଏଥିରେ ସୁଖୋଇ SU 30 MKI ଫାଇଟରର୍ସ,C-17 ଗ୍ଲୋବ୍ମାଷ୍ଟର ଏୟାରକ୍ରାଫ୍ଟ ଓ MI-17 ହେଲିକପ୍ଟର ଦ୍ୱାରା ଶତ୍ରୁର ଆକ୍ରମଣ ବେଳେ କିପରି ଏହାର ଜବାବ ଦିଆଯିବ ସେ ନେଇ କୌଶଳ ପ୍ରଦର୍ଶିତ ହୋଇଥିଲା।
ଅରୁଣାଚଳ ପ୍ରଦେଶର ପାସିଘାଟ ଆଡଭାନ୍ସ ଲାଣ୍ଡିଂ ଗ୍ରାଉଣ୍ଡରେ ଦୁଇଟି ସୁଖୋଇ ଫାଇଟର ଜେଟର ଉଡାଣ ପରେ C-130J ସୁପର ହର୍କୁଲସ ଟ୍ରାନ୍ସପୋର୍ଟ ହେଲିକପ୍ଟର ଅବତରଣ କରିଥିଲା। ଏଥିରୁ ଗରୁଡ଼ କମାଣ୍ଡୋ ବାହାରି ପୂରା ଏୟାରବେସ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ବାୟୁସେନାର ମୁଖ୍ୟ ଏୟାରମାର୍ସାଲ ବିରେନ୍ଦ୍ର ସିଂ ଧାନୋଆ ଉପସ୍ଥିତ ରହି ସମୀକ୍ଷା କରିଥିଲେ।
ବିଭିନ୍ନ ସମୟରେ ସୀମାରେ ପାକିସ୍ତାନ ଓ ଚୀନ ପକ୍ଷରୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରାଯାଉଥିବାରୁ ଭାରତ ପକ୍ଷରୁ ଏଭଳି ଆକ୍ରମଣାତ୍ମକ ପଦକ୍ଷେପ ନିଆଯାଇଛି।
ଏହାଦ୍ୱାରା ଚୀନ ଓ ପାକିସ୍ତାନ ପକ୍ଷରୁ ଏକ ସମୟରେ ଆକ୍ରମଣ ହେଲେ ମଧ୍ୟ ଭାରତ ଏହାର ଜବାବ ଦେଇପାରିବ। ଭାରତୀୟ ବାୟୁସେନା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପଶ୍ଚିମ ସୀମାରୁ ପୂର୍ବ ସୀମାରେ ପହଞ୍ଚିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
]]>