ଚାରିଆଡ଼େ କିଟି କିଟି ଅନ୍ଧାର... ଦୀପ ଜାଳି ମିଞ୍ଜି ମିଞ୍ଜି ଆଲୁଅରେ ଅକ୍ଷର ଚିହ୍ନୁଛନ୍ତି କୁନିକୁନି ପିଲା । ବହିରେ ସିନା 'ଅ'ରେ ଅରଟ, 'ଆ'ରେ ଆତ... ହେଲେ ୩ ମାସ ହେଲା ବିନା ବିଜୁଳିରେ ଚଳୁଥିବା ବସ୍ତିର ପିଲାଙ୍କ ପାଇଁ 'ଅ'ରେ ଅନ୍ଧାର... 'ଆ'ରେ ଆଉଟୁପାଉଟୁ ।
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ବି. କରୁଆବାହାଲ ପଞ୍ଚାୟତ ଅନ୍ତର୍ଗତ ଠେଲକୋଛପଲ ବସ୍ତି । ଗତବର୍ଷ ଡିସେମ୍ବରରେ ଏଠି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ, ଆଉ ତାକୁ ବଦଳାଯାଇନି କି ମରାମତି ହୋଇନି । ତେଣୁ ପ୍ରଥମ କିଛି ଦିନ ମହମବତି ଜାଳୁଥିଲେ ଲୋକେ ।
ହେଲେ ବସ୍ତିର ଗରିବ ଗୁରୁବା କେତେ ବା ମହମବତି କିଣିବେ... ଶେଷରେ ଡିବିରି ଓ ଦୀପରେ କାମ ଚଳୁଛି । ତେବେ ସବୁଠୁ ବେଶି ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । କେବଳ ଛୋଟ ପିଲା ନୁହଁନ୍ତି, ଏଠି ବହୁ ମାଟ୍ରିକ୍ ପଢ଼ୁଆ ପିଲା ବି ଅଛନ୍ତି । ମୁଣ୍ଡ ଉପରେ ମାଟ୍ରିକ୍ ପରୀକ୍ଷା ଥିବା ବେଳେ, ସେମାନେ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ପାଇଁ କିଭଳି ପ୍ରସ୍ତୁତ ହେଉଛନ୍ତି, ଏହା କେବଳ ସେମାନଙ୍କୁ ଜଣା ।
୩ ମାସ ହେଲା ଜଳିନି ବିଜୁଳି ଆଲୁଅ । ବଲବ ଫ୍ୟୁଜ୍ ହୋଇନି... ଫ୍ୟୁଜ୍ ହୋଇଯାଇଛି ବ୍ୟବସ୍ଥା । କେବଳ ୨ଶହ ପରିବାର ରହୁଥିବା ସୀମାନ୍ତବର୍ତ୍ତୀ ବସ୍ତିରେ ବତି ଗୁଲ୍ ହୋଇନି, ସତେ ଯେମିତି ଗୁଲ୍ ହୋଇଯାଇଛି ପ୍ରଶାସନର କାର୍ଯ୍ୟକାରିତା । ଲୋକେ କହିଛନ୍ତି, ଟ୍ରାନ୍ସଫର୍ମର ପୋଡ଼ିବା ପରେ ଟାଟା ପାୱାର୍ କର୍ମଚାରୀ ଏହାକୁ ମରାମତି କରିବାକୁ ଚେଷ୍ଟା କରିଥିଲେ ।
ହେଲେ ତାହା ସମ୍ଭବ ନହେବାକୁ ଛାଡ଼ି ଚାଲିଗଲେ ଯେ, ସେବେଠୁ ଆଉ କାହାର ଦେଖା ଦର୍ଶନ ନାହିଁ । ଲୋକେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟଠୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଦୌଡ଼ି ଦୌଡ଼ି ନୟାନ୍ତ । ସୀମା ଅଞ୍ଚଳରେ ରହୁଥିବା ଏହି ଅଞ୍ଚଳରେ ରାତି ହେଲେ ହାତୀ ପ୍ରାଦୁର୍ଭାବ ବଢ଼ୁଥିବାରୁ, ସଞ୍ଜ ନଇଁଲେ ଘର ଭିତରେ କବାଟ କିଳି ରହୁଛନ୍ତି ଆତଙ୍କିତ ଲୋକେ ।
ଲୋକଙ୍କ ଏହି ଅସୁବିଧା ଦେଖି ଟାଟା ପାୱାର ଗ୍ରୀଡ୍ ସବଷ୍ଟେସନକୁ ଯାଇ, ସେଠାରେ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିଥିଲା ଓଟିଭି ଟିମ୍ । ସେ କହିଛନ୍ତି, ବିଦ୍ୟୁତ ପୁନର୍ବାହାଲ ପାଇଁ ଅତିଶୀଘ୍ର ବ୍ୟବସ୍ଥା କରାଯିବ ଏବଂ ଯେତେ ଦିନ ଲୋକେ ବିଜୁଳି ବ୍ୟବହାର କରିନାହାନ୍ତି, ତାର ବିଲ୍ ଦେବାକୁ ପଡ଼ିବ ନାହିଁ ।
ତେବେ ଏଠି ପ୍ରଶ୍ନ ଉଠୁଛି, ବିଦ୍ୟୁତ ବିଲ୍ ନଆସିଲେ କ’ଣ ସବୁ ସମସ୍ୟାର ସମାଧାନ ହୋଇଯିବ? ବିଭାଗୀୟ ଉଦାସୀନତା ପାଇଁ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ଯେଉଁ କ୍ଷତି ସହିଲେ, ତାର ଭରଣା ହେବ କେମିତି ?
]]>କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ୍ ନେବେ, ସେମାନଙ୍କ ପାଇଁ ୧୦ ଟଙ୍କା ରିହାତି ଘୋଷଣା କରାଯାଇଛି । ସେହିପରି ଇଭି ଚାର୍ଜିଂ ପାଇଁ ୟୁନିଟ୍ ପିଛା ଦର ୫ ଟଙ୍କା ୫୦ରୁ ୫ ଟଙ୍କାକୁ ହ୍ରାସ କରାଯାଇଛି । ପ୍ରି-ପେଡ୍ ମିଟର ଥିବା ଉପଭୋକ୍ତାଙ୍କୁ ୪% ରିହାତି ମିଳିବ ବୋଲି ଘୋଷଣା ।
ସେହିପରି ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ଦର ୧ ଟଙ୍କା ୬୦ ପଇସା ହ୍ରାସ । ଅନ୍ୟପଟେ ଧାର୍ଯ୍ୟ ସମୟରେ ବିଲ୍ ଦେଲେ ଘରୋଇ ଉପଭୋକ୍ତାଙ୍କୁ ୧୦ ପଇସା ରିହାତି ବୋଲି ଘୋଷଣା କରିଛନ୍ତି ଓଇଆର୍ସି । ସେହିପରି ଆଜି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ମଧ୍ୟ ଘୋଷଣା କରିଛନ୍ତି ।
ଏହି ଯୋଜନାରେ ମାଗଣାରେ ମିଳିବ ବିଜୁଳି । ‘ପିଏମ୍ ସୂର୍ଯ୍ୟଘର’ ମାଗଣା ବିଜୁଳି ଯୋଜନା ହେଉଛି ଛାତ ଉପରେ ବସାଇବାକୁ ଥିବା ସୋଲାର ସ୍କିମ୍ । ଏଥିରୁ ପାଖାପାଖି ୧ ଲକ୍ଷ ଘର ମାଗଣା ବିଜୁଳିର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ପାଖାପାଖି ୭୫,୦୦୦ କୋଟି ଟଙ୍କା ନିବେଶ କରାଯିବ । ପ୍ରାୟ ୧ ଲକ୍ଷ ପରିବାର ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇ ପାରିବେ ।
ଏହି ଯୋଜନା ମାଧ୍ୟମରେ ଲୋକମାନେ ସେମାନଙ୍କର ଆୟ ବୃଦ୍ଧିରେ ସହାୟତା ପାଇବେ, ବିଦ୍ୟୁତ୍ ବିଲ୍ ହ୍ରାସ ହେବ ଓ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
]]>ଚାରିଆଡ଼େ ଜଙ୍ଗଲ । ଆଉ ଏହାରି ଭିତରେ ବସବାସ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ । ୪୦ ପରିବାରର ପ୍ରାୟ ୨ଶହ ଲୋକ ଏଠି ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ନାହିଁ ସରକାରଙ୍କ କୌଣସି ସୁବିଧା । ପହଞ୍ଚିନି ସହାୟତା କି ଏମାନେ ଦେଖିନାହାନ୍ତି ବିଜୁଳି ଆଲୋକ । ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାଗରସାହିର କଥା । ଏହା ଗାଁର ଗ୍ରାମବାସୀ ଯେମତି ପାଲଟିଛନ୍ତି ସରକାରଙ୍କ ସାବତ ପୁଅ ।
ଗାଁକୁ ଯିବାକୁ ରାସ୍ତାନାହିଁ । କୌଣସି ବ୍ୟକ୍ତିଙ୍କ ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି । ଫଳରେ ହଇରାଣ ହେଉଛନ୍ତି ରୋଗୀ । ସେହିପରି ଅଙ୍ଗନବାଡ଼ିଟିଏ ନଥିବାରୁ କୁନିକୁନି ପିଲାଙ୍କ ଶିକ୍ଷା ଉପରେ ପଡ଼ୁଛି ପ୍ରଭାବ । ଗାଁରେ ବିଜୁଳି ନଥିବାରୁ ରାତି ହେଲେ ସାପ ଓ ବନ୍ୟଜନ୍ତୁର ଭୟ ରହୁଛି । ଆଉ ସରକାରଙ୍କ ପକ୍କା ଘର ଯୋଜନା କଥା କହିଲେ ନସରେ । ଯାହାକୁ ନେଇ ବେଶ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ସେପଟେ ବାରମ୍ବାର କହିବା ସତ୍ତ୍ୱେ ମୌଳିକ ସୁଭିଧାରୁ ବଞ୍ଚିତ ଥିବାରୁ ଆଗକୁ ଆନ୍ଦୋଳନ କରାଯିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି ।
(ଉଦଳାରୁ ରବୀନ୍ଦ୍ର ନାୟକଙ୍କ ରିପୋର୍ଟ, ଓଟିଭି)
]]>ସନ୍ଧ୍ୟା ହେଲେ ଅନ୍ଧାର ରାଜ୍ । ରାୟଗଡ଼ା ଜିଲ୍ଲାରେ ଆଜି ବି ଲୋକ ବିଜୁଳି ଯୋଗାଣ ଭଳି ମୌଳିକ ସୁବିଧାରୁ ବଞ୍ଚିତ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ , ଆଦିବାସୀ କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବାସଭବନ ଠାରୁ ୨ କିଲୋମିଟର ଦୂରରେ ଥିବା ଚାଞ୍ଚଡ଼ାମୁଣ୍ଡୀ ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢା ସାରି ଦିଅନ୍ତି । ଆଉ ସନ୍ଧ୍ୟାପରେ ଏଠି ଅନ୍ଧାରରେ ରାତି ବିତାଉଛନ୍ତି ଲୋକେ । ବିଜୁଳି ଯୋଗାଣ ଲାଗି ଅନେକବାର ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ଏଠାକାର ଲୋକେ । ହେଲେ ଲୋକଙ୍କ ମୌଳିକ ସୁବିଧା ଏଟି ଆଜି ବି ଅପହଞ୍ଚ ।
ମନ୍ତ୍ରୀଙ୍କ ଅଞ୍ଚଳର କେବଳ ଏହି ଗୋଟିଏ ଗ୍ରାମ ନୁହଁ , ବିଷମକଟକ ନିର୍ବାଚନମଣ୍ଡଳିର ଡୁକୁମ ପଞ୍ଚାୟତର ଗଗନମତି ଓ ନାରୀଙ୍ଗପୋଙ୍ଗା ଗ୍ରାମରେ ମଧ୍ୟ ସମାନ ଅବସ୍ଥା l ଦୀର୍ଘବର୍ଷ ହେବ ବିଜୁଳି ବ୍ୟବସ୍ତା ନଥିବାରୁ ସଞ୍ଜ ହେଲେ ଗାଁରେ ତାଟିକବାଟ ପଡେ l କେବଳ ବିଜୁଳି ସମସ୍ୟା ରହିଛି ତାହା ନୁହେଁ ଗଗନମତି ଗାଁକୁ ଯିବାକୁ ରାସ୍ତା ନଥିବାରୁ ଲୋକେ ବର୍ଷବର୍ଷ ଧରି ନାନା ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି ।
ଆଦିବାସୀଙ୍କ ଲାଗି ନାନା ଯୋଜନା ହେଉଛି, ହେଲେ ଆଦିବାସୀ କଲ୍ୟାଣମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦୀପତଳ ଅନ୍ଧାର ଭଳି ସ୍ଥିତି ବୟାନ କରୁଛି ଯେ ଲୋକଙ୍କୁ କେତେ ମୌଳିକ ସୁବିଧା ମିଳୁଛି।
(ବିଷମକଟକରୁ ଗୌରୀପାତ୍ରଙ୍କ ରିପୋର୍ଟ)
]]>ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର । ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର । ହେଲେ ଗତ ୩ ମାସ ହେଲା ଜଳଭଣ୍ଡାରରେ ଗଚ୍ଛିତ ଜଳର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିନି। ବର୍ଷା ଅଭାବରୁ ବର୍ତ୍ତମାନ ଜଳସ୍ତର କମି ମାତ୍ର ୬୩୧.୯୭ ମିଟର ରହିଛି। ଯାହାକି ଗତବର୍ଷ ତୁଳନାରେ ୫୫ ପ୍ରତିଶତ କମ୍। ଫଳରେ ଆଉ ମାତ୍ର ୬ ମିଟର ଜଳ କମିଗଲେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବ । ଖାଲି ସେତିକି ନୁହେଁ, ଜଳଭାବ ଚାଷକାର୍ଯ୍ୟକୁ ବି ପ୍ରଭାବିତ କରିପାରେ ବୋଲି ଆଶଙ୍କା କରୁଛନ୍ତି ଚାଷୀ।
ତେବେ ଡ୍ୟାମର କାର୍ଯ୍ୟନିର୍ବାହୀ ଇଂଜିନିୟର କହିଛନ୍ତି, ଆଗାମୀ ଦିନରେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ସୁଧୁରିବାର ଆଶା ରହିଛି।
ସେପଟେ କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ ବି ସମାନ ସ୍ଥିତି। ଅନିୟମିତ ବର୍ଷା ଯୋଗୁ ଭଣ୍ଡାରର ଜଳଧାରଣ କ୍ଷମତା ୮୫୮ ମିଟର ଥିବାବେଳେ, ବର୍ତ୍ତମାନ ସୁଦ୍ଧା ୮୫୨.୩୧ ମିଟର ପାଣି ଭରିଛି। ଗତବର୍ଷ ଏଇ ସମୟ ବେଳକୁ ୮୫୩.୨୮ ମିଟର ଜଳ ଗଚ୍ଛିତ ଥିଲା।
ତେଣୁ ଆଗାମୀ ୨ ମାସରେ ନନ୍ଦପୁର, ସେମିଳିଗୁଡା, ପଟାଙ୍ଗୀ, କୋରାପୁଟ ଓ ସୁନାବେଡା ଭଳି ଉପରମୁଣ୍ଡରେ ବର୍ଷା ନହେଲେ ସ୍ଥିତି ବିଗିଡିପାରେ ବୋଲି ଆଶଙ୍କା କରାଯାଉଛି। ବିଦ୍ୟୁତ ଉତ୍ପାଦନ, ରବିରେ ଜଳସେଚନ ସହ ପାନୀୟ ଜଳଯୋଗାଣରେ ବି ସଙ୍କଟ ଦେଖାଦେଇପାରେ। ଏ ସଂକ୍ରାନ୍ତରେ ଅପର୍ କୋଲାବର ଯନ୍ତ୍ରୀ ରାମ କୁମାର ବେହେରା ଆଶା ପ୍ରକାଶ କରିଛନ୍ତି ଯେ, ଆଗକୁ ଆହୁରି ବର୍ଷା ହେବାକୁ ଥିବାରୁ ଜଳସ୍ତର ସ୍ୱାଭାବିକ ହୋଇଯିବ ।
ବର୍ଷାଦିନ ସରି ସରି ଆସୁଥିବା ବେଳେ ମାଲକାନଗିରି ବାଲିମେଳା ଜଳଭଣ୍ଡାର ବି ଖାଲି ପଡିଛି। ଜଳଭଣ୍ଡାରର କ୍ଷମତା ୧୫୧୬ ଫୁଟ୍ ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୪୭୩ ଫୁଟ୍ ରହିଛି। ବର୍ଷା ଅଭାବରୁ ଏଠିବି ଦେଖାଦେଇପାରେ ଜଳ ସଙ୍କଟ।
]]>ସୂଚନା ଅନୁସାରେ, NTPC କଣିହାରୁ ତାମିଲନାଡୁ ବାର୍ଷିକ ପ୍ରାୟ ୩ ହଜାର ନିୟୁତ ୟୁନିଟ୍ ବିଦ୍ୟୁତ କିଣୁଛି । ତାକୁ ୟୁନିଟ୍ ପିଛା ଦେବାକୁ ପଡୁଛି ୨ଟଙ୍କା ୫୩ ପଇସା । ହେଲେ ସେହି ସମାନ ଜାଗାରୁ ଗ୍ରୀଡ୍କୋ କିଣୁଥିବା ବିଦ୍ୟୁତ୍ ୟୁନିଟ୍ ପିଛା ଦର ରହିଛି ୨ ଟଙ୍କା ୮୩ ପଇସା । ଅର୍ଥାତ୍ ଗୋଟିଏ ୟୁନିଟ୍ ବାବଦରେ ସିଧା ୩୦ ପଇସା ଉଚ୍ଚା । ୨୦୨୧-୨୨ରେ ତାମିଲନାଡୁ ଜେନେରସନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍କୁ ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ୍-୨ ୟୁନିଟ୍ ପିଛା ମାତ୍ର ୨ଟଙ୍କା ୫୩ ପଇସାରେ କିଣିବାକୁ ସ୍ପଷ୍ଟ ଭାବେ ଅନୁମୋଦନ ଦେଇଛି ତାମିଲନାଡୁ ବିଦ୍ୟୁତ ନିୟାମକ ଆୟୋଗ । ହେଲେ ଓଡ଼ିଶା କିନ୍ତୁ କିଣୁଛି ୨ଟଙ୍କା ୮୩ ପଇସାରେ ।
ଏଠି ପ୍ରଶ୍ନ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଏକଥା ଜାଣିଛି ନା ଜାଣି ନଜାଣିଲା ଭଳି ଅଭିନୟ କରୁଛି ? ତେବେ ଏଭଳି ଖେଳ କୋଟି କୋଟି ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ କାଳ ବୋଲି କହିଛି ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ । ଭାରତୀୟ ବିକାଶ ପରିଷଦ ଏହା ପଛରେ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରିବା ସହ ଏହାର ସିବିଆଇ ତଦନ୍ତ ଦାବି କରିଛି ।
ଓଡ଼ିଶାରୁ ବିଜୁଳି ବିକ୍ରି ହେଉଛି, ହେଲେ ଓଡ଼ିଶାଠାରୁ ଶସ୍ତାରେ ପାଉଛି ତାମିଲନାଡୁ ? କେମିତି ସମ୍ଭବ ? ଘଣ୍ଟାଚକଟା ଭିତରେ ତଥ୍ୟ ଆହୁରି ମଧ୍ୟ କହୁଛି-ତାମିଲନାଡୁର ପ୍ରାୟ ୩ କୋଟି ବିଦ୍ୟୁତ୍ ଗ୍ରାହକ ଶସ୍ତାରେ ବିଜୁଳି ପାଉଛନ୍ତି । ହେଲେ ଓଡ଼ିଶାର ପ୍ରାୟ ୧ କୋଟି ଗ୍ରାହକ ଚଢା ଦରରେ କିଣୁଛନ୍ତି । ଓଡ଼ିଶାରେ ଥିବା ତାପଜ ବିଦ୍ୟୁତ ପ୍ଲାଂଟରୁ ଓଡ଼ିଶା ଚଢ଼ା ଦରରେ ବିଜୁଳି କିଣିବାକୁ କେମିତି ଅନୁମୋଦନ ଦେଉଛି ଓଇଆରସି ? ବିଜୁଳି କିଣିବାକୁ ଏନଟିପିସି ସହ ଚୁକ୍ତି କଲାବେଳେ ଅନ୍ୟ ରାଜ୍ୟମାନେ କେଉଁ ଦରରେ କିଣୁଛନ୍ତି ତାର ଅନୁଧ୍ୟାନ କରୁନାହିଁ କି ? ଜବାବରେ ଓଇଆରସି ଲୋକ ସଂପର୍କ ଅଧିକାରୀ କହିଛନ୍ତି-ବିଦ୍ୟୁତ୍ ଶୁଳ୍କ ବଢ଼ାଇବା ବେଳେ ଓଇଆରସି ସବୁ ପକ୍ଷଙ୍କ ସହ ଆଲୋଚନା କରେ । ତାମିଲନାଡୁ ଅପେକ୍ଷା ଓଡ଼ିଶା କାହିଁକି ଅଧିକ ଦରରେ କିଣୁଛି, ତା ଉତ୍ତର ଗ୍ରୀଡ୍କୋ ଦେଇପାରିବ ବୋଲି କୁହାଯାଉଛି ।
ଓଇଆରସି ନା ଗ୍ରୀଡ୍କୋ ? କାହା ଷଡ଼ଯନ୍ତ୍ରରୁ ବିଦ୍ୟୁତ୍ ବିଲ୍ର ଅଧିକା ବୋଝ ବୋହୁଛନ୍ତି ଓଡ଼ିଶାର ଗ୍ରାହକ ? ଏ ସଂପର୍କରେ କିନ୍ତୁ ଗ୍ରୀଡ୍କୋ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
]]>ଏଥିରୁ ଯେଉଁ ଶକ୍ତି ଉତ୍ପନ୍ନ ହେବ, ସେଥିରେ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଛୋଟ ଛୋଟ ବିଦ୍ୟୁତ ଉପକରଣକୁ ଚାର୍ଜ କରାଯାଇପାରିବ । ଏପରିକି ଆପଣ ବ୍ୟବହାର କରୁଥିବା ଏଥିରେ ସହଜରେ ଚାର୍ଜ ହୋଇପାରିବ ବୋଲି ବିଶେଷଜ୍ଞମାନେ ଯୁକ୍ତି ବାଢ଼ିଛନ୍ତି ।
ତେବେ କୌଣସି ବି ଶକ୍ତିକୁ ବିଦ୍ୟୁତରେ ରୁପାନ୍ତରିତ କରିବା ନୂଆ କଥା ନୁହେଁ । ଏମିତି ବିଭିନ୍ନ ଶକ୍ତିକୁ ବିଦ୍ୟୁତ ଶକ୍ତିରେ ରୁପାନ୍ତରିତ କରି ବ୍ୟବହାର କରାଯାଉଥିବାର ନଜିର ରହିଛି । ଯେମିତି ସୌର ଶକ୍ତି, ତାପଜ ଶକ୍ତି ଆଦିରୁ ବିଭିନ୍ନ ବିଦ୍ୟୁତ ଉପକରଣ ବ୍ୟବହାର କରାଯାଉଛି । ଏହା ଦୁଇ ସେଣ୍ଟିମିଣ୍ଟରର ଏକ ୟୁ ଆକାରର ମେଟାଲ । ଯାହା ସାହାଯ୍ୟରେ ଶକ୍ତି ଉତ୍ପନ୍ନ କରାଯିବ । ଛୋଟଛୋଟ ଇଲେକ୍ଟ୍ରୋନିକ୍ ଡିଭାଇସ ବ୍ୟବହାର କରିବା ପାଇଁ ଏହି ଶକ୍ତି ଯଥେଷ୍ଟ ବୋଲି, ବିଶେଷଜ୍ଞ ଯୋଶିମୁରା କହିଛନ୍ତି ।
]]>ଏଠାରେ ବୈଜ୍ଞାନିକମାନେ ଏମିତି ଏକ ରାସ୍ତା ନିର୍ମାଣ କରିଛନ୍ତି । ଯେଉଁଥିରେ ଚାଲିଲେ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଲୋକମାନେ ସକାଳୁ ଏହି ରାସ୍ତାରେ ମର୍ଣ୍ଣିଂ ୱାକ୍ କରିଥାନ୍ତି । ଆଉ ଏହି ସମୟରେ ଏଥିରୁ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଯାହାକୁ ସଂଗ୍ରହ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ମଧ୍ୟ କରାଯାଇଥାଏ । ତେବେ ବର୍ତ୍ତମାନ ସମୟରେ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଜନକ ।
କାରଣ ଭବିଷ୍ୟତ ପିଢ଼ି ପାଇଁ ଆମର ପ୍ରାକୃତିକ ସମ୍ପଦ ଧିରେ ଧିରେ ସରି ଆସୁଥିବା ବେଳେ ଏଭଳି ଉଦ୍ଭାବନ ନିହାତି ଭାବେ ମଣିଷ ଜାତି ପାଇଁ ଲାଭଦାୟକ । କାରଣ ଏବେ ବି ସାରା ବିଶ୍ୱରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ବିଦ୍ୟୁତ ସେବା ପହଞ୍ଚି ପାରିନି । ଆଉ କିଛି ଦେଶରେ ବିଦ୍ୟୁତ ସେବା ରହିଥିଲେ ବି ତାହା ଯଥେଷ୍ଟ ହୋଇନଥାଏ । ଏମିତିକି ଆମ ଭାରତ ତଥା ଓଡ଼ିଶାରେ ମଧ୍ୟ ବିଦ୍ୟୁତ ସଂକଟ ଦେଖାଦେଇଥାଏ । ଜଳ ଭଣ୍ଡାରରୁ ଜଳ ରାଶି କମିଗଲେ ଆମେ ବିଦ୍ୟୁତ ଅଭାବ ଅନୁଭବ କରିଥାଉ ।
ୟୁକେର ଟେଲଫୋର୍ଡରେ ଥିବା ଏକ ପୁଟ୍ପାଥ୍ରେ ଏଭଳି ବ୍ୟବସ୍ଥା କରାଯାଇଛି ବା ଏଭଳି ଏକ ମ୍ୟାଟେରିଆଲ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଲୋକ ଚାଲିବା ବା ଦୌଡ଼ିବା ଫଳରେ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏଥିରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବ୍ୟବହାର ହୋଇଛି । ଏକ ପତଳା ଚାଦର ବା ପିଚୁ ଚାଦର ଭଳି ଏହାକୁ ପ୍ରସ୍ତୁତ କରାଯାଇ ରାସ୍ତାରେ ପକାଯାଇଛି । ଫୁଟ୍ପାଥ୍ରେ ପଡ଼ିଥିବା ସେହି ଚାଦର ଉପରେ ଚାଲିଲେ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏହି ପୁଟ୍ପାଥ୍ କାଇନେଟିକ୍ ଡାନ୍ସ ଫ୍ଲୋର ସମ୍ମୁଖରେ ରହିଛି । ତେବେ ଲୋକମାନେ ଏଥିରେ ଚାଲିବା ଫଳରେ ଏଥିରେ କେତେ ମାତ୍ରାରେ ବିଦ୍ୟୁତ ଉତ୍ପାଦନ ହେଉଛି ସେନେଇ ଏକ ଏଲଇଡି ବୋର୍ଡରେ ପ୍ରକାଶ ପାଉଛି । ଆଉ ଏହି ଏଲ୍ଇଡି ବୋର୍ଡ ସୋଲାର ବିଦ୍ୟୁତ ଦ୍ୱାରା ପରିଚାଳିତ ।
ସବୁଠାରୁ ବଡ଼ କଥା ହେଲା, ଏହି ଟେକ୍ନୋଲୋଜି ସେହି ସମୟରେ ସାମ୍ନାକୁ ଆସିଲା ଯେତେବେଳେ, ପୁରା ବିଶ୍ୱ ବିଦ୍ୟୁତ ଶକ୍ତିକୁ ନେଇ ଚିନ୍ତା ପ୍ରକଟ କରୁଛି । ସେପଟେ ଜଳବାୟୁ ସମ୍ମିଳନୀ COP27 ମଧ୍ୟ ଚାଲିଛି । ଏହି ସମ୍ମିଳନୀରେ ଜଳବାୟୁକୁ ନେଇ ନେତାମାନେ ନିଜ ନିଜର ମତ ରଖୁଛନ୍ତି । ସେଥିରେ ଜୀବାସ୍ମ ଇନ୍ଧନ ଉପରେ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି ।
]]>ଡିବିରି ଆଲୁଅରେ ବିତୁଛି ଜୀବନ । ବିଜୁଳିବତୀ ସାତ ସପନ ହୋଇପଡ଼ିଛି । ଦେଶ ପାଳୁଛି ସ୍ୱାଧୀନତାର ସ୍ୱର୍ଣ୍ଣିମ ୭୫ବର୍ଷ, ଅଥଚ ଏଠି ସଞ୍ଜ ନଇଁଲେ ଖୋଜାପଡ଼େ ଡିବିରି, ଲଣ୍ଠନ । ଏଭଳି ଦୃଶ୍ୟ ହେଉଛି କୋଇଡ଼ା ବ୍ଲକ ପାଟମୁଣ୍ଡା କଦମଢ଼ି ଗାଁର । ଯେଉଁଠି ଡିବିରି ଆଲୁଅରେ ଗଢ଼ା ହେଉଛି ଭବିଷ୍ୟତ । କେନ୍ଦୁଝର-ସୁନ୍ଦରଗଡ଼ ସୀମାରେ ଥିବା ଗାଁ ଲୋକଙ୍କ ପାଇଁ ଟିଭି, ମୋବାଇଲ୍ର ମାନେ କିଛି ନାହିଁ । ୨ଶହରୁ ଅଧିକ ପରିବାର ବସବାସ କରୁଥିବା ସେହି ଗାଁ ଲୋକେ ବିଜୁଳି ସଂଯୋଗ ପାଇଁ ଗୁହାରି କରି କରି ଥକିଗଲେଣି । ତେଣୁ ଭୋଟ ବର୍ଜନକୁ ଶେଷ ଅସ୍ତ୍ର କରିବେ ବୋଲି ଚେତାବନୀ ଦେଲେଣି । ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି, ଗାଁକୁ ବିଜୁଳି ସଂଯୋଗ ପାଇଁ ସେ ସ୍ୱତନ୍ତ୍ର ଦୃଷ୍ଟି ଦେବେ ।
ଅନ୍ଧାରୀ ମୂଲକରେ ନିରୀହ ମଣିଷମାନେ କେମିତି ଭୋଗୁଛନ୍ତି ବିଜୁଳି ଯନ୍ତ୍ରଣା, ତାହା ମୟୂରଭଞ୍ଜ ଜିଲ୍ଲା ଶାଳଚୁଆ ପଞ୍ଚାୟତ ସାଗରସାହିରେ ଦେଖିବାକୁ ମିଳିଛି ।ବିଦ୍ୟୁତ୍ ବିଭାଗ କିନ୍ତୁ ଏଠି ଖେଳିଛି ବିଚିତ୍ର ଖେଳ । ଗାଁ ଲୋକଙ୍କ ବାରମ୍ବାର ଧାରଣା ଓ ଆନ୍ଦୋଳନ ପରେ ଧର୍ମକୁ ଆଖିଠାର ମାରିଲା ଭଳି ଲୋକଙ୍କ ଘରେ ସୁଇଚ୍ ବୋର୍ଡ ଓ ମିଟର ବସାଇ ଦେଇଛି । କିନ୍ତୁ ଗାଁକୁ ଗୋଟିଏ ବି ବିଦ୍ୟୁତ୍ ଖୁଣ୍ଟ ପଡ଼ିନି । ଏଣେ ବିଜୁଳି ଆଲୁଅର ସ୍ୱପ୍ନ ଦେଖୁଥିବା ଆଦିବାସୀ ମଣିଷମାନଙ୍କୁ ମହଙ୍ଗା ବଜାରରୁ କିରୋସିନି ଲିଟର ଶହେ ଟଙ୍କାରେ କିଣି ଡିବିରି ଜାଳି ବଞ୍ଚିବାର କଷ୍ଟ କେତେ ବାଧୁଛି, ତାହା ନକହିବା ଭଲ । ଶୀଘ୍ର କରେଣ୍ଟ ନଆସିଲେ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
ରାୟଗଡ଼ା ଜିଲ୍ଲା ନାକିଟି ପଞ୍ଚାୟତର ଚିତ୍ର ତ ଆହୁରି ଚିନ୍ତାଜନକ । ଆଜିକୁ ୨ବର୍ଷ ହେଲାଣି ଅନ୍ଧାରରେ ଜୀବନ କାଟୁଛନ୍ତି ଟୁଡୁଲେଲେରୀ,ପାଙ୍ଗାଲେଲେରୀ, ପରମଝୋଲା ଓ କାଲୁଗାଁର ଶତାଧିକ ପରିବାର । ବିଦ୍ୟୁତ୍ ବିଲ୍ ସମସ୍ୟାରୁ ଲାଇନ୍ କାଟିଦେଲା ବିଦ୍ୟୁତ୍ ବିଭାଗ, ହେଲେ ଆଉ ସଂଯୋଗ କରୁନି । ଉପଭୋକ୍ତାଙ୍କ ଅଭିଯୋଗ ଯେ ପ୍ରତି ମାସ ବିଲ୍ ପରିବର୍ତ୍ତେ ହଠାତ୍ ଏକା ଥରକେ ଆସିଥିଲା ୩ ବର୍ଷର ବିଲ୍ । ଅଭାବୀ ମଣିଷମାନେ ହଠାତ୍ ଏତେ ଟଙ୍କା ଭରଣା କରିବାକୁ ଅସମର୍ଥ ହୋଇପଡ଼ିବାରୁ କଟିଯାଇଛି ଲାଇନ୍ । ଦିନରେ ଗରମ, ରାତିରେ ଅନ୍ଧାରର ରାଜୁତି ସମସ୍ୟା ନେଇ ବିଦ୍ୟୁତ୍ ବିଭାଗର ପ୍ରତିକ୍ରିୟା ମିଳିନି । ହେଲେ ବିଡିଓ କହିଛନ୍ତି ଆଲୋଚନା କରି ସମାଧାନ କରିବେ ।
ଓଡ଼ିଶାର ଶତ ପ୍ରତିଶତ ଗାଁକୁ ୨୦୧୮ ଏପ୍ରିଲ୍ରୁ ବିଜୁଳି ସଂଯୋଗ ସରିଥିବା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଅନ୍ଧାରୀ ଗାଁର ଏସବୁ ମାଳ ମାଳ ଚିତ୍ର, ସତେ ଯେମିତି ବଡ଼ ମିଛ ଉପରୁ ପରଦା ହଟାଇ ଦେଉଛି ।
(ରିପୋର୍ଟର- କୋଇଡ଼ାରୁ ସୁନୀଲ ପଣ୍ଡା, ଉଦଳାରୁ ମାନସ ପାଣି ଓ ରାୟଗଡାରୁ ମାଉ଼ଡି ବାରିକ)
]]>ନାଲକୋର ଅଚଳବସ୍ଥା କିପରି ଦୂର କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ କୋର୍ଟଙ୍କୁ ପରବର୍ତ୍ତୀ ଶୁଣାଣିରେ ଜଣାଇବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ କୋର୍ଟଙ୍କ ପୂର୍ବ ଅନ୍ତରୀଣ ଆଦେଶ ଅନୁସାରେ ନାଲକୋକୁ କିଛି ରେକ ଯୋଗାଇଦିଆଯାଇଛି ବୋଲି ସତ୍ୟପାଠ ଦାଖଲ ହୋଇଛି । ତେବେ ଅନ୍ତରୀଣ ଆଦେଶ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
]]>ହେଲେ ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଲେଣି ଉପଭୋକ୍ତା ଓ ବିଶେଷଜ୍ଞ । ପାୱାର ଆନାଲିସିଷ୍ଟଙ୍କ ମତରେ, ରାଜ୍ୟରେ ପିକ୍ ଓ ଅଫ୍-ପିକ୍ ବିଜୁଳି ଚାହିଦାରେ ବଡ଼ ପାର୍ଥକ୍ୟ ରହୁଛି । ଏଣୁ ବିଦ୍ୟୁତ୍ ଯୋଗାଣ ନିରନ୍ତର ହୋଇପାରୁନି । ଉପଭୋକ୍ତା ସଂଘ କହୁଛି, ଯଦି ବିଜୁଳି କାଟ ହେଉଛି, ତାହାହେଲେ ଏଥିପାଇଁ ବିଦ୍ୟୁତ୍ ସଂଚାରଣ ଓ ବିତରଣ କମ୍ପାନି ସମ୍ପୂର୍ଣ୍ଣ ଭାବେ ଦାୟୀ । ଶିଳ୍ପ ସଂଘ କହିଲାଣି, ସରକାର ଏବେଠୁ ବ୍ୟବସ୍ଥା ନ କଲେ, ଆଗକୁ ବଢ଼ିବ ବିଜୁଳି କାଟ, ଏମ୍ଏସ୍ଏମ୍ଇରେ ତାଲା ପଡ଼ିବ ।
ଲୋକଙ୍କ କହିବା କଥା, ବିଦ୍ୟୁତ୍ ବିଲ୍ ନେଲା ବେଳକୁ ତ ଟାଇମ୍ରେ ନେଇଯାଉଛନ୍ତି । ହେଲେ ସେହି ହିସାବରେ ସେବା ଯୋଗାଉନି ବିଦ୍ୟୁତ୍ ବଣ୍ଟନ କମ୍ପାନି ।
କୋଇଲା ଅଭାବରୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ସମେତ ଦେଶର ବିଭିନ୍ନ ରାଜ୍ୟରେ ଉତ୍କଟ ହୋଇଛି ବିଜୁଳି ସଙ୍କଟ । ଗ୍ରୀଷ୍ମ ଆରମ୍ଭରୁ ଦେଶର ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକରେ କୋଇଲା ମହଜୁଦ୍, ୯ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଆସିଛି । ଅନ୍ୟପଟେ ଏବର୍ଷ ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ୩୮ ବର୍ଷରେ ସର୍ବାଧିକ ରହିବ ବୋଲି ଆକଳନ କରାଯାଉଛି । ହେଲେ ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ ବିଦ୍ୟୁତ୍ କାଟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଶେଷଜ୍ଞ ଓ ଉପଭୋକ୍ତା ସଂଘ ।
ରାଜ୍ୟର ବିଦ୍ୟୁତ ପ୍ଲାଣ୍ଟ ସମେତ କ୍ଷୁଦ୍ର ଶିଳ୍ପକୁ ତୁରନ୍ତ କୋଇଲା ଲିଙ୍କେଜ ଯୋଗାଇବା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ-ୟୁସିସିଆଇ । ସଂଘ କହିଛି, ରାଜ୍ୟର ପାୱାର ପ୍ଲାଣ୍ଟଗୁଡ଼ିକରେ ଅତିକମ୍ରେ ୧୫ ଦିନର କୋଇଲା ମହଜୁଦ ରହିବା କଥା । ହେଲେ ସେମାନଙ୍କ ପାଖରେ ଏବେ ମାତ୍ର ୨ ଦିନର ଷ୍ଟକ ରହିଛି । ଯଦି ଏବେଠୁ ସେମାନଙ୍କ ଲାଗି କୋଇଲା ବ୍ୟବସ୍ଥା ନ କରାଯିବ, ଆସନ୍ତା ମାସରୁ ରାଜ୍ୟରେ ବିଦ୍ୟୁତ୍ କାଟ ବଢ଼ିବ । ଏମିତିକି କୋଇଲା ଅଭାବରୁ ବହୁ ଏମ୍ଏସ୍ଏମ୍ଇରେ ତାଲା ପଡ଼ିଯିବ ।
ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ନିକଟରେ ସମ୍ପୂର୍ଣ୍ଣ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଟାଟା ପାୱାର ହାତକୁ ଟେକିଦେଇଛନ୍ତି ରାଜ୍ୟ ସରକାର । ଏବେ ଅପେକ୍ଷା ରହିଛି, କେବେ ଓ କିଭଳି ବିଦ୍ୟୁତ୍ ବଣ୍ଟାରେ ସୁଧାର ଆଣୁଛି ଟାଟା ପାୱାର ।
]]>ଏହାଛଡ଼ା ପଞ୍ଜାବ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ମଧ୍ୟ ବିଜୁଳି ସଂକଟ ଦେଖାଦେଇଛି । ମହାରାଷ୍ଟ୍ରକୁ ଆବଶ୍ୟକଠାରୁ ୧୧ ଗିଗାଓ୍ୱାଟ୍ ବିଜୁଳି କମ୍ ମିଳିଛି । କୋଇଲା ଅଭାବରୁ ରାଜ୍ୟରେ ୩୫ ପ୍ରତିଶତ ବିଜୁଳି ଉତ୍ପାଦନ କମିଛି ବୋଲି ସୂଚନା ଦିଆଯାଇଛି । ଦେଶରେ ୭୦ ପ୍ରତିଶତ ବିଜୁଳି ଉତ୍ପାଦନ କୋଇଲା ଉପରେ ନିର୍ଭର କରିଥାଏ । ହେଲେ ଏହାର ଅଭାବ ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ତେବେ ରାଜ୍ୟଗୁଡ଼ିକୁ କୋଇଲା ଗଛିତ ରଖିବାକୁ କହିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
କୋଇଲା ଅଭାବ ଯୋଗୁଁ ଆଗକୁ ଆହୁରି ଅଧିକ ବିଜୁଳି ସଂକଟ ଦେଖାଦେବ । ଏହା ଫଳରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହେବା ସହ ସାମାଜିକ ଭିତ୍ତିଭୂମି ମଧ୍ୟ ଭୁଶୁଡ଼ିବା ଆଶଙ୍କା ରହିଛି । ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରାଯାଉଛି । ସେପଟେ ଦିଲ୍ଲୀରେ ମଧ୍ୟ ବିଜୁଳି ସଂକଟ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।
ଦିଲ୍ଲୀରେ ବିଜୁଳି ସଂକଟ ନେଇ କେନ୍ଦ୍ର ସରକାର ଓ ପରିଚାଳନାଗତ ତ୍ରୁଟିକୁ ଦୋଷ ଦେଇଛନ୍ତି ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସେ କହିଛନ୍ତି ଯେ, ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉ ନାହିଁ ଏଣୁ ବିଜୁଳି ଚାହିଦା ଭରଣା ଲାଗି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାଏ । ଏନ୍ଟିପିସି ବିଜୁଳି ଉତ୍ପାଦନ କମାଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।
ତେବେ ଦେଶରେ କୋଇଲା ସଂକଟ ଯୋଗୁଁ ଅନ୍ଧକାର ଘୋଟିବା ଆଶଙ୍କା ଭିତରେ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମୀକ୍ଷା କରିଥିବା ବେଳେ, ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ଯଥେଷ୍ଟ ପରିମାଣର କୋଇଲା ମହଜୁଦ୍ ଥିବା ସରକାର କହୁଥିବାବେଳେ, ସାପ୍ତାହିକ ବିଜୁଳି କାଟ ଏବେ ଶକ୍ତି ସଂକଟର ଭୟ ସୃଷ୍ଟି କରିଛି ।
ସରକାରଙ୍କ ତଥ୍ୟ ଅନୁସାରେ, ଦେଶର ୧୩୫ଟି ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟରୁ ୧୧୫ଟି ବିଦ୍ୟୁତ କେନ୍ଦ୍ର କୋଇଲା ଅଭାବର ସାମନା କରିଛି । ଏଣୁ ବିଜୁଳି ସଂକଟ ଆଶଙ୍କାକୁ ଏଡ଼ାଇବା ଲାଗି ଆବଣ୍ଟିତ ହୋଇନଥିବା ବିଜୁଳି କୋଟାର ଉପଯୋଗ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର କହିଛନ୍ତି ।
]]>ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଆବେଦନ ହୋଇସାରିଛି । ସେସୁକୁ ଅଧିଗ୍ରହଣ କରିବା ପରେ ସେଠାରେ ଭିତ୍ତିଭୂମିର ବିକାଶ ପାଇଁ ୯୧୦ କୋଟି ୩୭ ଲକ୍ଷ ଟଙ୍କା, ନେସ୍କୋରେ ୨୭୫ କୋଟି,ୱେସ୍କୋରେ ୪୬୨ କୋଟି ୪୨ ଲକ୍ଷ ଏବଂ ପୂର୍ବରୁ ସାଉଥ୍ କୋ ଅଧିନରେ ଆସୁଥିବା ଅଞ୍ଚଳ ପାଇଁ ୪୦୮ କୋଟି ୪୭ ଲକ୍ଷ ଟଙ୍କା ନିବେଶ ପାଇଁ ଅନୁମତି ଦେବାକୁ ନିବେଦନ କରିଛି କଂପାନୀ । ୨୦୨୨ ସୁଦ୍ଧା ଏ ସମସ୍ତ ଟଙ୍କା ଖର୍ଚ୍ଚ କରିବ କଂପାନୀ । ଲାଇନ୍, ସବ୍ ଷ୍ଟେସନ, ଉତ୍କୃଷ୍ଟ ଧରଣର ବିଦ୍ୟୁତ ଉପକରଣ, ଆଇଟି ସେକ୍ଟରରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର କରିଛି କଂପାନୀ ।ତେବେ ଓଇଆରସିଙ୍କ ଶୁଣାଣି ବେଳେ ଏହି ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ଓଡିଶା ଉପଭୋକ୍ତା ମହାସଂଘ । କାହିଁକି ନା ଖର୍ଚ୍ଚ ହେବାକୁ ଥିବା ପ୍ରାୟ ୨ ହଜାର କୋଟି ଲୋକଙ୍କ ଠାରୁ ହିଁ ଆଦାୟ କରିବ ସଂସ୍ଥା ।
ବଡ କଥା ହେଲା ନିବେଶ ପାଇଁ କରିଥିବା ନିବେଦନରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିରେ ହୋଇଥିବା ନିମ୍ନମାନର କାମକୁ କାରଣ ଦର୍ଶାଇଛି କଂପାନୀ । ମୁଖ୍ୟତଃ ଭଙ୍ଗା ଖୁଣ୍ଟ, ଦୁର୍ବଳ ଆର୍ଥିଂ ବ୍ୟବସ୍ଥା, ଦୁର୍ବଳ ବିତରଣ ସବ୍ଷ୍ଟେସନ, ପ୍ରାଇମେରି ସବ୍ଷ୍ଟେସନର ଦୁରାବସ୍ଥା, ଅସ୍ଥାୟୀ ପୁନରୁଦ୍ଧାର କାମ ଓ ସୁରକ୍ଷା ଉପକରଣର ଅଭାବ ଯାହାକୁ ନେଇ ଏବେ ବିଦ୍ୟୁତ ବିଭାଗ ସନ୍ଦେହ ଘେରରେ । ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନା, ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା, ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତିକରଣ ଭଳି ୧୦ରୁ ଅଧିକ ଯୋଜନାରେ ଆଜି ଯାଏଁ ପ୍ରାୟ ୩୭ ହଜାର କୋଟି ଖର୍ଚ୍ଚ କରିଛନ୍ତି ସରକାର । ଏହା ବାଦ୍ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପରେ ସ୍ୱତନ୍ତ୍ର ପ୍ୟାକେଜ୍ ବି ଦିଆଯାଉଛି । ବିରୋଧୀ ଏବେ ଏସବୁ ଟଙ୍କାର ହିସାବ ମାଗିବା ସହ ତଦନ୍ତ ଦାବି କରିଛନ୍ତି । ସେପଟେ ନିଷ୍ପତ୍ତି ଓଇଆରସିଙ୍କ ଉପରେ ବୋଲି ଶକ୍ତିମନ୍ତ୍ରୀ କହିଥିବା ବେଳେ ନିମ୍ନମାନର କାମ ଉପରେ କିନ୍ତୁ ପ୍ରତିକ୍ରିୟା ରଖିନାହାନ୍ତି ।
୨୦୧୦ରେ ମଧ୍ୟ ରାଜ୍ୟରେ ଭିତ୍ତିଭୂମିର ବିକାଶ ପାଇଁ ୨୪ ଶହ କୋଟି ଟଙ୍କାର କାପେକ୍ସ ଫଣ୍ଡ ଘୋଷଣା କରିଥିଲେ ସରକାର । ହେଲେ ୬ ବର୍ଷରେ ମାତ୍ର ୯ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ଯୋଜନା ଅଧାରୁ ହିଁ ବନ୍ଦ ହୋଇଥିଲା । ଏନେଇ ଟାଟା ପାୱାରର ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ ।
]]>ଘରୋଇ, କୃଷି, ଶିଳ୍ପ ଆଦି ସମସ୍ତ କ୍ଷେତ୍ରପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ।
ସେହିଭଳି ଡିଜିଟାଲ ପେମେଣ୍ଟ କଲେ ୧% ରିହାତି ମଧ୍ୟ ମିଳିବ। ଗୋଟିଏ ଆର୍ଥିକ ବର୍ଷରେ ୧୧ ମାସ ପର୍ଯ୍ୟନ୍ତ ରିହାତି ଅବଧିରେ ବିଲ୍ ଦେଲେ ଶେଷ ମାସକୁ ରିହାତିରେ ଡବଲ ଛାଡ ମିଳିବ ବୋଲି କହିଛନ୍ତି OERC ନିର୍ଦ୍ଦେଶକ।
]]>