ହକି ବିଶ୍ୱକପ୍‌: ଯୁବ ଖେଳାଳିଙ୍କୁ ନେଇ ଶକ୍ତିଶାଳୀ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଅପେକ୍ଷାକୃତ ଯୁବ ଖେଳାଳିଙ୍କୁ ମନୋନୀତ କରାଯାଇଛି। ୨୦୧୬ରେ ଲକ୍ଷ୍ନେରେ ଯୁବ ବିଶ୍ୱକପ୍ ଜିତିଥିବା ଅଧିକାଂଶ ଖେଳାଳି ଏହି ଦଳରେ ଅଛନ୍ତି। ଯୁବ ମିଡିଲ୍‌ ଫିଲ୍‌ଡର୍‌ ମନ୍‌ପ୍ରୀତ ସିଂହ ଏହି ଦଳର ନେତୃତ୍ୱ ନେଉଛନ୍ତି।ମନ୍‌ପ୍ରୀତ ସିଂହ ଓ ଭେଟେରାନ୍ ଗୋଲ୍ କିପର୍ ପି.ଆର୍‌. ଶ୍ରୀଜେଶ ହେଉଛନ୍ତି ଦଳର ସବୁଠାରୁ ଅଭିଜ୍ଞ ଖେଳାଳି।

ତେବେ ଚଳିତ ବିଶ୍ୱକପ୍‌ରେ ଷ୍ଟାର୍‌ ଖେଳାଳି ଭାବେ ଉଭା ହୋଇପାରନ୍ତି  ହରମନ୍‌ପ୍ରୀତ୍ ସିଂହ। ଲକ୍ଷ୍ନେରେ ଭାରତକୁ ଯୁବ ବିଶ୍ୱକପ୍ ଜିତାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ। ସେହିପରି ୧୯ ବର୍ଷୀୟ ସେନ୍‌ସେସନ୍ ଦିଲ୍‌ପ୍ରୀତ୍ ସିଂହ ମଧ୍ୟ ଦଳରେ ଥିବା ବେଳେ  ଭାଇସ୍ କ୍ୟାପଟେନ୍ ଚିଙ୍ଗଲେନ୍‌ସାନା ସିଂହ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ୨୦୦ ତମ ମ୍ୟାଚ୍‌ ଖେଳିବେ।

ହକି ବିଶ୍ୱକପ୍‌ ପାଇଁ ଟିମ୍ ଇଣ୍ଡିଆରେ ଅଛନ୍ତି ଦୁଇ ଓଡ଼ିଆ ଖେଳାଳି, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ। ୨୮ ବର୍ଷୀୟ ବୀରେନ୍ଦ୍ରଙ୍କ ଏହା ଦ୍ୱିତୀୟ ବିଶ୍ୱକପ୍ ହୋଇଥିବା ବେଳେ ଅମିତ ରୋହିଦାସଙ୍କ ପ୍ରଥମ ବିଶ୍ୱକପ୍। ଘରୋଇ ପଡ଼ିଆରେ ଭଲ ପ୍ରଦର୍ଶନ କରିବାକୁ ଦୁଇ ଖେଳାଳି ବେଶ ଆଶାବାଦୀ।

 

You might also like