ନୂଆଦିଲ୍ଲୀ : WTC ଫାଇନାଲ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଦଳରେ ୩ଜଣ ପେସ୍ ବୋଲର ଓ ୨ ଜଣ ସ୍ପିନ୍ ବୋଲର୍ ସାମିଲ ହୋଇଛନ୍ତି । ଏହି ପ୍ଲେୟିଂ ଇଲେଭେନ୍‌ରେ ଅଛନ୍ତି ବିରାଟ କୋହଲି(କ୍ୟାପ୍‌ଟେନ୍), ରୋହିତ ଶର୍ମା, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରୀ, ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଆର୍. ଅଶ୍ୱିନ, ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମ୍ରା । ଇଂଲଣ୍ଡର ସାଉଥ୍-ହାମ୍ଫଟନରେ  ଆଜିଠାରୁ ଏହି ମ୍ୟାଚ୍ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ଏଠାରେ ଆଗରୁ ଆଦୌ ଟେଷ୍ଟ ମ୍ୟାଚ୍ ଖେଳି ନ ଥିବା ବେଳେ ୨୦୧୮ରେ ଭାରତ ଏଠାର ଇଂଲଣ୍ଡ ବିପକ୍ଷରେ ଖେଳି ପରାସ୍ତ ହୋଇଥିଲା ।

ତେବେ ସାଉଥ୍-ହାମ୍ଫଟନର ପାଣିପାଗ ଓ ପିଚ୍ ଦେଖି ଭାରତୀୟ ଟିମ୍‌ର ନିଷ୍ପତ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ କାଲି ରାତିସାରା ବର୍ଷା ହୋଇଥିବା ବେଳେ ଆଗାମି ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ପିଚ୍‌ରେ ଏବେ ସୁଦ୍ଧା ଘାସ ରହିଛି। ଯଦି ଏହା ମ୍ୟାଚ୍ ପୂର୍ବରୁ ସଫା ନ କରାଯାଏ ତେବେ ଏହା ଭାରତୀୟ ଦୁ‍ଇ ସ୍ପିନରଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ।

ଭାରତ ପାଖରେ ଚତୁର୍ଥ ଦ୍ରୁତ ବୋଲର ଭାବରେ ମହମ୍ମଦ ସିରାଜଙ୍କ ବିକଳ୍ପ ଥିଲା, ଯିଏ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଟେଷ୍ଟ ଦଳରୁ ବାହାରିଛନ୍ତି । ଭାରତ ପାଖରେ ଏପରି ଅଲରାଉଣ୍ଡର ନାହାଁନ୍ତି, ଦ୍ରୁତ ବୋଲିଂ କରିପାରିବେ। ଶାର୍ଦ୍ଦୁଲ ଠାକୁର ମଧ୍ୟ ବ୍ୟାଟିଂ କରିପାରିବେ କିନ୍ତୁ ଡବ୍ଲୁଟିଏସି ଫାଇନାଲ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଭାରତ ପାଖରେ କେବଳ ଅଲରାଉଣ୍ଡର ଭାବରେ ରବିନ୍ଦ୍ର ଜାଡେଜାଙ୍କ ବିକଳ୍ପ ଥିଲା।

ଜାଡେଜା ଓ ଅଶ୍ୱିନ୍ ଉଭୟ ୩୫ ଟେଷ୍ଟ୍ ଖେଳିଥିବା ବେଳେ ୩୬୨ ୱିକେଟ୍ ନେଇଛନ୍ତି। ତେବେ ଏହି ଯୋଡି ସବୁଠୁ ଅଧିକ ସଫଳତା ଭାରତୀୟ ପିଚ୍‌ରେ ହିଁ ହାସିଲ କରିଛନ୍ତି। ‍ଇଂଲଣ୍ଡରେ ଜାଡେଜା ୫ଟି ଟେଷ୍ଟ ମ୍ୟାଚ୍ ଖେଳି ୧୬ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ୬ଟା ଟେଷ୍ଟ୍ ମ୍ୟାଚ୍‌ରେ ମାତ୍ର ୧୪ଟି ୱିକେଟ୍ ନେଇଛନ୍ତି। ଯଦି ନ୍ୟୁଜିଲ୍ୟାଣ୍ଡ କଥା ନଜରକୁ ନିଆଯାଏ ତେବେ ଅଶ୍ୱିନ୍ ଏହି ଟିମ୍ ବିପକ୍ଷରେ ୬ଟି  ଟେଷ୍ଟ୍ ଖେଳି ୪୮ ୱିକେଟ୍ ନେଇଥିବା ବେଳେ ଜାଡେଜା ମାତ୍ର ୧୯ଟି ୱିକେଟ୍ ହାତେଇ ପାରିଛନ୍ତି। କେବଳ ଏତିକି ନୁହେଁ ବିଦେଶ ପିଚ୍‌ରେ ୱିକେଟ୍ ନେବାକୁ ଜାଡେଜାଙ୍କୁ ବହୁତ ସଂଘର୍ଷ କରିବାକୁ ପଡୁଥିବା ଦେଖାଯାଏ। କାରଣ ସେ ଭାରତୀୟ ପିଚ୍‌ରେ ୫୬ ଷ୍ଟ୍ରାଇକ୍ ରେଟ୍‌ରେ ୱିକେଟ୍ ନେଉଥିବା ବେଳେ ବିଦେଶ ମାଟିରେ ତାଙ୍କୁ ୬୮.୪ ବଲରେ ଗୋଟିଏ ୱିକେଟ୍ ମିଳେ।

Other Stories