ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ : ଗେଲ୍‌ଙ୍କୁ ପଛରେ ପକାଇଲେ ରିଦ୍ଧିମାନ ଶାହ

କୋଲକାତା : ଭାରତୀୟ କ୍ରିକେଟ୍‌ରଙ୍କ ବ୍ୟାଟିଂ ଯାଦୁ ଏବେ ସାରା ବିଶ୍ୱକୁ ପାଗଳ କରିଛି। ବିରାଟ ହୁଅନ୍ତୁ କିମ୍ବା ରୋହିତ , କିଏ କେତେବେଳେ କେଉଁ ରେକର୍ଡ ଭାଙ୍ଗୁଛି କିଛି କହି ହେଉନି। ନିକଟରେ ଦିନେଶ କାର୍ତ୍ତିକଙ୍କର ଜବରଦସ୍ତ ବ୍ୟାଟିଂର ଚର୍ଚ୍ଚା ଥମିନଥିବା ବେଳେ, ଏବେ ଆଉ ଜଣେ ବ୍ୟାଟ୍ସ ମ୍ୟାନ୍‌ଙ୍କର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ସେ ହେଉଛନ୍ତି ଭାରତର ୱିକେଟ୍‌ କିପର-ବ୍ୟାଟ୍ସ ମ୍ୟାନ୍ ରିଦ୍ଧିମାନ ଶାହ। ବିସ୍ଫୋରକ ବ୍ୟାଟିଂ କରି ସେ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ମାତ୍ର ୨୦ଟି ବଲ୍‌ରୁ ଧୂଆଁଦାର ବ୍ୟାଟିଂ କରି ୧୦୨ ରନ୍‌ ସଂଗ୍ରହ କରିଛନ୍ତି।

 ଆଇପିଏଲ୍-୨୦୧୮ ପୂର୍ବରୁ ରିଦ୍ଧିମାନ ଏପରି ଜବରଦସ୍ତ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଶନିବାର କାଳୀଘାଟି ପଡ଼ିଆରେ ଖେଳାଯାଇଥିବା ମୁଖାର୍ଜୀ ଟ୍ରଫିର ଟି-୨୦ ମୁକାବିଲାରେ ୩୩ ବର୍ଷିୟ ରିଦ୍ଧିମାନ ଏହି ରେକର୍ଡ ବ୍ରେକିଂ ବ୍ୟାଟିଂ କରିଛନ୍ତି। ମୋହନ ବାଗାନ୍ କ୍ଲବ୍‌ ପକ୍ଷରୁ ଖେଳି ମାତ୍ର ୨୦ ବଲ୍‌ରେ ୧୪ଟି ଛକା ଓ ୪ଟି ଚୌକା ସହିତ ୧୦୨ ରନ୍‌ ସଂଗ୍ରହ କରିଛନ୍ତି। ଏହି ଦ୍ରୁତ ଶତକ ପରେ ଶାହ କେରିବିୟାନ୍‌ ବିସ୍ଫୋରକ ବ୍ୟଟ୍ସମ୍ୟାନ କ୍ରିସ୍‌ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଗେଲ୍‌ ଆଇପିଏଲ୍‌-୨୦୧୩ରେ ୩୦ଟି ବଲ୍‌ରୁ ଶତକ ହାସଲ କରିଥିଲେ।

 

You might also like
Comments
Loading...