ମା’ ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗାଟ

ନୂଆଦିଲ୍ଲୀ: ମା’ ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗାଟ। ରେସଲର୍ ବବିତା ଫୋଗାଟ ଗତକାଲି ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି। ଏନେଇ ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ବବିତା। ଫଟୋରେ ସ୍ୱାମୀ ବିବେକ ସୁହାଗଙ୍କ ସହିତ କୁନି ପୁଅ ଓ ନିଜେ ବବିତା ଅଛନ୍ତି।

ସୂଚନା ଥାଉକି, ମହିଳା ରେସଲର ବବିତା ଫୋଗାଟ କମନୱେଲ୍‌ଥ ଗେମ୍ସ, ଏସିଆନ୍ ଗେମ୍ସ ସହିତ ଅନ୍ୟ ପ୍ରତିଯୋଗିତାରେ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଏଥିସହିତ ଅର୍ଜୁନ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ଅନ୍ୟପଟେ ବିବେଗ ସୁହାଗ ମଧ୍ୟ ଜଣେ ରେସଲର। ସେ ୨୦୧୮ରେ ଭାରତ କେଶରୀ ଟାଇଟଲ ଜିତିଛନ୍ତି।

ଦଙ୍ଗଲ ଗାର୍ଲ ଭାବରେ ସାରା ଦେଶରେ ପରିଚିତ ଅନ୍ତର୍ଜାତୀୟ ରେସଲର ବବିତା ଫୋଗାଟ ଓ ବିବେକା ସୁହାଗଙ୍କର ବିବାହ ୨୦୧୯ ଡିସେମ୍ବର ୨୧ ତାରିଖରେ ହୋଇଥିଲା। ବବିତାଙ୍କୁ ଦେଖିବା ମାତ୍ରେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ ବିବେକ।

୦୧୪ରେ ସୋନିପଥରେ ଉଭୟଙ୍କର ଦେଖା ହୋଇଥିଲା। ଏଠାରେ ରେସଲରମାନଙ୍କ ପାଇଁ ସାଇ ସେଣ୍ଟର ହୋଇଥିବା ଏକ କୁସ୍ତି ଶିବିରରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ହିଁ ବବିତାଙ୍କ ସରଳତା ବିବେକଙ୍କୁ ଖୁବ୍ ଭଲ ଲାଗିଥିଲା। ଏଇଠୁ ଆରମ୍ଭ ହୋଇଥିଲା ରେସଲରଙ୍କ ଦମ୍‌ଦାର ଲଭ୍‌ ଷ୍ଟୋରି। ସାଇ କୁସ୍ତି ସେଣ୍ଟରରୁ ଯିବା ପରେ ମଧ୍ୟ ଉଭୟେ ପରସ୍ପର ସହିତ କଥା ହେଉଥିଲେ। ଧୀରେ ଧୀରେ ପ୍ରେମ କାହାଣୀ ଆଗକୁ ବଢ଼ିଥିଲା ଶେଷରେ ପରିବାର ସହମତିରେ ବିବାହ କରିଥିଲେ ଦେଶର ଦୁଇ ରେସଲର।

ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବବିତା ଅନେକ ସମୟରେ ତାଙ୍କ ରୋକ୍‌ଠୋକ୍‌ପଣ ନେଇ ବିବାଦ ଘେରକୁ ଆସିଛନ୍ତି। ୨୦୨୦ ଏପ୍ରିଲ୍‌ ମାସରେ ଇସ୍ଲାମୀୟ ଧାର୍ମିକ ସଂଗଠନ ତବଲିଗୀ ଜମାତକୁ ସମାଲୋଚନା କରି ବିବାଦକୁ ଆସିଥିଲେ ବବିତା। ସାରା ଦେଶରେ କରୋନା ବ୍ୟାପିବା ପାଇଁ ତବଲିଗୀ ଜମାତକୁ ଦାୟୀ କରିଥିଲେ ସେ। ଯାହାକୁ ନେଇ ଅନେକ ସମାଲୋଚନା ଶିକାର ହେବାକୁ ପଡିଥିଲା ତାଙ୍କୁ । ଏମିତିକି ତାଙ୍କୁ ନାନା ପ୍ରକାର ଧମକ ମଧ୍ୟ ମିଳିଥିଲା। ଏହାପରେ ସେ ପୁଣି ଏକ ଭିଡିଓ ଫୋଷ୍ଟ କରି ଏମିତି ଧମକ୍‌ର ଯବାବ ଦେଇ କହିଥିଲେ,ମୁଁ ଅସଲି ବବିତା ଫୋଗାଟ୍‌ ଧମକରେ ଡରିଯିବିନି।

ବବିତାଙ୍କ ଏହି ଟ୍ୱିଟକୁ ଭାରତର ଅନେକ କ୍ରୀଡ଼ାବିତ୍ ସମର୍ଥନ କରିଥିଲେ। ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ, ଯୋଗେଶ୍ୱର ଦତ୍ତ, ଯୁବ ଶୁଟର୍ ମନୁ ଭାକର, ବବିତାଙ୍କ ବଡ଼ ଭଉଣୀ ଗୀତା ଫୋଗାଟ୍ ସମର୍ଥନ କରିଥିଲେ। ରେସ୍‌ଲର ବବିତା ଫୋଗାଟ୍‌ ରେସଲିଂ କରିବା ସହିତ ରାଜନୀତିରେ ମଧ୍ୟ ଯୋଗ ଦେଇଥିଲେ।

ହେଲେ ରେସ୍‌ଲିଂରେ ସଫଳ ପହିଲମାନ ରାଜନୀତି ଆଖଡ଼ାରେ କିନ୍ତୁ ଚିତ୍ ହୋଇଯାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଥିବା ବବିତା କୁମାରୀ ୨୦୧୯ ନିର୍ବାଚନରେ ଦାଦ୍ରି ବିଧାନସଭା ସିଟ ପାଇଁ ସ୍ୱାଧୀନ ପ୍ରାର୍ଥୀ ସୋମବୀରଙ୍କ ଠାରୁ ହାରିଯାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିର୍ବାଚନ ଲଢ଼ିବା ପାଇଁ ବବିତା ହରିଆଣା ପୁଲିସ୍‌ ବାହିନୀରୁ ଇସ୍ତଫା ମଧ୍ୟ ଦେଇଥିଲେ। ହେଲେ ତାଙ୍କୁ ସୋମବୀର ପରାସ୍ତ କରିଦେଇଥିଲେ।

You might also like