ଚାଷୀଙ୍କୁ ବକ୍ସିଂ ଚାମ୍ପିୟନ ବିଜେନ୍ଦରଙ୍କ ସମର୍ଥନ; କହିଲେ, କଳା ଆଇନ୍‌ ରଦ୍ଦ ନକଲେ ଫେରାଇବି ସର୍ବୋଚ୍ଚ ଖେଳ ସମ୍ମାନ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ଆନ୍ଦୋଳନର ଆଜି ୧୧ ଦିନ ହୋଇଛି। ବିରୋଧୀ ଦଳ ନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟି, କବି ଓ କ୍ରୀଡ଼ାବିତ୍‌ ମଧ୍ୟ କୃଷି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଆଜି କୃଷି ଆନ୍ଦୋଳନକୁ ସମର୍ଥନ କରିବାକୁ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ ଅଲିମ୍ପିକ ବିଜେତା ବକ୍ସିଂ ଚାମ୍ପିୟନ ବିଜେନ୍ଦର ସିଂହ। ଆନ୍ଦୋଳନରେ ଯୋଗ ଦେଇ ବିଜେନ୍ଦର କହିଛନ୍ତି “ ଯଦି ସରକାର ଏହି କଳା ଆଇନ୍‌କୁ ରଦ୍ଦ ନ କରନ୍ତି ତେବେ ମୁଁ ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡ ଫେରାଇ ଦେବି।” ବିଜେନ୍ଦର ୨୦୦୮ରେ ଦେଶ ପାଇଁ ବକ୍ସିଂରେ ପ୍ରଥମ ଅଲିମ୍ପିକ ମେଡାଲ୍ ଜିତିଥିଲେ।

ହରିଆଣା ସୀମା ଦିଲ୍ଲୀର ସିଙ୍ଘୁ ଠାରେ ହୋଇଥିବା କୃଷକ ମେଳିରେ ଯୋଗ ଦେଇ ଏପରି କହିଛନ୍ତି ବିଜେନ୍ଦର ସିଂହ। ଗତକାଲି ଏହିଠାରେ ହିଁ ପଞ୍ଜାବ ସିଙ୍ଗର ଓ ଆକ୍ଟର ଦିଲ୍‌ଜିତ୍ ଦୋଷାଙ୍ଗ୍ କୃଷକଙ୍କୁ ସମର୍ଥନ କରିବାକୁ ଆସିଥିଲେ। କୃଷକଙ୍କୁ ଶୀତବସ୍ତ୍ର ପାଇଁ କୋଟିଏ ଟଙ୍କା ଦାନ ମଧ୍ୟ କରିଥିଲେ।

ଏହା ପୂର୍ବରୁ ବକ୍ସିଂ କିମ୍ବଦନ୍ତି କୌର ସିଂହ, ଜୟପାଲ ସିଂହ ଏବଂ ଗୁରବକ୍ସ ସିଂହ ସାନ୍ଧୁ ମଧ୍ୟ ବିଜେନ୍ଦରଙ୍କ ପରି ପ୍ରତିକ୍ରିୟା ଦେଇଥିଲେ। ଯଦି କେନ୍ଦ୍ର ସରକାର ଏହି ଆଇନ୍‌କୁ ପ୍ରତ୍ୟାହାର ନ କରନ୍ତି ତେବେ ସମ୍ମାନ ଫେରାଇ ଦେବାରେ ଧମକ ଦେଇଥିଲେ। ପୂର୍ବରୁ ଚାଷୀ ଆନ୍ଦୋଳନକୁ ଡିସେମ୍ବର ୩ ତାରିଖରେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ୍‌ ବିରୋଧରେ ଆନ୍ଦୋଳନ ଜାରି ରହିଛି। ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ଗତକାଲି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅନେକ ସମୟ ଧରି ଆଲୋଚନା ପରେ କୌଣସି ନିଷ୍କର୍ସ ବାହାରିପାରି ନଥିବାରୁ କୃଷକଙ୍କ ଠାରୁ ଆଉ କିଛି ଦିନ ସମୟ ମାଗିଥିଲେ କେନ୍ଦ୍ର ସରକାର। ଏଣୁ ଆଗାମୀ ବୈଠକ ଡିସେମ୍ବର ୯ ତାରିଖକୁ ନିର୍ଦ୍ଧାରିତ କରାଯାଇଛି।

You might also like