ଥାନାରେ ବୀରେନ୍ଦ୍ର ସେହୱାଗଙ୍କ ପତ୍ନୀ ଆରତି, ଆଣିଲେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ:କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ କ୍ରିକେଟ ପ୍ରେମୀ ଭୁଲି ନ ଥିବେ ନିଶ୍ଚୟ । ବୀରେନ୍ଦ୍ରଙ୍କ ପତ୍ନୀ ଆରତୀ ସାଂଘାତିକ ଠକେଇର ଶିକାର ହୋଇଛନ୍ତି। ସମାଧାନ କରି ନ ପାରି ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିନା ଅନୁମତିରେ ସାଢେ ୪ କୋଟି ଟଙ୍କା ଲୋନ୍‌ କରାଯାଇଛି। ଏଥିପାଇଁ ତାଙ୍କର ଫଲ୍‌ସ ସିଗ୍ନେଚର ମଧ୍ୟ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଆପଣ ଭାବୁଛନ୍ତି ନା, କିଏ ଠକିଛି ତାଙ୍କୁ ! ବୀରେନ୍ଦ୍ର କି ?

ନା, ତାଙ୍କୁ ବୀରେନ୍ଦ୍ର ନୁହେଁ, ତାଙ୍କ ଫାର୍ମର ପାର୍ଟନର ତାଙ୍କୁ ଠକିଥିବା ଆରତି ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାଟି ଏମିତି।

ରୋହିତ୍‌ କକ୍କର ନାମକ ଜଣେ ବ୍ୟକ୍ତି ଆରତିଙ୍କୁ ତାଙ୍କ ଫାର୍ମର ପାର୍ଟନର ରଖିଛନ୍ତି। ଦିଲ୍ଲୀର ଅଶୋକ ବିହାରରେ ରହିଛି ଏହି ଫାର୍ମ। ରୋହିତ ଓ ଅନ୍ୟ ୬ ଜଣ ମିଶି  ଆରତିଙ୍କୁ ଠକି ଥିବା ସେ କହିଛନ୍ତି। ଆରତିଙ୍କ କହିବା ଅନୁଯାୟୀ, ରୋହିତ କକ୍କର ଅନ୍ୟ ଏକ ବିଲ୍‌ଡର ସଂସ୍ଥାକୁ କହିଛନ୍ତି ଯେ, ତାଙ୍କ ଫାର୍ମ ସହ ବୀରେନ୍ଦ୍ର ସେହୱାଗଙ୍କ ପରି ଫେମସ୍‌ କ୍ରିକେଟରଙ୍କ ପତ୍ନୀ ସଂପୃକ୍ତ ଅଛନ୍ତି। ସେମାନେ ବୀରେନ୍ଦ୍ରଙ୍କ ନାମକୁ ମଧ୍ୟ ଏଥିରେ ସାମିଲ କରିଛନ୍ତି। ଉଭୟଙ୍କ ନାଁ କହି ରୋହିତ୍‌ ଏହି ବିଲ୍‌ଡର କମ୍ପାନୀରୁ ସାଢେ ୪ କୋଟି ଟଙ୍କା ଲୋନ ନେଇଛନ୍ତି। ଏପରିକି ଏଥିପାଇଁ ସେ ଆରତିଙ୍କ ଫଲ୍‌ସ ସିଗ୍ନେଚର ମଧ୍ୟ କରିଛନ୍ତି।

ଆରତିଙ୍କ ଅଭିଯୋଗ, ସେ ଯେତେବେଳେ ଏହି କମ୍ପାନୀର ପାର୍ଟନର ହେଲେ, ସେତେବେଳେ ଚୁକ୍ତି ହୋଇଥିଲା ଯେ, ତାଙ୍କ ଅଗୋଚରରେ କୌଣସି କାମ ହେବ ନାହିଁ। ହେଲେ ଏହି କାରବାର ତାଙ୍କ ଅଜାଣତରେ କରାଯାଇଛି।

ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ୪୨୦ ଧାରା ଅନୁସାରେ ମାମଲା ଦାଏର କରିଛି।

You might also like