ବିରାଟଙ୍କ ଉପରେ ବିରାଟ ଭରସା

ନୂଆଦିଲ୍ଲୀ: ଗତ ୩ ବର୍ଷର ପରିସଂଖ୍ୟାନ ହିଁ କହୁଛି ବିରାଟ ଓ ରୋହିତ ଶର୍ମାଙ୍କ ଉପରେ ଟିମ୍ ଇଣ୍ଡିଆ କେତେ ନିର୍ଭରଶୀଳ। ଲଗାତାର ଭଲ ପ୍ରଦର୍ଶନ ସହ ଦଳ ଆଣିଛି ଅନେକ ବିଜୟ। କେବଳ ଦଳକୁ ଜିତାଇବା ପାଇଁ ନୁହେଁ ବରଂ ଲମ୍ବା ଇନିଂସ୍‌ ଖେଳିବାରେ ମଧ୍ୟ ଦୁଇ ବ୍ୟାଟସ୍‌ମ୍ୟାନ୍‌ ସିଦ୍ଧହସ୍ତ। ତେବେ କେମିତି ରହିଛି ଦୁଇ ବ୍ୟାଟସ୍‌ମ୍ୟାନ୍‌ଙ୍କ ରିପୋର୍ଟ କାର୍ଡ ଆସନ୍ତୁ ସେ ବିଷୟରେ ଜାଣିବା।

ବିରାଟଙ୍କ ଉପରେ ଏବେ ସାରା ଦେଶର ନଜର। ଆଗ୍ରେସିଭ୍ ଏଣ୍ଡ୍‌ ଷ୍ଟାଇଲିସ୍  ବିରାଟ ଏମିତି ବି ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ୨୦୧୯ରେ ୧୩ଟି ମ୍ୟାଚ୍‌ରୁ ୫୪ ଆଭରେଜ୍‌ରେ ୭୧୧ ରନ୍‌ କରିଛନ୍ତି।  ୨୦୧୮ରେ ୧୪ଟି ଦିନିକିଆରୁ ୧୨୦୨ ରନ୍‌ ଏବଂ ୨୦୧୭ରେ ୨୪ଟି ମ୍ୟାଚ୍‌ରୁ ୧୪୬୦ ରନ୍‌ ବିରାଟ ସଂଗ୍ରହ କରିଥିଲେ। ତେଣୁ ପ୍ରତିପକ୍ଷଙ୍କ ସାମ୍ନାରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ବିରାଟ।  ପାକିସ୍ତାନ ବିପକ୍ଷରେ ୭ଟି ମ୍ୟାଚ୍‌ ଖେଳି ୫୯ ଆଭରେଜ୍‌ରେ ବିରାଟ ୪୧୦ ରନ୍‌ କରିଛନ୍ତି।  ଏହାସହ ଏସିଆ କପ୍‌ରେ ନିଜ କ୍ୟାରିଅରର ସର୍ବାଧିକ ୧୮୩ ରନ୍‌ ବିରାଟ କୋହଲି ସଂଗ୍ରହ କରିଥିଲେ। ତେଣୁ ଆଜିର ମ୍ୟାଚ୍‌ରେ ବି ବିରାଟଙ୍କ ଜଲଓ୍ୱା ଦେଖିବାକୁ ମଳିପାରେ।

ସେହିପରି ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍‌ ରୋହିତ ଶର୍ମା ହେଉଛନ୍ତି କୁଲ୍ ଏଣ୍ଡ୍‌ କାମ୍।  କିନ୍ତୁ ପଡ଼ିଆରେ ମୋଷ୍ଟ ଡେଞ୍ଜରସ୍।  ଧାୱନଙ୍କ ଅନୁପସ୍ଥିତିରେ ଓପନିଂ ତାଙ୍କ ପାଇଁ ନିଶ୍ଚିତ ଚ୍ୟାଲେଞ୍ଜିଙ୍ଗ  ହେଲେ ମଧ୍ୟ ରେକର୍ଡ କିନ୍ତୁ ରୋହିତଙ୍କ ସପକ୍ଷରେ।  ଦିନିକିଆରେ ଓପନିଂ କରିବା ପରଠୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି ରୋହିତ ଶର୍ମା।  ସେ ୨୦୧୯ରେ ୧୫ଟି ମ୍ୟାଚ୍‌ରୁ ୭୫୩ ରନ୍‌, ୨୦୧୮ରେ ୧୯ଟି ମ୍ୟାଚ୍‌ରୁ ୧୦୩୦ ଏବଂ ୨୦୧୭ରେ ୨୧ଟି ମ୍ୟାଚ୍‌ରୁ ୧୨୯୩ରନ୍‌ ସଂଗ୍ରହ କରିଥିଲେ। ଏହାସହ ପାକିସ୍ତାନ ବିପକ୍ଷରେ ୯ଟି ମ୍ୟାଚ୍‌ରୁ ୪୯ ଆଭରେଜ୍‌ରେ ୩୯୦ ରନ୍‌ ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷେ, ଶିଖରଙ୍କ ଅନୁପସ୍ଥିତି ଟିମ୍ ଇଣ୍ଡିଆକୁ ଚିନ୍ତାରେ ପକାଇଥିବା ବେଳେ ବିରାଟ ଓ ରୋହିତଙ୍କ ଫର୍ମ ଦଳକୁ ଆଶ୍ୱସ୍ତି ଦେଇଛି। ତେଣୁ ଆଜିର ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଏହି ଦୁଇ ଟପ୍ ବ୍ୟାଟସ୍‌ମ୍ୟାନ୍‌ ଭଲ ରନ୍‌ କଲେ ପାକିସ୍ତାନ ମାତ୍ ଖାଇପାରେ ବୋଲି କୁହାଯାଉଛି।

ଆହୁରି ମଧ୍ୟ ପଢ଼ନ୍ତୁ: ବିଶ୍ୱକପ୍‌ରେ ଆଜି ହାଇଭୋଲଟେଜ୍ ଟକ୍କର: ମ୍ୟାଞ୍ଚେଷ୍ଟରରେ ଭାରତ-ପାକିସ୍ତାନ ମ୍ୟାଚ୍‌

You might also like