ପତ୍ନୀ ଅନୁଷ୍କାଙ୍କ ସହ ଛୁଟି କଟାଉଛନ୍ତି ବିରାଟ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିବା ପରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ୍ କୋହଲି ଏବେ ଛୁଟି ମନାଉଛନ୍ତି। କୋହଲି ଏବେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ ବିତାଉଛନ୍ତି। କୋହଲି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ। ଲଗାତାର କ୍ରିକେଟ୍ ଖେଳି ଆସୁଥିବା କୋହଲି ବିସିସିଆଇକୁ କିଛି ଦିନର ବିଶ୍ରାମ ମାଗିଥିଲେ। କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମା ଟି-୨୦ ସିରିଜରେ ଭାରତର ନେତୃତ୍ୱ ନେବେ।

ବ୍ରେକରେ ଯିବା ମାତ୍ରକେ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି। ଏହି ଫଟୋରେ କୋହଲି, ଅନୁଷ୍କାଙ୍କୁ ଟ୍ୟାଗ୍ କରିଥିଲେ ଏବଂ ଏଥିରେ ଏକ ହାର୍ଟର ଇମୋଜି ବି ଦେଇଥିଲେ।

ସୂଚନାଯୋଗ୍ୟ, ଭାରତ ୨୦୧୮ ଅକ୍ଟୋବରରୁ ସବୁ ଫର୍ମାଟରେ ୫୬ ମ୍ୟାଚ୍ ଖେଳିଛି, ଯେଉଁଥିରେ ୪୮ ମ୍ୟାଚରେ କୋହଲି ଖେଳିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ ଟିମ୍ ବିଶ୍ୱ ଚାମ୍ପିୟନଶିପ୍ ଅନ୍ତର୍ଗତ ଦୁଇଟି ଟେଷ୍ଟ ଖେଳିବ, ଯେଉଁଥିରେ ପୁଣିଥରେ କୋହଲି ଟିମର ନେତୃତ୍ୱ ନେବେ।

ଏହା ବ୍ୟତୀତ ଆହତ କାରଣରୁ ଟିମରୁ ବାହାରେ ଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧନତେରାସ ଅବସରରେ ନିଜର ଏକ ଫଟୋ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି। ନିକଟରେ ହାର୍ଦ୍ଦିକ ଲଣ୍ଡନରେ ନିଜ ପିଠିର ସଫଳ ସର୍ଜରୀ କରାଇଥିଲେ।

ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମହେନ୍ଦ୍ର ସିଂହ ଧୋନିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି । ପନ୍ତ ଧୋନିଙ୍କ ସହ ସାକ୍ଷାତ କରି ତାଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ନେଇଛନ୍ତି। ପନ୍ତ ଧୋନିଙ୍କ ସହ ସାକ୍ଷାତ କରୁଥିବାର ଫଟୋ ନିଜ ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି।

You might also like