ସ୍ୱଦେଶ ଫେରିଲେ କ୍ୟାପଟେନ୍ କୋହଲି

ଆଡିଲେଡ୍: ଜୁନିଅର୍ ଖେଳାଳୀଙ୍କୁ ବିଜୟମନ୍ତ୍ର ଦେଇ ପିତୃତ୍ୱ ଛୁଟିରେ ଆସିଲେ କ୍ୟାପଟେନ୍ କୋହଲି। ଆଜି ସକାଳୁ ସେ ଅଷ୍ଟ୍ରେଲିଆ ଛାଡ଼ି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏବେ ଆଡିଲେଟ୍ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଭାର ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ। ସୂଚନାଯାଗ୍ୟ ଯେ, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ମାଆ ଏବଂ ବିରାଟ ବାପା ହେବାକୁ ଯାଉଛନ୍ତି। ଡେଲିଭରି ବେଳେ ପତ୍ନୀ ଅନୁଷ୍କାଙ୍କ ପାଖରେ ରହିବା ଜରୁରି ମନେକରି ବିରାଟ କୋହଲି ବିସିସିଆଇ ପାଖରେ ‘ପିତୃତ୍ୱ ଛୁଟି’ ଆବେଦନ କରିଥିଲେ। କୋହଲି କେବଳ ପିଙ୍କ୍ ବଲ୍ ଟେଷ୍ଟ ଖେଳିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ଅଷ୍ଟ୍ରେଲିଆ ଛାଡ଼ିବା ଆଗରୁ, କ୍ୟାପଟେନ୍ କୋହଲି ତାଙ୍କ ଦଳର ସଦସ୍ୟମାନଙ୍କ ସହ ବହୁ ସମୟ ଧରି ଆଲୋଚନା କରିଥିଲେ ଓ ତାଙ୍କ ବିନା କେମିତି ଆଗାମୀ ମ୍ୟାଚ୍ ଜିତିବେ ସେହି କୌଶଳ ବତେଇଥିଲେ ଓ ସାହସ ଦେଇଥିଲେ। ଯେହେତୁ ପୂର୍ବ ଟେଷ୍ଟରେ ଖରାପ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଫ୍ୟାନଙ୍କ ପାଖରୁ କଡ଼ା ସମାଲୋଚନା ଶୁଣିବାକୁ ପଡ଼ିଛି, ତେଣୁ ଆସନ୍ତା ମ୍ୟାଚଗୁଡ଼ିକରେ ଦଳର ପ୍ରଦର୍ଶନ ଗୁରୁତ୍ୱ ରଖୁଛି। ଏହି ସମୟରେ କୋହଲିଙ୍କ ଅନୁପସ୍ଥିତି ସାଥୀ ଖେଳାଳୀଙ୍କ ପାଇଁ ଆହ୍ୱାନ ନିଶ୍ଚୟ।

ମିଳିଥିବା ସୂଚନା ଅନୁଯାୟୀ, କୋହଲିଙ୍କ ଜାଗାରେ ରୋହିତ ଶର୍ମା ଦଳରେ ସାମିଲ ହୋଇପାରନ୍ତି। ଯଦିଓ ସେ ସୁସ୍ଥ ଅଛନ୍ତି, ସେ ଏବେ ସିଡନୀରେ କ୍ୱାରେଣ୍ଟିନରେ ଅଛନ୍ତି। ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି ଯେ, ସିଡନୀରେ କରୋନାର ପ୍ରକୋପ ସତ୍ୱେ ଭାରତୀୟ ଟିମ୍ ପାଇଁ ବିପଦ ନାହିଁ। ଆସନ୍ତା ଜାନୁଆରୀ ୭ ତାରିଖରୁ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ। ସେହିପରି ଜାନୁଆରୀ ୧୫ରୁ ବ୍ରିସବେନଠାରେ ଖେଳାଯିବ ଶେଷ ଟେଷ୍ଟ।

You might also like