ଏସିଆା କପ୍‌ରେ ଆଜି ହାଇଭୋଲଟେଜ୍ ମୁକାବିଲା

ନୂଆଦିଲ୍ଲୀ : ଏସିଆ କପ୍‌ରେ ଆଜି ଇଣ୍ଡିଆ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ମିଳିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଆଶା କରାଯାଉଛି। ପ୍ରାୟ ଦେଢ଼ ବର୍ଷ ପରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଗତ ବର୍ଷ ଜୁନ୍‌ରେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଭାରତକୁ ୧୮୦ ରନ୍‌ରେ ପରାସ୍ତ କରିଥିଲା। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ଚେଷ୍ଟା କରିବ।

ଦଳର ରେଗୁଲାର୍ କ୍ୟାପଟେନ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ କିପରି ଦଳର ନେତୃତ୍ୱ ନେଉଛନ୍ତି, ତାହା ଉପରେ କ୍ରିକେଟ ପ୍ରେମୀଙ୍କ ନଜର। ଏସିଅଆ କପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ଏ ପର୍ଯ୍ୟନ୍ତ ହୋଇଥିବା ୧୨ଟି ମ୍ୟାଚ ମଧ୍ୟରୁ ଭାରତ ୬ଟି ଜିତିଥିବା ବେଳେ ପାକିସ୍ତାନ ୫ଟି ମ୍ୟାଚ ଜିତିଛି।  ଗୋଟିଏ ମ୍ୟାଚର ଫଳାଫଳ ବାହାରି ନଥିଲା।

ଅନ୍ୟପଟେ ଟିମ୍ ଇଣ୍ଡିଆ ବିଜୟରୁ ଏସିଆ କପ୍‌ର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ୨୬ରନରେ ବିଜୟୀ ହୋଇଛି। ଅପେକ୍ଷାକୃତ ଦୁର୍ବଳ କୁହାଯାଉଥିବା ହଂକଂ ଟିମ୍ ଇଣ୍ଡିଆକୁ କଡ଼ା ଟକ୍କର ଦେଇଥିଲା। ୨୮୬ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ହଂକଂ ପ୍ରଥମ ୱିକେଟ ଯୋଡିରେ ୧୭୪ରନ କରିଥିଲେ।

ହଂକଂ ଆରମ୍ଭରୁ ଭାରତୀୟ ବୋଲରଙ୍କୁ କଡା ଜବାବ ଦେଇଥିଲା। ତେବେ ପ୍ରଥମ ୱିକେଟର ପତନ ପରେ ଅନ୍ୟ କୌଣସି ବ୍ୟାଟସମ୍ୟାନ ସଫଳ ନହେବାରୁ ଦଳ ପରାଜିତ ହୋଇଥିଲା। ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ହଂକଂ ଆଗରେ ୨୮୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ୭ ଉଇକେଟ ବିନିମୟରେ ଭାରତ ୨୮୫ ରନ୍ କରିଥିଲା।

ଏସିଆ କପ୍ ଅଭିଯାନର ପ୍ରଥମ ମ୍ୟାଚରେ ଶିଖର ଧାୱନ ଶତକ ହାସଲ କରିଥିଲେ।  ଏହି ଶତକୀୟ ଇଂନିସ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ପୁରସ୍କାର ଦିଆଯାଇଛି। ଏହା ତାଙ୍କର ୧୪ ତମ ଶତକ। ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମାତ୍ର ୨୩ ରନ୍ କରି ଅଧିନାୟକ ରୋହିତ ଶର୍ମା ପାଭିଲିୟନ୍ ଫେରିଥିବାବେଳେ ୬୦ରନ୍ କରିଥିଲେ ଅମ୍ବାତି ରାୟଡୁ।

You might also like