ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ଦୁବାଇ: ଗତକାଲିର ଆଇପିଏଲ ମ୍ୟାଚ୍‌ରେ ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ ବୋଲି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟାର କହିଛନ୍ତି। ଆମକୁ ଏଥିପ୍ରତି ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ। ଧୱନଙ୍କୁ ଛାଡ଼ି ଅନ୍ୟ ଖେଳାଳୀମାନେ ଅଧିକ ସଜାଗର ସହ ଖେଳିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ଗତକାଲି ଅର୍ଥାତ ମଙ୍ଗଳବାର ଆଇପିଏଲର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଇଥିଲେ। ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପଞ୍ଜାବ ବୋଲିଂ ଭାର ସମ୍ଭାଳି ଥିଲା।

ଦିଲ୍ଲୀ ପକ୍ଷରୁ ଶିଖର ଧୱନ ଦମଦାର ଶତକ ହାସଲ କରିଥିଲେ। ଧୱନ ୫୭ଟି ବଲ୍‌ ଖେଳି ୩ଟି ଛକା ଓ ୧୨ଟି ଚୌକା ସାହାର୍ଯ୍ୟରେ ୧୦୬ ରନ୍‌ କରି ଅପରାଜିତ ଥିଲେ। ଏହି ରନ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ଟି ୱିକେଟ ହରାଇ ୧୬୪ ରନ୍‌ କରିପାରିଥିଲା। ମ୍ୟାଚ ଜିତିବାକୁ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଥିଲା। ଦିଲ୍ଲୀର ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ଅଧିକ ରନ୍‌ କରିବାକୁ ସମର୍ଥ ହୋଇନଥିଲେ। ପୃଥ୍ୱୀ ଶ’ ମାତ୍ର ୭ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ଶ୍ରେୟସ ଆୟର(୧୪) ଓ ଋଷଭ ପନ୍ତ (୧୪) ସମସ୍ତଙ୍କୁ ନିରାଶ କରିଥିଲେ।

ଧୱନ ଲଗାତର ଚାରୋଟି ମ୍ୟାଚ୍‌ରେ ୬୯, ୫୭, ୧୦୧ ଏବଂ ୧୦୬ ରନ୍‌ କରି ଭଲ ଫର୍ମରେ ଥିବା ଶ୍ରେୟସ କହିଛନ୍ତି। ମ୍ୟାଚ୍‌ ସରିଲା ପରେ ଅନ୍‌ଲାଇନ ପ୍ରେସ କନ୍‌ଫରେନ୍ସରେ ସେ କିହିଛନ୍ତି ଯେ, ଏହି ମ୍ୟାଚ୍‌ ଆମ ପାଇଁ ଆଖି ଖୋଲିଲା ଭଳି ମୁକାବାଲା ଥିଲା। ଆଗକୁ ଆମକୁ ଆହୁରି କଡ଼ା ସ୍ଥିତିରେ ମଜବୁତ୍‌ ଟିମ୍‌ର ସାମ୍ନା କରିବାକୁ ପଡ଼ିବ। ପୂର୍ବରୁ ଆମେ ଭଲ ପ୍ରଦର୍ଶନ କରିଥିଲୁ ଏବଂ ଏହା ଆଗକୁ ଜାରି ରଖିବୁ।

ଏହା ସହ ଆମକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ଅଧିକ ଦାୟିତ୍ୱର ସହ ଖେଳିବାକୁ ପଡ଼ିବ। ଆମକୁ କ୍ୱାଲିଫାୟରରେ ପହଞ୍ଚିବା ପାଇଁ ଆଉ ଗୋଟିଏ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଏହାକୁ ଧ୍ୟାନରେ ରଖି ଆମକୁ ଏକଥରରେ ଗୋଟିଏ ମ୍ୟାଚ୍‌ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ ବୋଲି ଶ୍ରେୟସ କହିଛନ୍ତି।

You might also like