ବିନା ଦର୍ଶକରେ ଚାଲିବ ଆଇପିଏଲ୍‌

ନୂଆଦିଲ୍ଲୀ: ବିନା ଦର୍ଶକରେ ଆୟୋଜନ ହେବ ଚଳିତ ବର୍ଷର ଆଇପିଏଲ୍। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବ। ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସତର୍କମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ମ୍ୟାଚ୍ ଆୟୋଜନ ହେବ। ଖେଳାଳିଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ବୋଲି ରାଜୀବ ଶୁକ୍ଲା କହିଛନ୍ତି।

ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ହେବ। ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା ହେବ। ମେ ୩୦ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ।

୨୦୨୧ ଆଇପିଏଲ୍ ନିଲାମରେ ସବୁଠାରୁ ଦାମି କ୍ରିକେଟର ହୋଇଛନ୍ତି କ୍ରିସ ମୋରିସ। ତାଙ୍କୁ ୧୬ କୋଟି ୨୫ ଲକ୍ଷରେ ରାଜସ୍ଥାନ ରୟାଲ୍ସ କିଣିଛି। ଦ୍ୱିତୀୟ ସର୍ବାଧିକ ନିଲାମି କାଇଲ୍ ଜେମିସନଙ୍କ ନାଁରେ ଲାଗିଛି। ତାଙ୍କୁ ବାଙ୍ଗାଲୋର ଟିମ୍ ୧୫ କୋଟିରେ କିଣିଛି। ତୃତୀୟ ସ୍ଥାନରେ ଗ୍ଲେନ ମ୍ୟାକ୍ସୱଲ ଅଛନ୍ତି। ତାଙ୍କୁ ମଧ୍ୟ ବାଙ୍ଗାଲୋର ଟିମ୍ କିଣିଛି।

ଦେଶରେ କରୋନା ତାର ଉଗ୍ର ରୂପ ଧାରଣ କଲାଣି। ସମଗ୍ର ଦେଶରେ ଦେଶରେ ଦିନକରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହାକୁ  ମିଶାଇ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୫୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

କରୋନା ପାଇଁ ଲକ୍‌ଡାଉନ୍ ଯୋଗୁଁ ଗତ ଥର ଆଇପିଏଲ୍‌ ମ୍ୟାଚ୍‌କୁ ଘୁଞ୍ଚାଯାଇଥିଲା। ପରେ ଦୁବାଇରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ‌ ଅନୁଷ୍ଠିତ ହୋଇଥିଲା। ଆଇପିଏଲ ସିଜିନ୍-୧୩ ଫାଇନାଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ (Delhi Capitals) ହରାଇ ଲଗାତର ଦ୍ୱିତୀୟ ଓ ସିରିଜରେ ସର୍ବାଧିକ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians)।

You might also like