ଚେନ୍ନାଇରେ ଜବରଦସ୍ତ ବଦ୍ଲା ନେଲା ଭାରତ
ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି। ଆଜି ଚତୁର୍ଥ ଦିନରେ ଭାରତ, ଇଂଲଣ୍ଡକୁ ୩୧୭ ରନରେ ପରାସ୍ତ କରି ବଦଲା ନେଇଛି । ୪୮୨ ରନ୍ ପିଛା କରୁଥିବା ଇଂଲଣ୍ଡ ଟିମ୍ ଆଜି ଦ୍ୱିତୀୟ ଇନିଂସରେ ୧୬୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି ।
ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦଳ ଠାରୁ ୨୨୭ ରନ୍ରେ ହାରିଥିଲା। ୨ୟ ଟେଷ୍ଟରେ ୪୮୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ । ହେଲେ ୧୬୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ୩୧୭ ରନ୍ର ବଡ଼ ବ୍ୟବଧାନରେ ଭାରତ ବିଜୟୀ ହୋଇଛି।
ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩ ଏବଂ କୁଳଦୀପ ଯାଦବ ୨ଟି ଓ୍ୱିକେଟ୍ ନେଇଥିଲେ । ପୂର୍ବରୁ ଭାରତ ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ ୧୬୧ ରନ୍ ବଳରେ ୩୨୯ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ କରିଥିଲା ୨୮୬ ରନ୍ ।
ଦ୍ୱିତୀୟ ଇନିଂସରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦମଦାର ଶତକ ଜମାଇଥିଲେ। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ କରିଥିଲା ୧୩୪ ରନ। ଏହି ବିଜୟ ସହ ଭାରତ ୪ ମ୍ୟାଚ ବିଶିଷ୍ଟ ସିରିଜ୍ ୧-୧ରେ ବରାବର କରିଛ।
ଗତକାଲି ରୋରୀ ବର୍ଣ୍ଣସ୍ ୨୫ ରନ୍, ଡମ୍ ସିବ୍ଲେ ୩ ଓ ଜ୍ୟାକ୍ ଲିଚ୍ ଶୁନରେ ଆଉଟ୍ ହୋଇଥିବା ବେଳେ ଡାନ୍ ଲରେନ୍ସ ଓ ଅଧିନାୟକ ଜୋ ରୁଟ୍ ଅପରାଜିତ ରହିଥିଲେ। ହେଲେ ଗତକାଲି ୧୯ ରନ୍ କରିଥିବା ସିବ୍ଲେ ଆଜି ଆଉ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେ ଅଶ୍ୱିନ୍ଙ୍କୁ ଟାର୍ଗେଟ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେହି ଅଶ୍ୱିନଙ୍କ ବଲ୍ରେ ଋଷଭ ପନ୍ତଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ ହୋଇଥିଲେ।
ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ମଧ୍ୟ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ୯୨ଟି ବଲ୍ରେ ମାତ୍ର ୩୩ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ପ୍ରଥମ ଇନିଂସ୍ରେ ବି ସେ ଫେଲ୍ ମାରିଥିଲେ। ମାତ୍ର ୬ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଆଡ଼କୁ ମୋଇନ ଅଲି ଭଲ ଖେଳିଥିଲେ। ସେ ୪୨ ରନ୍ କରି ଆଉଟ୍ ହୋଇଥିଲେ। ତା’ ମଧ୍ୟରେ ୩ଟି ଚୌକା ଓ ୫ଟି ଛକା ରହିଥିଲା।
ସେହିପରି ବେନ୍ ଷ୍ଟୋକ୍ସ ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଓଲି ପୋପ୍ ୧୨, ବେନ୍ ଫୋକ୍ସ ୨ ରନ୍ କରିଥିଲେ। ଓଲି ଷ୍ଟୋନ୍ ଶୂନରେ ଆଉଟ୍ ହୋଇଥିବା ବେଳେ ୫ ରନ୍ କରି ଷ୍ଟୁଆର୍ଟ ବ୍ରୋଡ୍ ଅପରାଜିତ ରହିଥିଲେ।
୪ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜି ଏବେ ୧-୧ରେ ସ୍ଥିତିରେ ପହଞ୍ଚି ଯାଇଛି। ତୃତୀୟ ଟେଷ୍ଟ ଅହମ୍ମଦାବାଦରେ ଖେଳାଯିବ।