ହକି ଇଣ୍ଡିଆ ସିଇଓ ଖେଳାଳିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ସୋଶାଲ ମିଡ଼ିଆ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର : ହକି ଇଣ୍ଡିଆ ସିଇଓ ଏଲେନା ନର୍ମାନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ସର୍ବସମ୍ମୁଖରେ ଖେଳାଳିଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚାରେ ଏଲେନା ନର୍ମାନ। ଏ ଘଟଣାକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା। ଅଭିଯୋଗ ଅନୁସାରେ, ଗତକାଲି ନେଦରଲାଣ୍ଡ-କାନାଡ଼ା ମ୍ୟାଚ୍ ବେଳେ ଗ୍ୟାଲେରୀରେ ଖେଳ ଦେଖୁଥିଲେ ଭାରତୀୟ ଟିମ୍‌ର ସଦସ୍ୟ।

କ୍ୟାପଟେନ୍ ମନପ୍ରିତ ସିଂଙ୍କ ସହ ଅନ୍ୟ କିଛି ଖେଳାଳି ଖେଳ ଦେଖୁ ଦେଖୁ ଷ୍ଟାଡିଅୟମର ଭିଆଇପି ବକ୍ସରେ ପଶିଯାଇଥିଲେ। ସେଠାରେ ପ୍ରଶଂସକଙ୍କୁ ଅଟୋଗ୍ରାଫ୍ ଓ ସେଲ୍ଫି ଦେବା ବେଳେ ଚିହିଁକି ଉଠିଥିଲେ ହକି ଇଣ୍ଡିଆ ସିଇଓ। ଖେଳାଳିଙ୍କ ପାଇଁ ଏ ସ୍ଥାନକୁ ଯିବା ବାରଣ ଥାଏ ବୋଲି କୁହାଯାଉଛି। ଏହାକୁ ନେଇ ଏଲେନା ଖେଳାଳିମାନଙ୍କୁ ଅତି କଟୁ ଭାଷାରେ ଗାଳି ଦେଇଥିବା ଖବର ପ୍ରକାଶିତ ହୋଇଛି।

ଏମିତିକି ଗେଟ୍ ଅଆଉଟ୍ ଫ୍ରମ୍ ହିଅର, ହାଓ ଡେୟାର ୟୁ କମ୍ ହିଅର ଓ ନାଓ ଜଷ୍ଟ୍ ସଟ୍ ଅପ୍ ଆଣ୍ଡ୍ ଗେଟ୍ ଆଉଟ୍ ଭଳି ଶବ୍ଦ ପ୍ରୟୋଗ କରିବାକୁ ପଛାଇ ନଥିଲେ। ସେ ଶହ ଶହ ଭିଭିଆଇପିଙ୍କ ସାମ୍ନାରେ ଏଲେନାଙ୍କ  ଏଭଳି ଅପମାନ ନେଇ ଯଦିଓ ଖେଳାଳିମାନେ ମୁହଁ ଖୋଲି ନାହାନ୍ତି, ତେବେ ଏ ଘଟଣା କିନ୍ତୁ ସେଠାରେ ଉପସ୍ଥିତ କିଛି ହକି ପ୍ରେମୀଙ୍କୁ ମର୍ମାହତ କରିଛି।

ଏପରିକି ହକି ଇଣ୍ଡିଆ ସିଓଙ୍କ ଏଭଳି ଦୁର୍ବ୍ୟବହାରକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଅନେକ ଖୋଲାଖୋଲି ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଏପଟେ ଏକ ଇଂରାଜୀ ଦୈନିକକୁ ଜଣେ ପୂର୍ବତନ ହକି ଖେଳାଳି ମଧ୍ୟ ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଏଲେନାଙ୍କ ଧୃଷ୍ଟତା ସମ୍ପର୍କରେ ବର୍ଣ୍ଣନା ବି କରିଛନ୍ତି।

କିଛି ଦିନ ତଳେ ଫ୍ୟାନ୍‌ ଭିଲେଜରେ ଜଣେ ମହିଳା ଫଟୋଗ୍ରାଫର ଓ ତାଙ୍କ ଦିବ୍ୟାଙ୍ଗ ଭାଇଙ୍କୁ ମଧ୍ୟ ଜଣେ ହକି ଇଣ୍ଡିଆ କର୍ମଚାରୀ ଅଶାଳୀନ ବ୍ୟବହାର ଅଭିଯୋଗ ହୋଇଥିଲା।

You might also like