ସୁଶାନ୍ତ ବିୟୋଗରେ ସ୍ତବ୍ଧ କ୍ରିକେଟ୍ ଜଗତ: ଏହି କ୍ରିକେଟର୍‌ଙ୍କୁ କହିଥିଲେ ‘ଭାଇ ମୋ ଫିଲ୍ମ ଦେଖିବ’

ମୁମ୍ୱାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ କେବଳ ବଲିଉଡ୍ ନୁହେଁ ଭାରତୀୟ କ୍ରିକେଟ୍‌ ଜଗତ ବି ଅବାକ୍ ହୋଇଯାଇଛି। ତାଙ୍କ ଆତ୍ମହତ୍ୟା ଖବର ଶୁଣି ବହୁ ବଡ଼ ବଡ଼ କ୍ରିକେଟ୍ ଷ୍ଟାର୍‌ ଶୋକ ପ୍ରକାଶ କରିଛନ୍ତି।

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଇର୍‌ଫାନ ପଠାନ ଟ୍ୱିଟ୍‌ କରି ଲେଖିଛନ୍ତି, ” ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ତାଙ୍କ ପରିବାରକୁ ମୋର ସମବେଦନା। ମୁଁ ଶେଷଥର ପାଇଁ ସୁଶାନ୍ତଙ୍କ ସହ ତାଜ୍‌ ହୋଟଲରେ କଥା ହୋଇଥିଲି। ସେଠାରେ ମୁଁ ତାଙ୍କ କାର୍ଯ୍ୟକୁ ଖୁବ୍‌ ପ୍ରଶଂସା କରିଥିଲି, ସୁଶାନ୍ତ ମୋତେ କହିଥିଲେ ଯେ, ଭାଇ ମୋ ଫିଲ୍ମ ଛିଛୋରେ ଦେଖିବ।”

ସେହିପରି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଲେଖିଛନ୍ତି, “ସୁଶାନ୍ତଙ୍କ ବିୟୋଗକୁ ମୁଁ ବିଶ୍ୱାସ କରିପାରୁନି କି ସହି ମଧ୍ୟ ହେଉନାହିଁ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଭଗବାନ ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ଏ ପରିସ୍ଥିତିର ମୁକାବିଲା ପାଇଁ ଶକ୍ତି ଦିଅନ୍ତୁ।”

ସଚିନ ତେନ୍ଦୁଲକର ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁଁ ଆଶ୍ଚର୍ଯ୍ୟ ଓ ଦୁଖିତଃ ମଧ୍ୟ। ସେ ଜଣେ ଦକ୍ଷ ଅଭିନେତା। ସୁଶାନ୍ତଙ୍କ ପରିବାର ଓ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।”

ବିରେନ୍ଦ୍ରର ଶେହୱାଗ- “ଜୀବନ ଅତ୍ୟନ୍ତ ସୂକ୍ଷ୍ମ, କାହାର କେତେବେଳେ କ’ଣ ହେବ ଜଣାନାହିଁ। ତେଣୁ ନମ୍ର ହୁଅ। ଓମ୍”‌

ସ୍ପିନର ହରଭଜନ ସିଂହ ଟ୍ୱିଟ୍‌ କରି ଲେଖିଛନ୍ତି, ଦୟାକରି ମତେ କୁହନ୍ତୁ ଏହା ହେଉଛି ମିଥ୍ୟା ଖବର,ମୁଁ ବିଶ୍ୱାସ କରିପାରୁନି ସୁଶାନ୍ତ ଆଉ ନାହାଁନ୍ତି। ତାଙ୍କ ପରିବାର ପ୍ରତି ମୋର ସମେବଦନା। ବହୁତ ଦୁଃଖ ଖବର।

ଖବର ଅନୁଯାୟୀ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ  ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍‌କୁ ଖବର ଦେଇଥିଲେ।

ସୁଶାନ୍ତଙ୍କ ବିୟୋଗରେ କେବଳ କ୍ରିକେଟ ଜଗତ ନୁହେଁ, ବଲିଉଡ୍ ଜଗତ ମଧ୍ୟ ଶୋକରେ ବୁଡ଼ିଛି। ବଲିଉଡ୍‌ର ବହୁ ବଡ଼ ବଡ଼ ଷ୍ଟାର୍ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି।

 

You might also like