ଲିଜେଣ୍ଡ ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଇତିହାସ ରଚିଲେ ଟିମ୍ ଇଣ୍ଡିଆର ଫୁଟବଲ୍ ଷ୍ଟ୍ରାଇକର ସୁନୀଲ ଛେତ୍ରୀ। ଲିଜେଣ୍ଡ ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି ସୁନୀଲ ଛେତ୍ରୀ। ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୨ଟି ଗୋଲ୍ ଦେଇ ମେସିଙ୍କ ୭୨ ଅନ୍ତର୍ଜାତୀୟ ଗୋଲ୍‌ର ରେକର୍ଡ କାଟି ଦେଇଛନ୍ତି। ତାଙ୍କର ମୋଟ ଗୋଲ ପହଞ୍ଚିଛି ୭୪ରେ। ସେପଟେ ୧୦୩ଟି ଗୋଲ ସହ ଶୀର୍ଷରେ ରହିଛନ୍ତି ପର୍ତ୍ତୁଗାଲର ରୋନାଲଡୋ।

ଇତିହାସ ରଚିଛନ୍ତି ଟିମ୍ ଇଣ୍ଡିଆର ଷ୍ଟ୍ରାଇକର ସୁନୀଲ ଛେତ୍ରୀ। ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍। ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସେ ଏଭଳି ବିରଳ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ ସୁନୀଲ ଚମତ୍କାର ପ୍ରଦର୍ଶନ କରି ଦୁଇଟି ଗୋଲ ଦେଇଛନ୍ତି। ଏହି ସଫଳତା ସହ ଆନ୍ତର୍ଜାତିକ ଫୁଟବଲରେ ସୁନୀଲଙ୍କ ଗୋଲ ସଂଖ୍ୟା ୭୪ରେ ପହଞ୍ଚିଛି। ବିଶ୍ୱରେ ବର୍ତ୍ତମାନ ଖେଳୁଥିବା ଅନେକ ଆନ୍ତର୍ଜାତିକ ଫୁଟବଲରଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ଏପରିକି ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସି ମଧ୍ୟ ତାଙ୍କ ପଛକୁ ରହିଛନ୍ତି। ମେସି ଏଯାବତ୍ ୭୨ଟି ଆନ୍ତର୍ଜାତିକ ଗୋଲ ଦେଇଛନ୍ତି।

ଟିମ୍ ଇଣ୍ଡିଆ କ୍ୟାପଟେନ୍‌ଙ୍କ ପାଇଁ ବିଶ୍ୱର ଶ୍ରେଷ୍ଠ ଦଶ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇବାର ମଧ୍ୟ ସୁଯୋଗ ରହିଛି। ଆଉ ଗୋଟିଏ ଗୋଲ ଦେଲେ ସେ ଏହି ବିରଳ ରେକର୍ଡରେ ସାମିଲ ହେବେ ହଙ୍ଗେରୀର ସାନନ୍ଦୋର କୋସିସ, ଜାପାନରର କୁସିଗେ କାମାମାଟୋ ଓ କୁଏତର ବାସର ଅବଦୁଲ୍ଲା। ୭୫ଟି ଗୋଲ ସ୍କୋର କରିବା ସହ ଶ୍ରେଷ୍ଠ ୧୦ଜଣ ଖେଳାଳିଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି। ଦୀର୍ଘଦିନ ଧରି ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ସୁନୀଲ ଛେତ୍ରୀ ଏବେ ଦଳର କ୍ୟାପଟେନ୍ ଅଛନ୍ତି।

ଅନେକ ଶକ୍ତିଶାଳୀ ଦେଶ ବିପକ୍ଷରେ ନିଜେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଆକର୍ଷଣୀୟ ବିଜୟ ଦେଇଛନ୍ତି। ବାଂଲାଦେଶ ବିପକ୍ଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସୁନୀଲ ଛେତ୍ରୀ ଚମତ୍କାର ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ସେ ୭୯ତମ ମିନିଟରେ ଟିମ୍ ଇଣ୍ଡିଆ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ପରେ ଅତିରିକ୍ତ ସମୟରେ ମଧ୍ୟ ସୁନୀଲ ଆଉ ଏକ ଗୋଲ ଦେଇ ବିଜୟ ବ୍ୟବଧାନକୁ ବଢାଇଥିଲେ।

ବର୍ତ୍ତମାନ ଖେଳୁଥିବା ସବୁ ଷ୍ଟ୍ରାଇକରଙ୍କ ଠାରୁ ଉପରେ ରହିଛନ୍ତି ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲଡୋ। ସେ ୧୦୩ଟି ଗୋଲ ଦେଇ ଫୁଟବଲରେ ଏକ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି। ତାଙ୍କ ପଛକୁ ଭାରତର ସୁନୀଲ ଛେତ୍ରୀ ୭୪ଟି ଗୋଲ ଦେଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଛେତ୍ରୀଙ୍କ ଏହି ଅନନ୍ୟ ସଫଳତା ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

You might also like