ନୋ-ବୋଲ୍‌ ଚେକ୍‌ ପାଇଁ ରହିବେ ଆଉ ଜଣେ ଅତିରିକ୍ତ ଅମ୍ପାୟାର୍

ମୁମ୍ବାଇ: ଆଇପିଏଲରେ ନୋ-ବୋଲ୍‌ ବିବାଦର ସମାଧାନ ପାଇଁ ଏବେ ନୂଆ ବ୍ୟବସ୍ଥା ହେବ। ମ୍ୟାଚ୍‌ ବେଳେ ଦୁଇ ଫିଲ୍ଡ ଅମ୍ପାୟାରଙ୍କ ବ୍ୟତୀତ ଜଣେ ଅତିରିକ୍ତ ଅମ୍ପାୟାର ରହିବେ। ଏହି ଅମ୍ପାୟାର ଜଣଙ୍କ କେବଳ ନୋ-ବୋଲଗୁଡ଼ିକୁ ଚେକ୍‌ କରିବେ। ଆଜି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ପୂର୍ବତନ ଟେଷ୍ଟ କ୍ରିକେଟର ବ୍ରିଜେଶ ପଟେଲଙ୍କ ଅଧ୍ୟକ୍ଷତାରେ ବସିଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏସବୁ ବିଷୟରେ ଆଲୋଚନା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେହିପରି ପାୱାର ପ୍ଲେ ସିଷ୍ଟମକୁ ଆଇପିଏଲରେ ଲାଗୁ କରିବାକୁ ଦାବି ହେଉଥିବାରୁ ଏହା ଉପରେ ମଧ୍ୟ ଗଭର୍ଣ୍ଣିଂ କାଉନସିଲ ବିଚାର କରୁଛି। ଆଇପିଏଲରେ ପାୱାର ପ୍ଲେ ଲାଗୁ କରିବା ପୂର୍ବରୁ ଏହାକୁ ପରୀକ୍ଷା ମୂଳକ ଭାବେ ସୟଦ ମୁସ୍ତାକ ଅଲୀ ଟ୍ରଫି(ଜାତୀୟ ଟି-୨୦)ରେ ଲାଗୁ କରାଯିବ।

୨୦୧୯ ଆଇପିଏଲ ସମୟରେ ଲସିଥ ମାଲିଙ୍ଗାଙ୍କ ଏକ ନୋ-ବଲକୁ ଫିଲ୍ଡ ଅମ୍ପାୟାର ଏସ୍‌ ରବି ଚିହ୍ନଟ କରି ପାରି ନଥିଲେ। ଏଥିପାଇଁ ମୁମ୍ବାଇ ବିପକ୍ଷରେ ବେଙ୍ଗାଲୁରୁକୁ ପରାସ୍ତ ହେବାକୁ ପଡ଼ିଥିଲା। ଏହାକୁ ନେଇ ବେଙ୍ଗାଲୁରୁ ଅଧିନାୟକ ଅମ୍ପାୟାର ଏସ୍‌ ରବିଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ। ତେଣୁ ଏବେ ଏହା ଉପରେ ରୋକ ଲଗାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି।

You might also like