ଆଜିଠୁ ଆରମ୍ଭ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି –ଟ୍ୱେଣ୍ଟି ସିରିଜ : ଦିନିକିଆ ସିରିଜ ପ୍ରଦର୍ଶନକୁ ଦୋହରାଇବାକୁ ଅଧିନାୟକ କୋହଲିଙ୍କ ଉଦ୍ୟମ

ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି –ଟ୍ୱେଣ୍ଟି ସିରିଜ ଖେଳାଯିବ ।  ଜୋହାନ୍ସବର୍ଗରେ ଆଜି ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି ।  ଦିନିକିଆ ସିରିଜକୁ ୫-୧ରେ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ତେଣୁ ଦିନିକିଆ ସିରିଜ ପ୍ରଦର୍ଶନକୁ ଟି –ଟ୍ୱେଣ୍ଟିରେ ଦୋହରାଇବାକୁ କ୍ୟାପଟେନ୍ କୋହଲି ଉଦ୍ୟମ କରିବେ ।

ଏବେ ଦଳର ସମସ୍ତ ବ୍ୟାଟସମ୍ୟାନ୍ ପ୍ରାୟ ଫର୍ମରେ ଅଛନ୍ତି । କୋହଲିଙ୍କ ବ୍ୟତୀତ ରୋହିତ, ଧାଓ୍ୱନ, ଧୋନି ଓ ପାଣ୍ଡିୟା ଏହି ଫଟାଫଟ ଫର୍ମାଟରେ ଘରୋଇ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି । ତେବେ ସମସ୍ତଙ୍କ ନଜରରେ ରହିବେ ସୁରେଶ ରୈନା।

ବର୍ଷେ ପରେ ଟିମକୁ ଫେରିଥିବା ଓ ସର୍ଟ ଫର୍ମାଟରେ ନିଜକୁ ଫିଟ୍ ସାବ୍ୟସ୍ତ କରିଥିବା ରୈନାଙ୍କୁ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିପାରେ । ରୈନାଙ୍କ ପ୍ରତ୍ୟାବର୍ତ୍ତନ ବି ଭାରତୀୟ ବ୍ୟାଟିଂ କ୍ରମକୁ ଆହୁରି ଦୃଢ଼ କରିବ । ସେହିପରି ଚହଲ ଓ କୁଲଦୀପଙ୍କ ସ୍ପିନକୁ ମୁକିବିଲା କରିବା ଦକ୍ଷିଣ ଆଫ୍ରିକା ପାଇଁ ସହଜ ହେବନି । ପେସର ଉନାଦକଟଙ୍କୁ ଦଳରେ ସାମିଲ୍ କରାଯାଇଛି ।

ଯଦି ଭାରତ ସିରିଜକୁ ୩-୦ରେ ବିଜୟୀ ହୁଏ ,ତେବେ ଟି –ଟ୍ୱେଣ୍ଟି  ରାକିଂର ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହେବ ଦଳ । ଅନ୍ୟପଟେ ଦିନିକିଆ ସିରିଜରେ ଲଜ୍ଜାଜନକ ପରାସ୍ତ ହେବା ପରେ ଟି –ଟ୍ୱେଣ୍ଟି ସିରିଜକୁ ଜିତି ସମ୍ମାନ ରକ୍ଷା କରିବାକୁ ପଡିଆକୁ ଓହ୍ଲାଇବ ଘରୋଇ ଦଳ । ଦଳର ନେତୃତ୍ୱ ନେବେ ଜେପି ଡୁମିନି ।

You might also like