ଦାଦା ହେବେ ବିସିସିଆଇର ବିଗ୍ ବସ୍ !

ନୂଆଦିଲ୍ଲୀ: ଦାଦା ହୋଇପାରନ୍ତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ)ର ବିଗ୍ ବସ୍!  ଟିିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ହୋଇପାରନ୍ତି ବୋଲି ଜଣାପଡ଼ିଛି।  ଆପାତତଃ ତାଙ୍କୁ ନେଇ ଏକ ପ୍ରକାର ସହମତି ପ୍ରକାଶ ପାଇଛି। ୪୭ ବର୍ଷୀୟ ଗାଙ୍ଗୁଲି ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲର ସଭାପତି ଅଛନ୍ତି।

ଆଗରୁ ରେସ୍‌ର ଆଗରେ ଥିବା ବ୍ରିଜେଶ ପଟେଲଙ୍କୁ ଶେଷ ମୁହୂର୍ତ୍ତରେ ପଛରେ ପକାଇ ଦେଇଛନ୍ତି ସୌରଭ।  ବ୍ରିଜେଶଙ୍କ ପ୍ରତି ବିସିସିଆଇର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନଙ୍କ ସମର୍ଥନ ମିଳୁଥିଲେ ମଧ୍ୟ ଅନ୍ୟମାନେ ବ୍ରିଜେଶଙ୍କୁ ସମର୍ଥନ କରୁନାହାନ୍ତି  । ତେଣୁ ଶେଷ ମୁହୂର୍ତ୍ତରେ ସୌରଭ ଗାଙ୍ଗୁଲି ବାଜି ମାରିଥିବା କୁହାଯାଉଛି  ।

ବ୍ରିଜେଶ ପଟେଲ ହେବେ ଆଇପିଏଲର ଅଧ୍ୟକ୍ଷ।  ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହା ହୋଇପାରନ୍ତି ବିସିସିଆଇର ସଂପାଦକ ଏବଂ ପୂର୍ବତନ ବିସିସିଆଇ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମଲ ବିସିସିଆଇର କୋଷାଧ୍ୟକ୍ଷ ହେବେ ବୋଲି ଜଣାପଡ଼ିଛି ।

ଏହି ସବୁ ପଦ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ।   ସୌରଭ ଗାଙ୍ଗୁଲି, ଜୟ ଶାହା, ଅରୁଣ ଧୁମଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାର ସମ୍ଭାବନା ଅଛି । ଏହି ତିନିଟି ମୁଖ୍ୟ ପଦ ପାଇଁ ସବୁ ଗୋଷ୍ଠୀ ମଧ୍ୟରେ ସହମତି ହୋଇଥିବା ଜଣାପଡ଼ିଛି ।

ସୌରଭଙ୍କ ବ୍ୟକ୍ତିତ୍ୱକୁ ଆଧାର କରି ଅଧିକାଂଶ ସଦସ୍ୟ ଗାଙ୍ଗୁଲିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସୂଚନା ରହିଛି।

ସୌରଭ ଗାଙ୍ଗୁଲି ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ବିଶ୍ୱର ସବୁଠୁ ବଡ଼ କ୍ରିକେଟ ବୋର୍ଡ ବିସିସିଆଇ। ସଭାପତି ପଦ ଭାବରେ ଦାୟିତ୍ୱ ତୁଲାଇବା ଆଗାମୀ ଦିନରେ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ନିକଟରେ ବିସିସିଆଇର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଏହାକୁ କିଭଳି ସଜାଡ଼ି ହେବ ସେ ବାବଦରେ ସମସ୍ତ ପଦକ୍ଷେପ ନେବେ ବୋଲି  ସେ କହିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କର ପ୍ରଥମ ଫୋକସ ପ୍ରଥମ ଶ୍ରେଣୀ କ୍ରିକେଟ ଉପରେ ରହିବ ବୋଲି ସେ କହିଛନ୍ତି।

You might also like