ଅବଶିଷ୍ଟ IPL ମ୍ୟାଚ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ବୟାନ, କହିଲେ ୨୫୦୦ କୋଟି କ୍ଷତି ହୋଇପାରେ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧କୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ବାକି ଥିବା ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଭାରତରେ ଆୟୋଜନ ହେବ ନାହିଁ । ତେବେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଗୁଡ଼ିକ କେବେ ଓ କେଉଁଠି ଖେଳାଯିବ, ସେନେଇ ବର୍ତ୍ତମାନ ପରିସ୍ଥିତିରେ କହିବା ଠିକ୍‌ ହେବ ନାହିଁ । କରୋନା କାରଣରୁ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ସ୍ଥଗିତ ରଖାଯାଇଛି । ୬୦ଟି ମ୍ୟାଚ୍‌ ମଧ୍ୟରୁ ମୋଟ ୨୯ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ୩୧ଟି ମ୍ୟାଚ୍‌ ବାକି ରହିଛି । ଯଦି ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଖେଳା ନଯିବ ତେବେ ବୋର୍ଡର ପାଖାପାଖି ୨୫୦୦ କୋଟି ଟଙ୍କା କ୍ଷତି ହେବ ।

ସ୍ପୋର୍ଟ ଷ୍ଟାର ସହ ଆଲୋଚନା ବେଳେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ୧୪ ଦିନିଆ କ୍ୱାରେଣ୍ଟାଇନ୍‌ କାରଣରୁ ଖେଳାଳିଙ୍କ ପାଇଁ ସମସ୍ୟା ହେଉଛି । ଏହାକୁ ସମ୍ଭାଳିବା କଷ୍ଟକର । ଅନ୍ୟପଟେ ବର୍ତ୍ତମାନ ପରିସ୍ଥିତିରେ ଏହା କହିବା ମଧ୍ୟ କଷ୍ଟ ଯେ, ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ କେବେ ଆୟୋଜନ କରାଯିବ । ତେବେ ଇଂଲଣ୍ଡ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଏବଂ ୟୁଏଇ ଅବଶିଷ୍ଟ ଲିଗ୍ ମ୍ୟାଚ୍‌ ଆୟୋଜନ କରିବାକୁ ଆଗେଇ ଆସିଛନ୍ତି ।

ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଗତ ଏକ ବର୍ଷ ଧରି  ଆମେ କରୋନା କାରଣରୁ ଚିନ୍ତିତ ଅଛୁ । ଡିସେମ୍ବର ୨୦୨୦ ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଆମେ ସଂଘର୍ଷ କରୁଛୁ ପ୍ରତ୍ୟେକ ଲୋକ ଏହାସହ ସଂଘର୍ଷ କରୁଛନ୍ତି ତେଣୁ କ୍ରିକେଟରମାନେ ଏଥିରୁ ଭିନ୍ନ ନୁହଁନ୍ତି ସେ ଆହୁରି କହିଛନ୍ତି, ଆଇପିଏଲ୍ ୨୦୨୦ ଦୁବାଇରେ ଆୟୋଜନ କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । କାରୋନାର ଦ୍ୱିତୀୟ ଲହର ଯୋଗୁଁ ସବୁକିଛି ଏପଟ ସେପଟ ହୋଇଯାଇଛି ଏଭଳି ପରିସ୍ଥିତିରେ କ୍ରିକେଟ୍ ଆୟୋଜନ କରିବା କେତେ କଷ୍ଟକର ତାହା ସହଜର ଅନୁମେୟ ।

ଜୁନିଅର କ୍ରିକେଟ୍ ଆୟୋଜନ ହୋଇପାରିଲା ନାହିଁ

ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଆମେ ବାୟୋ ବବୁଲ ପ୍ରସ୍ତୁତ କଲୁ ଏବଂ ସବୁ ନିୟମ କାନୁନ ପାଳନ କଲୁ । ମକୁ ସମସ୍ତଙ୍କର ସମର୍ଥନ ମଧ୍ୟ ପ୍ରାପ୍ତ ହେଲା । ଡିସେମ୍ବର-ଫେବୃଆରୀରେ କରୋନା ସଂକ୍ରମଣ ମାମଲା କମ୍ ରହିଥିଲା ଏହି କାରଣରୁ ଆମେ ମହିଳା କ୍ରିକେଟ୍, ସୟଦ ମୁସତାକ୍ ଅଲ୍ଲୀ, ବିଜୟ ହାଜାରେ ଟ୍ରଫି ଆୟୋଜନ କରିବାରେ ସଫଳ ହୋଇଥିଲୁ  ଆମେ ଜୁନିଅର କ୍ରିକେଟ୍ ପାଇଁ ମଧ୍ୟ ଯୋଜନା କରୁଥିଲୁ, କିନ୍ତୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ଆମ ପାଖରେ ସୁଯୋଗ କମ ରହିଥିଲା । ଏହି କାରଣରୁ ଆମକୁ ଜୁନିଅର କ୍ରିକେଟ୍‌ ବାତିଲ କରିବାକୁ ପଡ଼ିଥିଲା । ଆମେ ପ୍ରାଣପଣେ ଚେଷ୍ଟା କରୁଥିଲୁ ଯେ, ପରିସ୍ଥିତି କିଭଳି ସୁଧୁରିଯାଉ ।

You might also like