ମ୍ୟାକ୍ସୱେଲଙ୍କ ପ୍ରଦର୍ଶନରେ ବାଙ୍ଗଲୋର ଖୁସ; ପ୍ରଶଂସାରେ ପୋତିଲେ କ୍ୟାଟିଚ୍ କିନ୍ତୁ କୋହଲି କହିଲେ ଇନିଂସ ଭିନ୍ନ ଥିଲା..

ଚେନ୍ନାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ଦଳର ମୁଖ୍ୟ କୋଚ୍ ସାଇମନ୍ କ୍ୟାଟିଚଙ୍କୁ ଲାଗୁଛି ଯେ, ଗ୍ଲେନ ମ୍ୟାକ୍ସୱେଲ ଦଳ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବେ। କାରଣ କ୍ୟାଟିଚ୍ ଅନୁଭବ କରୁଛନ୍ତି ଯେ ଗ୍ଲେନ୍ ମ୍ୟାକ୍ସୱେଲ ଆଇପିଏଲ୍ ପ୍ରଥମ ମ୍ୟାଚରୁ ବ୍ୟାଟିଂରେ ଜବରଦସ୍ତ କମାଲ କରୁଛନ୍ତି। ସେ ଭଲ ଫର୍ମ ରହିଛନ୍ତି। ତେଣୁ ଏଥର ବାଙ୍ଗଲୋର ଦଳ ନିହାତି ଭାବେ ଏହାର ଫାଇଦା ନେବ।

ନିଲାମ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ପ୍ରତିଦ୍ୱନ୍ଦ୍ୱିତା କରି ବାଙ୍ଗଲୋର ଦଳର ମ୍ୟାନେଜମେଣ୍ଟ ୧୪.୨୫ କୋଟି ଟଙ୍କାରେ ୩୨ ବର୍ଷୀୟ ଅଷ୍ଟ୍ରେଲୀୟ ଖେଳାଳି ମ୍ୟାକ୍ସୱେଲଙ୍କୁ କିଣିଛି। ତେବେ ମ୍ୟକ୍ସୱେଲ ମଧ୍ୟ ଜବରଦସ୍ତ ଫର୍ମରେ ରହି ଭଲ ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କ ପ୍ରତି ଦଳ ଯେଉଁ ଆଶା ରଖିଥିଲା ତାହା ପୁରୁଣ କରିବାକୁ ଚେଷ୍ଟା କରିଛନ୍ତି। ଚଳିତ ସିଜିନରେ ଏବେ ସୁଦ୍ଧା ବାଙ୍ଗଲୋର ଦୁଇଟି ମ୍ୟାଚ ଖେଳିଥିବା ବେଳେ ଦୁଇଟି ଯାକ ବିଜୟ ହୋଇଛି। ଆଉ ଏଥିରେ ମ୍ୟାକ୍ସୱେଲଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏବେ ବାଙ୍ଗଲୋର ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି।

କ୍ୟାଟିଚ କହିଛନ୍ତି ଯେ, ତାଙ୍କର ଭଲ ଅଭିଜ୍ଞତା ରହିଛି। ବୁଧବାର ସନରାଇଇର୍ସ ବିରୋଧରେ ଦଳ ଖେଳୁଥିବା ବେଳେ ଗୋଟିଏ ପଟେ ୱିକେଟ ପରେ ୱିକେଟ ଖସିବାରେ ଲାଗିଥିଲା। କିନ୍ତୁ ଏଥିରେ ବିଚଳିତ ନହୋଇ ମ୍ୟାକ୍ସୱେଲ ନିଜ ପରିପକ୍ୱତାର ପ୍ରଦର୍ଶନ କରିଥିଲେ। ପଡ଼ିଆରେ ନିଜର ଆସ୍ଥାନ ଜମାଇ ରଖିଥିଲେ। ଇନିଂସ ଶେଷ ବେଳକୁ ଯେତେବେଳେ ଦଳ ପାଇଁ ଭଲ ସ୍କୋର ଆବ୍ୟଶକ ଥିଲା ସେତେବେଳେ ମ୍ୟାକ୍ସୱେଲ ଭଲ ସ୍କୋର ମଧ୍ୟ କରିଥିଲେ। କ୍ରିକେଟରେ ଥିବା ତାଙ୍କ ଅଭିଜ୍ଞତାକୁ ଏଥିପାଇଁ ସମସ୍ତ ଶ୍ରେୟ ଦିଆଯିବା ଉଚିତ୍।

ୟୁଏଇରେ ଖେଳାଯାଇଥିବା ୨୦୨୦ ଆଇପିଏଲରେ ମ୍ୟାକ୍ସୱେଲ କିଙ୍ଗସ ଏକାଦଶ ପଞ୍ଜାବ ଦଳ ସହ ଥିଲେ। ହେଲେ ତାଙ୍କର ପ୍ରଦର୍ଶନ କିନ୍ତୁ ଖୁବ୍ ଖରାପ ଥିଲା। ସେ ୧୩ଟି ମ୍ୟାଚ ଖେଳି ମାତ୍ର ୧୦୮ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ କ୍ୟାଟିଚ୍ କହିଛନ୍ତି ଚଳିତ ସିଜିନରେ ଆରସିବି ପାଇଁ ସେ ଅନେକ ଭୂମିକା ଗ୍ରହଣ କରୁଛନ୍ତି।

ଦଳର ୱେବସାଇଟରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କ୍ୟାଟିଚ୍ କହିଛନ୍ତି ଯେ, ମ୍ୟାକ୍ସୱେଲ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମତଃ ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ଫିଲ୍ଡଂ ସଜାଇବାରେ ସହଯୋଗ କରୁଛନ୍ତି। ଯାହାଫଳରେ କି ଆବଶ୍ୟକ ସମୟରେ ଖେଳାଳି ଠିକଣା ସ୍ଥାନରେ ପହଞ୍ଚି ପାରିବ।

କ୍ୟାଟିଚ୍ ଆହୁରି କହିଛନ୍ତି ଯେ, ମ୍ୟାକ୍ସୱେଲ ଅନେକ ଯୁବ ଖେଳାଳିଙ୍କ ସହ ଫିଲ୍ଡିଂ ଅଭ୍ୟାସ କରୁଥିଲେ। କାରଣ ଫିଲ୍ଡିଂ ଭଲ ରହିବା ଦଳ ପାଇଁ ନିହାତି ଆବଶ୍ୟକ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଭଲ ଫିଲ୍ଡଂ ରହିଥିଲେ ରନ୍ ଆଉଟ୍ ଏବଂ କ୍ୟାଚ୍ ଆଉଟ୍ କରିବାର ସୁଯୋଗ ଅଧିକ ରହିବ। ଯାହାକୁ କେବେ ବି ହାତ ଛଡ଼ା କରିବା ଉଚିତ୍ ନୁହେଁ।

ଅନ୍ୟପଟେ ଆରସିବି ଅଧିନାୟକ ବିରାଟ କୋହଲି ମ୍ୟାକ୍ସୱେଲଙ୍କ ଇନିଂସକୁ ଭିନ୍ନ ବୋଲି କହିଛନ୍ତି। କୋହଲି କହିଛନ୍ତି, ମୁଁ ଭାବୁଛି ମ୍ୟାକ୍ସୱେଲଙ୍କ ଇନିଂସ ଆମ ପାଇଁ ଅଲଗା ଥିଲା। ମ୍ୟାକ୍ସୱେଲ ଦଳକୁ ଏକ ଦିଗ ଦେଖାଇଲେ ଏବଂ ସ୍କୋର ୧୫୦ ପାଖାପାଖି ପହଞ୍ଚାଇଲେ। ପିଚ୍ କେବେ ବି ଏତେ ଭଲ ନଥିଲା ଏବଂ ଏହି ମ୍ୟାଚରେ ଆମେ ଚାପରେ ଥିଲୁ। ‍ଆମେ ଯେଉଁ ରଣନୀତି ଆପଣାଇଲୁ ତାହା ସଠିକ୍ ସାବ୍ୟସ୍ତ ହେଲା। ପୁରୁଣା ବଲ ଯୋଗୁଁ ପିଚ୍ ଅଧିକ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା। ମୁଁ ନିଶ୍ଚିତ ଥିଲି ଯେ ଆମେ ଏହି ମ୍ୟାଚ୍ ଜିତି ପାରିବୁ।’

You might also like