ପରମ୍ପରା ବଜାୟ ରଖିଲା ମୁମ୍ବାଇ, ପ୍ରଥମ ମ୍ୟାଚରେ ବାଙ୍ଗଲୋର ଆଗରେ ଚିତପଟାଙ୍ଗ୍

ପୁଣି ପ୍ରଥମ ମ୍ୟାଚରେ ପରାଜୟ ସ୍ୱୀକାର କଲା ମୁମ୍ବାଇ ଇଣ୍ଡିଆନ୍ସ। ଶୁକ୍ରବାର ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯାଇଥିଲା। ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ। ତେବେ ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୯ଟି ୱିକେଟ ହରାଇ ୧୫୯ ରନ କରିଥିଲା। ଏହା ପରେ ୧୬୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ବାଙ୍ଗଲୋର। ଏବି ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ ଆରସିବିକୁ ଜିତାଇଛି। ତେବେ ମୁମ୍ୱାଇ ଇଣ୍ଡିଆନ୍ସର ବୋଲିଂ ମଧ୍ୟ କିଛି ଖରାପ ନଥିଲା। ଜିତିବା ପାଇଁ ଆରସିବିକୁ ମ୍ୟାଚ୍‌ର ଅନ୍ତିମ ବଲ ପର୍ଯ୍ୟନ୍ତ ଖେଳିବାକୁ ପଡ଼ିଥିଲା। ଶେଷ ବଲ୍‌ରେ ଦରକାର ଥିଲା ୧ ରନ୍‌। ଆଉ ତାହା କରିବାରେ ସଫଳ ହୋଇଥିଲେ ହର୍ଷଲ ପଟେଲ। ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ମ୍ୟାଚ୍‌କୁ କବ୍‌ଜା କରିଥିଲା ବାଙ୍ଗାଲୋର।‌

‍ତେବେ ବାଙ୍ଗାଲୋରର ଆରମ୍ଭରୁ ଖରାପ ପ୍ରଦର୍ଶନ ରହିଥିବା ବେଳେ ଦଳ ମାତ୍ର ୪୬ ରନରେ ଦୁଇଟି ୱିକେଟ ହରାଇ ସାରିଥିଲା। ହେଲେ ଏହାପରେ ମାକ୍ସୱେଲ ମଇଦାନକୁ ଆସିଥିଲେ ଏବଂ ଅସଲ ଟି-ଟ୍ୱେଣ୍ଟି ଖେଳ ଦେଖାଇଥିଲେ। ଦୀର୍ଘ ଦିନ ଧରି ମ୍ୟାକ୍ସୱେଲ ଯେଉଁ ରିଭର୍ସ ସ୍ୱିପ୍ ସଟ୍ ପ୍ରକ୍ଟିସ କରୁଥିଲେ ତାହାର ଫଳ ଆଜି ଦେଖିବାକୁ ମିଳିଥିଲା। ମ୍ୟାକ୍ସୱେଲ ଆସୁ ଆସୁ ଛକା ଚୌକା ବର୍ଷ କରିଥିଲେ। ଗୋଟିଏ ପଟେ ପୂର୍ବରୁ କୋହଲି ଛକା ଚୌକା ବର୍ଷା କରୁଥିବା ବେଳେ ତାଙ୍କୁ ଜବରଦସ୍ତ ସାଥ୍ ଦେଇଥିଲେ ମ୍ୟାକ୍ସୱେଲ। ହେଲେ ୧୨.୩ ଓଭର ବେଳକୁ ଦଳୀୟ ସ୍କୋର ୯୮ ଥିବା ବେଳେ କୋହଲି ୨୮ ବଲରେ ୩୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଦଳକୁ ସତେ ଯେମିତି ମାଡ଼ି ‍ଆସିଥିଲା କଳାବାଦଲ। କୋହଲିଙ୍କ ପରେ ପରେ ପ୍ୟାଭିଲିୟ ଫେରିଥିଲେ ମ୍ୟାକ୍ସୱେଲ। ମୋଟ ୨୮ ବଲ ଖେଳି ୩୯ ରନ୍ କରିଥିଛନ୍ତି ମ୍ୟାକ୍ସୱେଲ। ଏଥିରେ ଦୁଇଟି ଛକା ଓ ୪ଟି ଚୌକା ସାମିଲ ଅଛି।

ମ୍ୟାକ୍ସୱେଲ ଆଉଟ ହେବା ପରେ ମଇଦାନକୁ ଆସିଥିଲେ ସହବାଜ ଅହମ୍ମଦ। ସେ ମାତ୍ର ଦୁଇଟି ବଲ ଖେଳି ଏକ ରନ କରି ଆଉଟ ହୋଇଥିଲେ। ସହବାଜଙ୍କ ପରେ ଡାନିଏଲ କ୍ରିଷ୍ଟନ ୩ ବଲ ଖେଳି ୧ ରନ୍ କରି ଆଉଟ ହୋଇଥିଲେ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରିସ ଲିନ୍ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଦ୍ୱିତୀୟ ସର୍ବାଧିକ ସୂର୍ଯ୍ୟକୁମାର ଯାଦବ ୩୧ ରନ କରିଛନ୍ତି। ଏହା ପଛକୁ ଇଶାନ କିଷାନ ୨୮ ରନ୍ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୯ ରନ କରି ପ୍ୟାଭିଲିୟନ ଫେରିଥିଲେ।

ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳୀୟ ସ୍କୋର ମାତ୍ର ୨୪ ଥିବା ବେଳେ ପ୍ରଥମେ ରୋହିତ ଶର୍ମା ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଦ୍ୱିତୀୟ ୱିକେଟ ଭାବେ ଦଳୀୟ ସ୍କୋର ୯୪ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ ପ୍ୟାଭିଲିୟନ ଫେରିଥିଲ। ପରେ ଦଳୀୟ ସ୍କୋର ୧୦୫ରେ କ୍ରିସ ଲିନ୍, ୧୩୫ ରନ ବେଳେ ହାର୍ଦ୍ଦିକ ପାଣ୍ଡିଆ, ୧୪୫ ବେଳେ ଇଶାନ କିଷାନ ଏବଂ ୧୫୮ ରନ୍ ବେଳେ କୃଣାଲ ପାଣ୍ଡିଆ, ପୋଲାର୍ଡ ଏବଂ ମାର୍କୋ ଜେନସେନଙ୍କ ୱିକେଟ ଯାଇଥିଲା। ଏହାପରେ ଦଳୀୟ ସ୍କୋର ଆଉ ମାତ୍ର ୧ ରନ ବଢ଼ିଥିଲା ଏବଂ ଶେଷ ୱିକେଟ ଭାବେ ରାହୁଲ ଚହରଙ୍କ ୱିକେଟ ଯାଇଥିଲା।

You might also like