ଟେଷ୍ଟ ଡେବ୍ୟୁର ରାଜ୍‌ ଖୋଲିଲେ ରିଷଭ ପନ୍ତ

ମୁମ୍ବାଇ: ଯୁବ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ କହିଛନ୍ତି ଭାରତ-ଏ ଟିମ୍‌ ସହ ଇଂଲଣ୍ଡ ଗସ୍ତକରିବା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିବା ସହିତ ଇଂଲଣ୍ଡର ପେସ୍‌ ଓ ବାଉନସର୍‌ ବଲ ସହ ପରିଚୟ ହୋଇଯାଇଥିଲା ବୋଲି ସେ କହିଛନ୍ତି।

୨୦ ବର୍ଷିୟ ପନ୍ତ ଟେଣ୍ଟବ୍ରିଜ୍‌ରେ ତାଙ୍କର ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ୨୪ ରନ୍‌ କରିଥିଲେ। ଏଥିସହିତ ୭ ଟି କ୍ୟାଚ୍‌ ମଧ୍ୟ ନେବାରେ ସେ ସଫଳ ହୋଇଛନ୍ତି। ସେ କହିଛନ୍ତି, ଇଂଲଣ୍ଡରେ ୱିକେଟ୍‌ କିପିଙ୍ଗ୍‌ ସର୍ବଦା କଠିନ ହୋଇଥାଏ। କାରଣ ଏଠାରେ ବଲ୍‌ ୱିକେଟ୍‌ ପଛରେ ଟର୍ଣ୍ଣ ହୋଇ ଆସିଥାଏ। ମୁଁ ଗତ ଅଢ଼େଇ ମାସ ହେବ ଇଂଲଣ୍ଡରେ ଭାରତ-ଏ ପାଇଁ ଖେଳି ଆସୁଛି। ଯାହାପାଇଁ ମତେ ବହୁତ ଫାଇଦା ମିଳିପାରିଛି ବୋଲି ସେ କହିଛନ୍ତି।

ଟେଷ୍ଟ ଡେବ୍ୟୁ ସମନ୍ଧରେ ସେ କହିଛନ୍ତି, ମୁଁ ଏହି ଖେଳାଳୀ ମାନଙ୍କ ସହ ଆଇପିଏଲ ଓ ଘରୋଇ କ୍ରିକେଟ ଖେଳିସାରିଛି। କିନ୍ତୁ ଦେଶ ପାଇଁ ଖେଳିବାରେ ଏକ ଉତ୍ସାହ ମିଳିଥାଏ। ତାହାଛଡ଼ା ଟେଷ୍ଟ ମ୍ୟାଚ ଖେଳିବା ତାଙ୍କର ଏକ ସ୍ୱପ୍ନଥିଲା ବୋଲି ସେ କହିଛନ୍ତି।

ଏଥିସହିତ ଭାରତ-ଏର କୋଚ୍‌ ରାହୁଲ୍‌ ଦ୍ରାବିଡ୍‌ ଓ ତାଙ୍କ ପିଲାଦିନର କୋଚ୍‌ ତାରକ ସିହ୍ନାଙ୍କୁ ରିଷଭ ପନ୍ତ ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ କଠିନ ପରିଶ୍ରମ ଦ୍ୱାରା ନିଜର ଲକ୍ଷ ଆଡ଼କୁ ବଢ଼ିବାକୁ ଚେଷ୍ଟା କରିବ, ସଫଳତା ନିଶ୍ଚିତ ମିଳିବ। ତେବେ ରାହୁଲ ଦ୍ରାବିଡ ଓ ସିହ୍ନା ତାଙ୍କ ଜୀବନର ପ୍ରତିଟି ମୁହୁର୍ତ୍ତରେ ତାଙ୍କୁ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

You might also like