ଆୟରଙ୍କ ଧୂଆଁଧାର ବ୍ୟାଟିଂ; ପ୍ରଥମ ମ୍ୟାଚ୍‌ରୁ ଇଣ୍ଡିଆର ଜବରଦସ୍ତ ବିଜୟ

ଅକଲ୍ୟାଣ୍ଡ୍‌: ନ୍ୟୁଜିଲାଣ୍ଡ ଗସ୍ତରେ ବିଜୟରୁ ଯାତ୍ରା ଆରମ୍ଭ କଲା ଭାରତ। ଆଜି ଅକ୍‌ଲ୍ୟାଣ୍ଡରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭାରତ ୬ ଓ୍ୱିକେଟରେ ପରାସ୍ତ କରିଛି। ୨୦୪ ରନ୍ ପିଛା କରୁଥିବା ଭାରତୀୟ ଦଳ ଶେଷ ଗୋଟିଏ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶ୍ରେୟଶ୍ ଆୟର ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ନିଭେଇଥିଲେ।

ସେ ମାତ୍ର ୨୯ ବଲ୍‌ ଖେଳି ୫ ଚୌକା ଓ ୩ ଛକ୍କା ସହିତ ୫୮ ରନ୍ କରି ନଟ୍ ଆଉଟ୍ ରହିଥିଲେ। ତାଙ୍କ ବ୍ୟତୀତ ଓପନର୍ ଲୋକେଶ ରାହୁଲ୍ ୫୬ (୨୭ ବଲ୍‌, ୪ ଚୌକା, ୩ ଛକା) ରନ୍ କରିଥିବା ବେଳେ ବିରାଟ୍ କୋହଲି ୪୫ ରନ୍ କରିଥିଲେ।

 

Imageପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୫ ଓ୍ୱିକେଟ୍ ହରାଇ ୨୦୩ ରନ୍  କରିଥିଲା। ନ୍ୟଜିଲାଣ୍ଡ ପକ୍ଷରୁ ଓ୍ୱିଲିୟମସନ୍, ଟେଲର ଓ ମୁନ୍ରୋ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।  ଆସନ୍ତା ୨୬ ତାରିଖରେ ଅକ୍ଲାଣ୍ଡରେ ଦ୍ୱିତୀୟ ଟି-୨୦ ଖେଳାଯିବ।

ମ୍ୟାଚ୍‌ର ବିସ୍ତାର ବିବରଣୀ-

Image

ଭାରତ ପ୍ରଥମେ ଟସ୍‌ ଜିତି  ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମେୟ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ତା’ର ତିନି ଅଭିଜ୍ଞ ଖେଳାଳି କଲିନ୍ ମୁନରୋ (୫୯), କ୍ୟାପଟେନ୍ କେନ୍ ୱିଲିୟମସନ୍ (୫୧) ଓ ରସ୍ ଟେଲର (୫୪*) ବଳରେ କିୱି ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୩ ରନର ବିଶାଳ ସ୍କୋର କରିଥିଲା।

ଭାରତ ଶ୍ରେୟଶ ଆୟର୍ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି।  ତାଙ୍କ ସହ ମନିଷ ପାଣ୍ଡେ (୧୪) ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୬୨ ରନ୍ ଯୋଡ଼ି ଭାରତକୁ ବିଜୟୀ କରାଇଛନ୍ତି।

Image

ସେହିଭଳି ବୋଲିଂରେ ଭାରତୀୟ ଟିମ୍ ଅଲରାଉଣ୍ଡର ଶିବମ ଦୁବେ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ୬ ବୋଲରଙ୍କୁ ନେଇ ଓହ୍ଲାଇଥିଲା। ୟୁଜବେନ୍ଦ୍ର ଚହଲଙ୍କୁ କୁଲଦୀପ ଯାଦବ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ନଭଦୀପ ସାଇନିଙ୍କ ସ୍ଥାନରେ ସାମିଲ୍ କରାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ଦ୍ରୁତ ଆରମ୍ଭ କରିଥିଲା। ଦୁଇ ବିସ୍ଫୋରକ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ ପାୱାରପ୍ଲେ’ରେ ୬୮ ରନ୍ ଯୋଡ଼ିଥିଲେ। ଭାରତ ବିପକ୍ଷ ଟି-୨୦ କ୍ରିକେଟରେ ପାୱାରପ୍ଲେ’ରେ ନ୍ୟୁଜିଲ୍ୟାଣ୍ଡର ଏହା ସର୍ବାଧିକ ସ୍କୋର। ଭାରତ ପ୍ରଥମ ୮ ଓଭରରେ ୬ ବୋଲରଙ୍କୁ ଲଗାଇଥିଲା।

Image

ଦୁବେ ଓପ୍ନର ମାର୍ଟିନ୍ ଗପ୍ଟିଲଙ୍କୁ ଆଉଟ୍ କରି ଏହି ଭାଗୀଦାରୀକୁ ଭାଙ୍ଗିଥିଲେ, ଯାହାଙ୍କ କ୍ୟାଚ୍ ରୋହିତ୍ ଶର୍ମା ଧରିଥିଲେ। ଏହା ପରେ କ୍ୟାପଟେନ୍ ୱିଲିୟମସନ୍ ମଇଦାନକୁ ଆସିଥିଲେ ଏବଂ ସେ ମୁନରୋଙ୍କ ସହ ୨୪ ବଲରେ ୩୬ ରନ୍ ଯୋଡ଼ିଥିଲେ। ମୁନରୋ ୩୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଠାକୁର ମୁନରୋଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ମୁନରୋ ୪୨ ବଲରେ ୬ ଚୌକା ଓ ୨ ଛକା ବଳରେ ୫୯ ରନ୍ କରିଥିଲେ। ମୁନରୋଙ୍କ ଆଉଟ୍ ହେବାର ଦୁଇଟି ବଲ୍ ପରେ ରବୀନ୍ଦ୍ର ଜାଡେଜା କଲିନ୍ ଡି’ଗ୍ରାଣ୍ଡହୋମ୍ (୦)ଙ୍କୁ ଆଉଟ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡର ସ୍କୋ ୧୩ ଓଭରରେ ୩ ୱିକେଟରେ ୧୧୭ ରନରେ ଥିଲା।

Image

ଏହା ପରେ ଟିମର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ୱିଲିୟମସନ୍ ଓ ରସ୍ ଟେଲର୍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ଦୁହେଁ ୨୮ ବଲରେ ୬୧ ରନର ଭାଗୀଦାରୀ କରିଥିଲେ। ୱିଲିୟମସନ୍ ୨୬ ବଲରେ ୪ ଚୌକା ଓ ୪ ଛକା ସହାୟତାରେ ୫୧ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ବଲରେ କୋହଲିଙ୍କ ଦ୍ୱାରା ଧରା ପଡ଼ିଥିଲେ। ଟେଲର ନ୍ୟୁଜିଲ୍ୟାଣ୍ଡ୍ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ସେ ୨୭ ବଲରେ ୩ ଚୌକା ଓ ୩ ଛକା ସହାୟତାରେ ୫୪ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ଚହଲ୍‌, ଦୁବେ ଓ ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Image

୨୦୪ ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା (୭) ଘରୋଇ ଦଳର ବାମହାତୀ ସ୍ପିନର୍ ମିଚେଲ୍ ସାଣ୍ଟନରଙ୍କୁ ଛକା ମାରିବାର ପରବର୍ତ୍ତୀ ବଲରେ ଆଉଟ୍ ହୋଇଯାଇଥିଲେ। ରୋହିତଙ୍କ ପ୍ୟାଭିଲିୟନ୍ ଯିବା ପରେ ରାହୁଲ୍ ଓ କ୍ୟାପଟେନ୍ କୋହଲି ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ନ୍ୟୁଜିଲ୍ୟାଣ୍ଡର ସବୁ ବୋଲରଙ୍କୁ ଆଟାକ୍ କରିଥିଲେ। ରାହୁଲ୍ ନିଜର ଆକର୍ଷଣୀୟ ଫର୍ମ ବଜାୟ ରଖି ମାତ୍ର ୨୩ ବଲରେ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ୟପଟେ କୋହଲି ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ୮.୪ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଭାରତର ସ୍କୋର ୧୧୫ ଥିବା ବେଳେ ରାହୁଲ୍ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ତାଙ୍କ ପରେ କୋହଲି ମଧ୍ୟ ପ୍ୟାଭିଲିୟନ୍ ଫେରିଯାଇଥିଲେ।

Image

କୋହଲି ନିଜର ୪୫ ରନର ଇନିଂସରେ ୩୨ ବଲ୍ ଖେଳି ୩ ଚୌକା ଓ ୧ ଛକା ମାରିଥିଲେ। ବୋଲିଂରେ ଭଲ କରିଥିବା ଦୁବେ (୧୩) ଚୌକା ଓ ଛକା ମାରି ଦର୍ଶକକୁ ମନୋରଞ୍ଜନ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ୧୪୨ ରନରେ ୪ ୱିକେଟ୍ ହରାଇବା ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିଲା। କିନ୍ତୁ ଆୟର୍ ଓ ମନିଷ ରନ୍ ଗତି କାଏମ ରଖି ବ୍ୟାଟିଂ କରି ଭାରତର ବିଜୟକୁ ସହଜ କରିଦେଇଥିଲେ। ବିଶେଷକରି ଆୟର୍ କିୱି ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଛକା ଓ ଚୌକା ବର୍ଷା କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଇଶ ସୋଢ଼ୀ ୨ଟି, ସାଣ୍ଟନର୍ ଓ ବ୍ଲେୟାର୍ ଟିକନର୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

You might also like