ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ପରିଚିତ ହେବ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ
ମୋଟେରା: ବଦଳିଲା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ନାଁ ।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ନାଁରେ ପରିଚିତ ଥିବା ଗୁଜରାଟ ଅହମ୍ମଦାବାଦର ଏହି ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ ଏବେ ନରେନ୍ଦ୍ର ମୋଦିଙ୍କ ନାମରେ ପରିଚିତ ହେବ। ଆଜି ଭାରତ-ଇଂଲଣ୍ଡ ପିଙ୍କ ବଲ୍ ଟେଷ୍ଟ ପୂର୍ବରୁ ଏପରି ନାମ ପରିବର୍ତ୍ତନ କରାଯାଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନୁହେଁ ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମର ପରିଚୟ ପାଇବ। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି।
ଉଦ୍ଘାଟନୀ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ, କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏବଂ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ନିତୀନ ପଟେଲ ମହଜୁଦ୍ ଥିଲେ। ତେବେ ଅସୁସ୍ଥତା କାରଣରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିଲେ। ଅହମ୍ମଦାବାଦ୍ରେ ଥିବା ଏହି ଷ୍ଟାଡିୟମରେ ୧, ୩୨, ୦୦୦ ଲୋକ ବସିବା ପରି ବ୍ୟବସ୍ଥା ରହିଛି। ଏହି ଷ୍ଟାଡିୟମର ରକ୍ଷଣାବେକ୍ଷଣର ସମସ୍ୟା ଯେପରି ନ ହେବ ସେଥିପାଇଁ ରେଭିନ୍ୟୁ ମଡେଲ ମଧ୍ୟ ସେହି ଅନୁସାରେ କରାଯାଇଛି। ଅହମ୍ମଦାବାଦ ସହରକୁ ସ୍ପୋର୍ଟ୍ସ ସିଟି ଭାବେ ପରିଚିତ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।