ବିଲେଇ ଦେଖି ପାରା ଭୟରେ ଆଖି ବୁଜିଲା ଭଳି ଅବସ୍ଥା ଟିମ୍‌ ଇଣ୍ଡିଆର ହେଲା: ଶୋଏବ ଅଖତର

ନୂଆଦିଲ୍ଲୀ: ପାକିସ୍ତାନର ଦ୍ରୁତ ବୋଲର ତଥା ରାୱଲ ପିଣ୍ଡି ଏକ୍ସପ୍ରେସ୍‌ ନାମରେ ପରିଚିତ ଶୋଏବ ଅଖତର ଆଡିଲେଡ୍ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟକୁ କଡ଼ା ସମାଲୋଚନା କରିଛନ୍ତି। ଭାରତ ପାକିସ୍ତାନ ରେକର୍ଡ ଭାଙ୍ଗିଦେଲା, ଏଥିପାଇଁ ସେ ବହୁତ ଖୁସି ବୋଲି ଶୋଏବ କହିଛନ୍ତି। ଏହା ପୂର୍ବରୁ ୨୦୧୩ରେ ପାକିସ୍ତାନ ଜୋହନସବର୍ଗରେ ସାଉଥ୍‌ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ମୋଟ ୪୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା।

ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଟିମ୍‌ ଇଣ୍ଡିଆର ଅତି ଖରାପ ପ୍ରଦର୍ଶନକୁ କଡ଼ା ଭର୍ତ୍ସନା କରିବା ସହିତ ଏହି ପରାଜୟ ଟିମ୍‌ ଇଣ୍ଡିଆକୁ ସାରାଜୀବନ ମନେ ରହିବ ବୋଲି ଶୋଏବ କହିଛନ୍ତି। ସେ କହିଛନ୍ତି ଯେ ସକାଳୁ ଟିଭି ଦେଖିଲା ବେଳେ ହଠାତ୍ ଦେଖିଲି ଯେ ଭାରତ  ୩୬୯ ରନ୍ କରିଛି। ମୁଁ ଭାବିଲି ଏବେ ମ୍ୟାଚ୍‌ ଦେଖିବାକୁ ମଜା ଆସିବ। କିନ୍ତୁ ତାହା ତାହା ୩୬୯ ରନ୍‌ ନଥିଲା। ତାହା ଥିଲା ୩୬/୯ ୱିକେଟ୍‌। ଏହା ଦେଖି ଖରାପ ଲାଗିଲା। କ୍ରିକେଟ୍‌ରେ ଏମିତି ହୋଇଥାଏ। କିନ୍ତୁ ଭାରତ ସବୁ ସୀମା ଟପିଗଲା। ଆମ ଠାରୁ ବି ଆଗୁଆ ହୋଇଗଲା। ଆମେ ଥରେ ୫୩ ଓ ଆଉ ଥରେ ୫୯ରେ ଆଉଟ୍‌ ହୋଇଥିଲୁ। କିନ୍ତୁ ଭାରତ ୩୬ କରି ଆମ ରେକର୍ଡ ଭଲ କରିଦେଲା। ଭଲ କଲା ଟିମ୍‌ ଇଣ୍ଡିଆ। ଆମକୁ ସାହାଯ୍ୟ କଲା। କିନ୍ତୁ ଏହା ଅତି ଲଜ୍ଜାଜନକ ବୋଲି ଶୋଏବ କହିଛନ୍ତି।

ଶୋଏବ ଆହୁରି ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଭାରତ ଏକଦମ ବଦନାମ ହୋଇଗଲା। ଏହାକୁ ଯେତେ ସମାଲୋଚନା କଲେ ବି କମ୍‌ ହେବ। କିନ୍ତୁ ଭାରତକୁ ଏହି ସମାଲୋଚନା ସହିବାକୁ ପଡ଼ିବ। ଏଇଠାରୁ ଭାରତୀୟ ଟିମ୍‌ରେ ଏକ ପରିବର୍ତ୍ତନର ସଂକେତ ଆସିବ। ଭାରତ ବିଶ୍ୱକୁ ନମ୍ବର ୱାନ୍ କହୁଥିବା ବେଳେ ଏଭଳି ପରଜାୟ ଅତି ଲଜ୍ଜାଜନକ। ଏହା ଗ୍ରହଣୀୟ ନୁହେଁ। ଟିମ୍‌ ଇଣ୍ଡିଆ ଏହାକୁ ସାରା ଜୀବନ ମନେ ରଖିବ ବୋଲି ଶୋଏବ କହିଛନ୍ତି।

ଟିମ୍‌ ଇଣ୍ଡିଆର ଆଜିର ପରାଜୟକୁ ସମାଲୋଚନା କରିବା ଉଚିତ ବୋଲି ଶୋଏବ କହିଛନ୍ତି। ସେ କହିଛନ୍ତି, ମୁଁ ଭାରତକୁ ସପୋର୍ଟ କରେ, କିନ୍ତୁ ଏତେ କମ୍ ରନ୍‌ ଗ୍ରହଣୀୟ ନୁହେଁ। ଆଜିକାଲି ଛୋଟ ପିଲା ଭଳି କ୍ରିକେଟ୍‌ ଖେଳୁଛନ୍ତି ଆଉ ରେକର୍ଡ ପରେ ରେକର୍ଡ କରିଯାଉଛନ୍ତି। ଆମ ସମୟରେ କିମ୍ବା ଆମ ବରିଷ୍ଠମାନେ ଯେଉଁ କ୍ରିକେଟ୍ ଖେଳିଛନ୍ତି ତାହା ଆଜି ନାହିଁ ବୋଲି ଶୋଏବ କହିଛନ୍ତି।

ବିଲେଇକୁ ଦେଖି ଯେମିତି ପାରା ଭୟରେ ଆଖିବୁଜି ଦିଏ ଭାରତ ସହିତ ଆଜି ସେମିତି ହେଲା ବୋଲି ଶୋଏବ କଟୁ ସମାଲୋଚନା କରିଛନ୍ତି । ତେବେ ଏହି ମ୍ୟାଚ୍‌ରୁ ଟିମ୍‌ ଇଣ୍ଡିଆକୁ ଉପରକୁ ଉଠିବାକୁ ପଡ଼ିବ। ଏହା ଅତି କଷ୍ଟକର ହେବ ବୋଲି ଅଖତର କହିଛନ୍ତି।

ସୂଚନା ଥାଉକି, ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ୮ୱିକେଟ୍‌ରେ ହାରିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ତୃତୀୟ ଦିନରେ ୯ ରନ୍‌ରୁ ଖେଳ ଆରମ୍ଭ କରିଥିଲା। ଆଜି ମାତ୍ର ୨୭ ରନ୍ କରି ମୂଲ୍ୟବାନ ୮ୱିକେଟ୍‌ ହରାଇଥିଲା ଦଳ। ଆଉ ଅଷ୍ଟ୍ରେଲିଆକୁ ମିଳିଥିଲା ୯୦ ରନ୍‌ର ସହଜ ଟାର୍ଗେଟ୍। ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ୍ ହରାଇ ଏହି ମ୍ୟାଚ୍ ଜିତି ସହଜରେ ଜିତି ନେଇଥିଲା। ଷ୍ଟିଭ୍‌ ସ୍ମିଥ୍ (୧) ଓ ଜୋ ବର୍ଣ୍ଣସ (୫୧) ରନ୍ କରି ନଟ୍‌ଆଉଟ୍ ରହିଥିଲେ। ଏହି ବିଜୟ ସହ ଅଷ୍ଟ୍ରେଲିଆ ୪ ମ୍ୟାଚ୍‌ ବିଶିଷ୍ଠ ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। 

ଭିଡିଓରେ ଶୁଣନ୍ତୁ କ’ଣ କହୁଛନ୍ତି ଅଖତର-

You might also like