କଙ୍ଗାରୁ ଟିମ୍କୁ ବ୍ୟାଟ୍ରେ ଜବରଦସ୍ତ ଜବାବ ଦେଲା ଟିମ୍ ଇଣ୍ଡିଆ
ସିଡ୍ନୀ:ସିଡ୍ନୀରେ ଭାରତୀୟ କ୍ରିକେଟ ଟିମ୍ର ଦଳର ଲଢ଼ୁଆ ପ୍ରଦର୍ଶନ ଯୋଗୁ ଡ୍ର ହୋଇଛି ସିଡ୍ନୀ ଟେଷ୍ଟ ମ୍ୟାଚ। ଷଷ୍ଠ ୱିକେଟରେ ହନୁମା ଓ ଅଶ୍ୱିନଙ୍କ ଲଢ଼ୁଆ ପ୍ରଦର୍ଶନ ଯୋଗୁ ଟିମ୍କୁ ଏହି ସଫଳତା ମିଳି ପାରିଛି।
ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ଟିମ୍ର ଏକାଧିକ ଖେଳାଳି ଆହତ ହୋଇଥିଲେ। ଏପରିକି ମ୍ୟାଚବେଳେ ୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପକୁ ସାମ୍ନା କରିବା ପରେ କଙ୍ଗାରୁ ଟିମ୍କୁ ବ୍ୟାଟ୍ରେ ଦେଇଛି ଜବରଦସ୍ତ ଜବାବ ।
ଭାରତ ସାମ୍ନାରେ ୪୦୭ର ଲକ୍ଷ୍ୟ ଥିଲା। ମ୍ୟାଚର ୫ମ ତଥା ଶେଷ ଦିନର ଖେଳ ସମାପ୍ତ ହେବା ଭିତରେ ୫ ୱିକେଟରେ ୩୩୪ ରନ୍ କରି ମ୍ୟାଚ୍ ଡ୍ର କରାଇବାରେ ସଫଳ ହୋଇଥିଲା ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ପ୍ରଥମ ବାରିରେ ୩୩୮ ରନ୍ କରିଥିବାବେଳେ ୨ୟ ବାରିରେ ୬ ୱିକେଟରେ ୩୧୨ ରନ୍ କରି ସମାପ୍ତ ଘୋଷଣା କରିଥିଲା।
ପଞ୍ଚମ ତଥା ଅନ୍ତିମ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୯୮/୨ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା ଓ ରାହାଣେଙ୍କ ଉପରେ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ କରୁଥିଲା। କିନ୍ତୁ ଆରମ୍ଭରୁ ରାହାଣେ(୪)ଙ୍କୁ ଆଉଟ୍ କରି ନାଥନ ଲିୟନ୍ ଭାରତର ଆଶାକୁ କ୍ଷୀଣ କରିଦେଇଥିଲେ। ହେଲେ ଅଷ୍ଟ୍ରେଲିଆର ଏହି ଖୁସିକୁ ନିରାଶରେ ପରିଣତ କରିଥିଲେ ପୂଜାରା ଓ ପନ୍ତ। ପ୍ରଥମ ଇନିଂସରେ ଆହତ ହୋଇଥିବା ପନ୍ତ ଆଜି ବିହାରୀ ବଦଳରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ।
କ୍ରିଜକୁ ଆସିବା ମାତ୍ରକେ ପନ୍ତ ନିଜର ସ୍ୱାଭାବିକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଗୋଟିଏ ପଟେ ପୂଜାରା ଧୈର୍ଯ୍ୟର ସହ ଖେଳୁଥବା ବେଳେ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ପନ୍ତ ଓ ପୂଜାରା ଚତୁର୍ଥ ୱିକେଟ୍ ପାଇଁ ୧୪୮ ରନର ଶତକୀୟ ପାର୍ଟନରଶିପ୍ କରିଥିଲେ। ଏହି ଭାଗିଦାରୀ ହିଁ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଭାରତର ସ୍କୋର ୨୫୦ ଥିବା ବେଳେ ପନ୍ତ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ ହରାଇ ବସିଥିଲେ ଏବଂ ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।
ପନ୍ତ ୧୧୮ ବଲରେ ୧୨ ଚୌକା ଓ ୩ ଛକା ସହ ୯୭ ରନ୍ କରି ଲିୟନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ପୂଜାରା ଓ ବିହାରୀ ପାଖାପାଖି ୯ ଓଭର ବ୍ୟାଟିଂ କରି ଆଉ ଏକ ଭଲ ଭାଗିଦାରୀ ଆଡ଼କୁ ଅଗ୍ରସର ହେଉଥିଲେ। କିନ୍ତୁ ଘରୋଇ ଦଳର ପେସର୍ ଜୋଶ ହେଜଲଉଡ୍ଙ୍କ ବଲରେ ପୂଜାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ପୂଜାରା ୨୦୫ ବଲରେ ୧୨ ଚୌକା ସହ ୭୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।
ପୂଜାରା ଆଉଟ୍ ହେବା ପରେ ଅଷ୍ଟ୍ରେଲିଆର ବିଜୟ ଆଶା ଉଜ୍ଜୀବିତ ହୋଇଥିଲା। ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୫ ୱିକେଟ୍ ଆବଶ୍ୟକ ହେଉଥିବା ବେଳେ ଭାରତକୁ ମ୍ୟାଚ୍ ବଞ୍ଚାଇବା ପାଇଁ ପ୍ରାୟ ୪୩ ଓଭର ଖେଳିବାକୁ ଥିଲା। କ୍ରିଜରେ ବିହାରୀଙ୍କୁ ସାଥ୍ ଦେଇଥିଲେ ଅଶ୍ୱିନ୍। ପୂରା ସିରିଜରେ ବ୍ୟାଟିଂରେ ଫେଲ୍ ମାରିଥିଲେ ହେଁ ଏଥର କମାଲ ଖେଳ ପ୍ରଦର୍ଶନ କରିଥିଲେ। ଉଭୟେ ବିହାରୀ ଓ ଅଶ୍ୱିନ୍ କଙ୍ଗାରୁ ବୋଲରଙ୍କୁ ୱିକେଟ୍ ନେବା ପାଇଁ ନୟାନ୍ତ କରିଥିଲେ। ଅଷ୍ଟ୍ରେଲିଆ ମଧ୍ୟ ସବୁ ରଣନୀତି ଆପଣାଇଥିଲେ ହେଁ ଭାରତର ଏହି ଯୋଡ଼ିକୁ ଭାଙ୍ଗି ପାରିନଥିଲେ। ଦୁହେଁ ୪୨.୪ ଓଭର ବ୍ୟାଟିଂ କରି ୬୨ ରନ୍ର ପାର୍ଟନରଶିପ୍ କରି ଭାରତକୁ ପରାଜୟରୁ ରକ୍ଷା କରିବା ସହ ମ୍ୟାଚକୁ ଚିରାଚରିତ ଢଙ୍ଗରେ ଡ୍ର’ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ଓ ଲିୟନ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ କମିନ୍ସ ଗୋଟିଏ ସଫଳତା ପାଇଛନ୍ତି।
ଭାରତୀୟ ବ୍ୟାଟ୍ସମାନ ଶେଷ ଦିନରେ ପ୍ରାଣମୂର୍ଚ୍ଛା ସଂଘର୍ଷ କରିଥିଲା। ଭାରତୀୟ ଦଳର ଏହି ଜବରଦସ୍ତ ବ୍ୟାଟିଂ ଦେଖି ସାରା କ୍ରିକେଟ ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏମିତିକି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ ରିକି ପଟିଂ (Ricky Ponting) ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ଭୂରି ପ୍ରଶଂସା କରିଛନ୍ତି। ପଟିଂ ଟ୍ୱିଟ୍ରେ ଲେଖିଛନ୍ତି, ‘ଆଜି ପୁରା ଦିନ ଭାରତର ସଂଘର୍ଷ ଏବଂ ଦୃଢ ସଙ୍କଳ୍ପ ପ୍ରଶଂସାଯୋଗ୍ୟ। ପନ୍ତ ଏବଂ ପୂଜାରାଙ୍କ ଦ୍ୱାରା ମ୍ୟାଚ୍ ଆରମ୍ଭ, ଏହାପରେ ବିହାରୀ ଏବଂ ଅଶ୍ୱିନୀ ଅଷ୍ଟ୍ରେଲିଆ ଟିମକୁ ସାମ୍ନା କରିବା ବହୁତ ପ୍ରଭାବଶାଳୀ ଥିଲା। ‘
Loved the fight and determination of India all day today. Starting with Pant and Pujara, and then for Vihari and Ashwin to withstand Australia and look largely in control for most of the day was very impressive. Can’t wait for Brisbane now. #AUSvIND
— Ricky Ponting AO (@RickyPonting) January 11, 2021