ଘୋଷଣା ହେଲା ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ

ଟୋକିଓ: କରୋନାଭାଇରସ୍ ପାଇଁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ ସୋମବାର ଘୋଷଣା କରାଯାଇଛି। ନୂଆ ତାରିଖ ଅନୁଯାୟୀ ଏବେ ଏହି କ୍ରୀଡ଼ା ମହାକୁମ୍ଭ ୨୦୨୧, ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ନେଇ ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ ମୋରି ସୂଚନା ଦେଇଛନ୍ତି।

ସୋମବାର ଉଭୟ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଓ ସ୍ଥାନୀୟ ଆୟୋଜକଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ତାରିଖର ଘୋଷଣା କରାଯାଇଛି। ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ସଭାପତି ୟୋଶିରୋ ମୋରି ସଙ୍କେତ ଦେଇଥିଲେ ଯେ, ୨୦୨୧ରେ ହେବାକୁ ଥିବା ଅଲିମ୍ପିକ୍ସର ତାରିଖ ସୋମବାର ଦିନ ହିଁ ଘୋଷଣା କରାଯିବ। ସେହିପରି ପାରାଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ଆସନ୍ତା ବର୍ଷ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଆୟୋଜିତ ହେବ।

ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ହେବାର ଥିଲା। କିନ୍ତୁ କରୋନାଭାଇରସ୍ ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଆଇଓସି ଓ ଜାପାନ ସରକାର ଏହି କ୍ରୀଡ଼ାକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବା ନେଇ କହି ଆସୁଥିଲେ। କିନ୍ତୁ କରୋନାଭାଇରସର ବଢ଼ୁଥିବା ପ୍ରକୋପ ମଧ୍ୟରେ କ୍ରୀଡ଼ା ମହାସଂଘ ଏବଂ ଖେଳାଳିଙ୍କ ଚାପରେ ଆସି ଆଇଓସି ଓ ଜାପାନ ସରକାର ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଥିଲେ।
You might also like