ବିଶ୍ୱକପ୍ ହକି ପାଇଁ ଚାଲିଛି ପ୍ରମୋସନ, ମହିଳା ବିଶ୍ୱକପ୍ ହକି ଦେଖିବାକୁ ଇଂଲଣ୍ଡ ଗଲେ କ୍ରୀଡ଼ାମନ୍ତ୍ରୀ
ଭୁବନେଶ୍ୱର: ବିଶ୍ୱକପ୍ ହକି ପାଇଁ ସରକାରୀ ସ୍ତରରେ ଚାଲିଛି ପ୍ରମୋସନ। ଲଣ୍ଡନଠୁ ଆରମ୍ଭ କରି ଦିଲ୍ଲୀ ବେଙ୍ଗାଲୁରୁ ଓ ଭୁବନେଶ୍ୱର। ସବୁଠି ଜମିଛି ପ୍ରମୋସନ୍। ଏହା ସହିତ ଗ୍ୟାଲେରୀ କାମ ବି ଜୋରସୋରରେ ଚାଲିଛି। ଚାମ୍ପିୟନ୍ସ ଟ୍ରଫି ହକି ଏବଂ ବିଶ୍ୱହକି ଲିଗ ଫାଇନାଲ୍ରେ ଅଧିକ ଦର୍ଶକଙ୍କ ପାଇଁ ହେଉଛି କଳିଙ୍ଗ ଷ୍ଟାଡିୟମ୍ରେ ବ୍ୟବସ୍ଥା। ପୂର୍ବରୁ ୧୦ ହଜାର ଲୋକଙ୍କ ପାଇଁ ଏଠାରେ ୨ଟି ଗ୍ୟାଲେରୀ ଥିଲା। ଏବେ ତାହା ୪ଟି ଗ୍ୟାଲେରୀରେ ୧୬ ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ କରାଯାଇଛି। ନୂଆ ଚେୟାର ଫିଟିଙ୍ଗ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହ ଷ୍ଟାଡିୟମକୁ ଆକର୍ଷଣୀୟ ରଙ୍ଗ ଦିଆଯିବା ସହ ଓଭର ବ୍ରିଜ୍ କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।
ଆଗାମୀ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ଯାଏ ଚାଲିବ ବିଶ୍ୱକପ୍ ହକି। ଏଥିରେ ବିଶ୍ୱର ଟପ୍ ୧୬ଟି ଟିମ୍ ଭାଗ ନେବେ। ତେବେ ଭୁବନେଶ୍ୱର ଆସୁ୍ଥିବା ସମସ୍ତ ଟିମ୍ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ହୋଟେଲରେ ଖେଳାଳିଙ୍କୁ ରଖାଯିବା ପାଇଁ ଯୋଜନା ହୋଇଛି।
ଅନ୍ୟପକ୍ଷରେ ଏବେ ଲଣ୍ଡନରେ ଚାଲିଛି ମହିଳା ବିଶ୍ୱକପ୍ ହକି। ଏହାର ସୁରକ୍ଷା ବ୍ୟବସ୍ଥା ଏବଂ ଆୟୋଜନ ଶୈଳୀକୁ ଅନୁଧ୍ୟାନ କରିବା ପାଇଁ ଇଂଲଣ୍ଡ ଗସ୍ତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ତାଙ୍କ ସହ ଗୃହ ସଚିବ ଅସିତ୍ ତ୍ରିପାଠୀ, ବିଭାଗୀୟ ସଚିବ ବିଶାଲ ଦେବ ଏବଂ ପୋଲିସ ଡିଜି ଆର.ପି. ଶର୍ମା ମଧ୍ୟ ଅନୁଧ୍ୟାନ ପାଇଁ ଲଣ୍ଡନ ଯାଇଛନ୍ତି।