• translate
Satyendu Shekher Mishra

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦୌଡରେ ଅଲମ୍ପିଆନ୍ ଦୂତି ଚାନ୍ଦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରାଯାଇଛି । ସେହିଭଳି ଟୋକିଓ ଅଲମ୍ପିକ୍ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଛି । ହକିକୋଚ୍ କାଳୁ ଚୌଧୁରୀଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିଶ କରାଯାଇଛି ।

ଏହି ଜାତୀୟ ପୁରସ୍କାର ପାଇଁ ନାମ ସୁପାରିଶ କରିବାର ଗତକାଲି ଶେଷ ତାରିଖ ରହିଥିଲା । ଏହି ଶେଷ ତାରିଖରେ ହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୪ ଜଣଙ୍କ ନାଁ ସୁପାରିଶ କରାଯାଇଛି ।

ଅନ୍ୟପଟେ ନିକଟ ଅତୀତରେ ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କରିଛନ୍ତି ଦୂତୀ ଚାନ୍ଦ । ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରି’ରେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ଦୂତୀ । ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ସେ ପୁଣି ଏକ ନୂଆ ରେକର୍ଡ କରିଛନ୍ତି । ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା ।

ତେବେ ଅନେକ ଜାତୀୟ ରେକର୍ଡ ଦୂତୀଙ୍କ ନାଁରେ ରହିଥିଲେ ମଧ୍ୟ ତାଙ୍କୁ ଟୋକିଓ ଅଲମ୍ପିକରେ ସ୍ଥାନ ମିଳିପାରି ନାହି । ଅଲମ୍ପିକରେ କ୍ୱାଲିଫାଏ କରିବାକୁ ସେ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ଅଲମ୍ପିକ୍ ପାଇଁ କ୍ୱାଲିଫାଏ ଟାଇମିଂ ୧୧.୧୫ ସେକେଣ୍ଡ ଧାର୍ଯ୍ୟ ଅଛି । କିନ୍ତୂ ଦୂତୀ ୦.୦୨ ସେକେଣ୍ଡ ପାଇଁ ଏହି ବଡ଼ ସଫଳତାରୁ ବଞ୍ଚିତ ହୋଇଛନ୍ତି ।

ଚାମ୍ପିଅନସିପ୍‌ର ୧୦୦ ମିଟର୍ ଫାଇନାଲ୍ ମୁକାବିଲାରେ ଦୂତୀ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କର୍ଣ୍ଣାଟକର ଧନେଶ୍ୱରୀ ଏଟି ୧୧.୪୮ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ଏବଂ ପଶ୍ଚିମବଙ୍ଗର ହିମଶ୍ରୀ ରୟ ୧୧.୭୨ ସେକେଣ୍ଡରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

Other Stories