ଓଡ଼ିଶା-ଆସାମ ରଣଜୀ ମୁକାବିଲା
ଗୌହାଟୀ ରଣଜୀ ମ୍ୟାଚ୍ରେ ଆସାମକୁ ହରାଇଲା ଓଡ଼ିଶା
ଗୌହାଟୀ : ଗୌହାଟୀ ରଣଜୀରେ ଘରୋଇ ଅାସାମକୁ ୯ ଓ୍ୱିକେଟରେ ହରାଇଲା ଓଡ଼ିଶା। ଜିତିବା ପାଇଁ ଆବଶ୍ୟକ ଥିବା ୧୪ ରନ୍ ଟାର୍ଗେଟକୁ ଗୋଟିଏ ଓ୍ୱିକେଟ ହରାଇ ହାସଲ କରି ନେଇଥିଲା ବିପ୍ଲବ ସାମନ୍ତରାୟଙ୍କ ଟିମ୍। ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ବିଜୟ।
ଏହି ବିଜୟ ସହ ଦଳକୁ ୬ ପଏଣ୍ଟ ମିଳିଛି। ପୂର୍ବରୁ ଅାସାମ ଅାଜି ୪ ଓ୍ୱିକେଟରେ ୬୦ ରନ୍ରୁ ଖେଳ ଅାରମ୍ଭ କରି ୧୩୨ ରନ୍ରେ ଅଲ୍ ଅାଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଅାସାମର ବିପର୍ଯ୍ୟୟ ଘଟାଇଥିଲେ ଯୁବ ପେସ୍ ବୋଲର ରାଜେଶ ମହାନ୍ତି। ତାଙ୍କୁ ୬ଟି ଓ୍ୱିକେଟ୍ ମିଳିଥିବା ବେଳେ ଅନ୍ୟ ଯୁବ ତାରକା ଦେବବ୍ରତ ପ୍ରଧାନ ୨ଟି ଓ ବସନ୍ତ ମହାନ୍ତି ଗୋଟିଏ ଓ୍ୱିକେଟ୍ ପାଇଛନ୍ତି।
ରାଜେଶ ପ୍ରଥମ ଇନିଂସରେ ୫ଟି ଓ୍ୱିକେଟ ନେଇଥିଲେ। ନିଜର ୩ୟ ମ୍ୟାଚ୍ ଖେଳୁଥିବା ରାଜେଶ ପ୍ରଥମ ଥର ଲାଗି ମ୍ୟାଚ୍ରେ ୧୦ରୁ ଅଧିକ ଓ୍ୱିକେଟ୍ ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି। ଓ଼ଡ଼ିଶା ପ୍ରଥମ ଇନିଂସରେ ୨୪୦ ରନ୍ କରିଥିବା ବେଳେ ଅାସାମ କରିଥିଲା ୧୨୧ ରନ୍। ୩ଟି ମ୍ୟାଚ୍ରୁ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ୭ ପଏଣ୍ଟ ମିଳିଛି।