ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଏ ପର୍ଯ୍ୟନ୍ତ ୩ ଜଣ ହକି ଖେଳାଳି ନିଜ ସ୍ଥାନ ପକ୍କା କରିଥିବା ବେଳେ ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କୁ ଉଭୟ ପୁରୁଷ ଓ ମହିଳା ଟିମ୍‌ର ଉପ ଅଧିନାୟକ ପଦ ମିଳିବା ଓଡ଼ିଶାକୁ ଗୌରବ ଆଣିଛି । ଏମାନଙ୍କ ଛଡ଼ା ଆଉ ଜଣେ ଓଡିଆ ଡାକ୍ତରଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ତେବେ ଅଲିମ୍ପିକସରେ ଆଉ କେଉଁ ଓଡ଼ିଆଙ୍କୁ ମିଳିପାରେ ଟୋକିଓ ଟିକେଟ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ବୀରେନ୍ଦ୍ର ଲାକ୍ରା-ଅମିତ ରୋହିଦାସ-ଦୀପଗ୍ରେସ ଏକ୍କା । ଟୋକିଓ ଅଲିମ୍ପିକ୍ସରେ ଚମକିବେ ଏହି ତିନି ଓଡ଼ିଆ ଡିଫେଣ୍ଡର । ଟୋକିଓ ଅଲିମ୍ପିକ୍ସ ଲାଗି ଘୋଷିତ ୧୬ ଜଣିଆ ଭାରତୀୟ ହକି ଦଳରେ ସ୍ଥାନ ପାଇଛନ୍ତି ବୀରେନ୍ଦ୍ର ଓ ଅମିତ ରୋହିଦାସ । ଆଉ ମହିଳା ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ନିଜ ସ୍ଥାନ ପକ୍କା କରିଛନ୍ତି ଦୀପଗ୍ରେସ୍ । ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା ଭାରତୀୟ ପୁରୁଷ ହକି ଦଳର ଏକ ଦୃଢ଼ ସ୍ତମ୍ଭ ଭାବେ ଜଣାଶୁଣା । ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ଭାରତ ପାଇଁ ଖେଳିସାରିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ଦଳରେ ଥିଲେ ମଧ୍ୟ ଆହତ ଯୋଗୁଁ ବାଦ୍ ପଡିଥିଲେ ।

ଟୋକିଓରେ ନିଜର ଦ୍ୱିତୀୟ ଅଲିମ୍ପିକ୍ସ ପ୍ରଦାର୍ପଣ କରିବେ ଏହି ଭେଟେରାନ ଡିଫେଣ୍ଡର । ଏହି କ୍ରୀଡା ମହାକୁମ୍ଭ ଲାଗି ତାଙ୍କୁ ଟିମ୍‌ର ଭାଇସ୍ କ୍ୟାପଟେନ୍ ଭଳି ଗୁରୁ ଦାୟିତ୍ୱ ମଧ୍ୟ ମିଳିଛି । ସେହିପରି ଗତ କିଛି ହେବ ବର୍ଷ ଭାରତୀୟ ଦଳରେ ନିୟମିତ ସ୍ଥାନ ପାଇ ଆସୁଥିବା ଯୁବ ଡିଫେଣ୍ଡର ଅମିତ ରୋହିଦାସ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳିବେ । ସେପଟେ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ମହିଳା ଦଳରେ ନିଜର ସ୍ଥାନ ପକ୍କା କରି ଆସୁଥିବା ୨୭ ବର୍ଷୀୟା ଦୀପଗ୍ରେସ୍‌ଙ୍କୁ ମଧ୍ୟ ଟିମ୍‌ର ଭାଇସ୍ କ୍ୟାପେଟନ୍ ଭାବେ ନିଯୁକ୍ତ କରାଯାଇଛି ।

ଦେଖନ୍ତୁ ପୁରା ରିପୋର୍ଟ

ସେପଟେ ଅଲିମ୍ପିକସରେ ଭାଗ ନେବାକୁ ଥିବା ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ସ୍ୱାସ୍ଥାବସ୍ଥା ବୁଝିବେ ଜଣେ ଓଡ଼ିଆ ଡାକ୍ତର ।ମେଡିସିନରେ ଖ୍ୟାତି ଅର୍ଜନ କରିଥିବା ଭୁବନେଶ୍ୱରର ଡାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ଅନ୍ତର୍ଜାତୀୟ ହକି ମହାସଂଘ ତରଫରୁ ଟୋକିଓ ଅଲିମ୍ପିକ୍ସ ପାଇଁ ମେଡିକାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି ।

ଏହି ୪ ଓଡ଼ିଆଙ୍କ ବ୍ୟତୀତ ଆଉ ଜଣେ ଓଡ଼ିଆ ଟୋକିଓ ଅଲିମ୍ପ୍ସିକ୍ସ ଖେଳିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି । ବିଶ୍ୱ ଆଥଲେଟିକ୍ସ ରାଙ୍କିଂର ଶହେ ମିଟର ଇଭେଣ୍ଟରେ ୪୨ ନମ୍ବର ସ୍ଥାନରେ ଅଛନ୍ତି ଷ୍ଟାର ସ୍ପ୍ରିଣ୍ଟର ଦୂତି ଚାନ୍ଦ । ତେଣୁ ରାକିଂ ଅନୁସାରେ ଟୋକିଓରେ ନିଜର ଦ୍ୱିତୀୟ ଅଲିମ୍ପିକସ ଖେଳିବା ଏକ ପ୍ରକାର ନିଶ୍ଚିତ ଥିବା ବେଳେ କେବଳ ଔପଚାରିକ ଭାବେ ଘୋଷଣା ବାକି ରହିଛି । ପୁଣି ଏହି ମାସ ୨୫ରୁ ୨୯ ତାରିଖରେ ପାଟିଆଲା ଠାରେ ଇଣ୍ଟର ଷ୍ଟେଟ ସିନିୟର ଆଥଲେଟିକ୍ସ ଚାମ୍ପିୟାନସିପ ରହିଛି । ଏହି ପ୍ରତିଯୋଗିତାରେ ଯଦି ସେ ଶହେ ମିଟରକୁ ୧୧.୧୫ ସେକେଣ୍ଡରେ ଅତିକ୍ରମ କରନ୍ତି, ତାହାହେଲେ ସିଧା ସଳଖ ଟୋକିଓ ଟିକଟ ହାତେଇବେ ଦୂତୀ ।

Other Stories