ହକିପ୍ରେମୀ ନିରାଶ! ଖୋଲୁନି ୱେବ୍ସାଇଟ୍, ମିଳୁନି ଟିକେଟ୍
ଭୁବନେଶ୍ୱର: ଆଜିଠୁ ଅନ୍ଲାଇନ୍ରେ ବିକ୍ରି ହେଉଛି ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକେଟ୍। ମଧ୍ୟାହ୍ନ ୧୨ଟାରୁ ticketgenie.in ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ତେବେ ଟିକଟ୍ ବିକ୍ରି ଅାରମ୍ଭ ହେବା କ୍ଷଣି ୱେବସାଇଟ୍ କାମ କରୁନଥିବା ନଜର ଅାସିଛି। ଫଳରେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବହୁ ସଂଖ୍ୟକ ହକିପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି। ସଂପୃକ୍ତ ୱେବ୍ସାଇଟ୍ ଖୋଲୁ ନଥିବା ଅଭିଯୋଗ ହୋଇଛି।
ଏଠାରେ ପ୍ରଶ୍ନ ଉଠୁଛି ଯେ, ଆଜିଠୁ ଅନ୍ଲାଇନ୍ରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକେଟ୍ ବିକ୍ରି ହେବାନେଇ ଆଗରୁ ଘୋଷଣା କରାଯାଇଥିଲା। ଫଳରେ ସମସ୍ତେ ଆଜିର ଦିନକୁ ଅପେକ୍ଷା କରିଥିଲେ। କିନ୍ତୁ ଆଜି ୧୨ଟାରେ ୱେବ୍ସାଇଟ୍ ପେଜ୍ ଖୋଲିବାରୁ ଏହା ଖୋଲି ନଥିଲା। ତେବେ ଜାଣଶୁଣି ପେଜ୍ ବନ୍ଦ କରାଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏଠାରେ ଆପଣଙ୍କୁ କହି ରଖୁଛି କି, ପୂର୍ବରୁ କାଉଣ୍ଟରରେ ଟିକେଟ୍ ନମିଳିବାରୁ ଟିକେଟ୍ କାଉଣ୍ଟରରେ ଭଙ୍ଗାରୁଜା ହୋଇଥିଲା। ପୁଣି ଆଜିର ଏଭଳି ଘଟଣାକୁ ନେଇ ହକିପ୍ରେମୀଙ୍କୁ ଆଘାତ ପହଞ୍ଚାଇ ଥିବା କୁହାଯାଉଛି।
ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍ରେ ଏବଂ ୨୮ ତାରିଖରେ ବାରବାଟୀରେ ହେବ।
ଉଭୟ ସ୍ଥାନରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍.ରହମାନଙ୍କ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ତା’ ସହ ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଉଭୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଓ ବାହୁବଳି ଷ୍ଟାର ପ୍ରଭାସ ସାମିଲ ହେବେ ବୋଲି ଜଣାପଡ଼ିଛି।
କଳିଙ୍ଗ ଷ୍ଟାଡିୟମ୍ରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବ ପାଇଁ ୧୦ ହଜାର ୫ଶହ ଟିକେଟ୍ ଏବଂ ବାରବାଟୀ ଉତ୍ସବ ପାଇଁ ୩୦ ହଜାର ଟିକେଟ୍ ବିକ୍ରି ହେବ।
ଉଦ୍ଘାଟନୀ ଉତ୍ସବ ଏବଂ ମ୍ୟାଚ୍ ଗୁଡ଼ିକର ସିଧାପ୍ରସାରଣ ଦେଖିବା ପାଇଁ ଦର୍ଶକଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍ସିଡି ଲାଗିବ ବୋଲି ସୂଚନା ମିଳିଛି।