କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ୧୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ୱାନି
ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅଛନ୍ତି ନୀତା ଅମ୍ବାନୀ। ଏହି ତାଲିକାରେ ଟେନିସ୍ ତାରକା ସେରେନା ୱିଲିୟମସ୍ ଓ ଜିମ୍ନାଷ୍ଟିକ୍ କ୍ରୀଡ଼ାବିତ ସିମୋନ ବାଇଲ୍ସଙ୍କ ନାମ ମଧ୍ୟ ରହିଛି।
କ୍ରୀଡ଼ା ବ୍ୟବସାୟ ନେଟୱର୍କ ଆଇସ୍ପୋର୍ଟସକନେକ୍ଟ ପକ୍ଷରୁ ୨୦୨୦ କ୍ରୀଡ଼ା କ୍ଷେତ୍ରରେ ପ୍ରଭାବଶାଳୀ ମହିଳାଙ୍କର ତାଲିକା ପ୍ରକାଶ କରାଯାଇଛି। କୁହାଯାଇଛି ଯେ, ୨୫ ଜଣଙ୍କୁ ନେଇ ପ୍ରାଥମିକ ତାଲିକା ପ୍ରସ୍ତୁତ କରାଯାଇଥିଲା । ବିଶେଷଜ୍ଞ କମିଟିର ମତାମତ ମିଳିବା ପରେ ଶ୍ରେଷ୍ଠ ୧୦ ମହିଳାଙ୍କ ତାଲିକା ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଥିଲା।
ଚୟନ କମିଟିରେ ଟେଲ୍ଷ୍ଟ୍ରାର ଗ୍ଲୋବାଲ ସେଲସ୍ ହେଡ୍ ଆନ୍ନା ଲକ୍ଉଡ୍, ୱାଇ ସ୍ପୋର୍ଟସ୍ର ମ୍ୟାନେଜିଂ ପାର୍ଟନର୍ ତଥା ଓମେନ ଇନ ସ୍ପୋର୍ଟସ୍ର ପୂର୍ବତନ ଅଧ୍ୟକ୍ଷା ସେଲି ହାଙ୍କକ୍, ଆଇସିସି ପାଇଁ ଗଣମାଧ୍ୟମ ସତ୍ୱଧିକାରର ପୂର୍ବତନ ମୁଖ୍ୟ ଆରତି ଦେବାସ ଓ ଆଇସ୍ପୋର୍ଟସକନେକ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବର୍ମା ସଦସ୍ୟା ରହିଥିଲେ।
ଆଇସ୍ପୋର୍ଟସକନେକ୍ଟର ପକ୍ଷରୁ ନୀତା ଅମ୍ୱାନିଙ୍କ ସଂକ୍ରାନ୍ତରେ କୁହାଯାଇଛି ଯେ, ନୀତାଙ୍କ ନେତୃତ୍ୱରେ ମୁମ୍ୱାଇ ଇଣ୍ଡିଆନ ଦଳ ଆଇପିଏଲ ଇତିହାସରେ ସବୁଠୁ ସଫଳ ହୋଇପାରିଛି ଏବଂ ସେ ଦେଶର ବିଭିନ୍ନ କ୍ରୀଡ଼ା ପ୍ରକଳ୍ପ ସହିତ ଜଡ଼ିତ ରହିଛନ୍ତି।
ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ମହିଳାମାନେ ହେଉଛନ୍ତି ଜିମ୍ନାଷ୍ଟିକ୍ ଖେଳାଳୀ ସିମୋନ୍ ବାଇଲ୍ସ, ଫୁଟବଲ୍ ଖେଳାଳୀ ମେଗାନ ରାପିନୋ, ଟେନିସ ତାରକା ସେରେନା ୱିଲିୟମସ ଓ ନାଓମି ଓସାକା, ଫର୍ମୁଲା ୧ର ବିପଣନ ଓ ଯୋଗାଯୋଗ ନିର୍ଦେଶିକା ଏଲି ନୋରମାନ୍, ଡବ୍ଲୁଏନବିଏର କମିସନର କ୍ୟାଥି ଏଣ୍ଢେଲବର୍ଟ, ଫିଫାର ସେକ୍ରେଟାରି ଜେନେରାଲ ଫାତମା ସାମୋଉରା, ସ୍ପେସିଆଲ ଅଲିମ୍ପିକ୍ସର ସିଇଓ ମେରି ଡେଭିସ ଓ ଓମେନ୍ସ କ୍ରିକେଟ ଇସିବିର ପରିଚାଳନା ନିର୍ଦେଶିକା କ୍ଲେୟାର କନୋର୍।
ନୀତା ଅମ୍ୱାନି ୨୦୧୪ ଜୁନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋର୍ଡରେ ସାମିଲ ହୋଇଥିଲେ। ତାଙ୍କ ମାଲିକାନାରେ ଥିବା ମୁମ୍ୱାଇ ଇଣ୍ଡିଆନ୍ସ ଦଳ ଚାରି ଥର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଟାଇଟଲ ଜିତିଛି।