ସଚିନ୍‌ ଓ ବିରାଟ କିଏ ବେଷ୍ଟ, କ’ଣ କହିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ?

ମେଲବର୍ଣ୍ଣ: ଜଣଙ୍କୁ କ୍ରିକେଟ୍‌ର ଗଡ୍ ବୋଲି କୁହାଯାଏ, ଆଉ ଜଣେ ବର୍ତ୍ତମାନ ବିଶ୍ୱର ନମ୍ବର୍‌ ୱାନ୍‌ ବ୍ୟାଟ୍ସମ୍ୟାନ୍। ସଚିନ୍ ଓ ବିରାଟ୍ ଏହି ଦୁଇ ଖେଳାଳିଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ।  ବିରାଟ୍‌ଙ୍କ ଖେଳ ଦେଖିଲେ ସେ ସଚିନ୍‌ଙ୍କ ରେକର୍ଡ କାଟିପାରନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ। ତେବେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ କ’ଣ ସମାନତା ରହିଛି ଏବଂ କ’ଣ ଫରକ ରହିଛି, ତା’ର ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ।

କ୍ଲାର୍କଙ୍କ କହିବା ଅନୁଯାୟୀ, ସଚିନଙ୍କ ଭଳି ବଡ଼ ଶତକ ମାରିବାର ଦୃଢ଼ ଇଚ୍ଛାଶକ୍ତି ବିରାଟ୍ କୋହଲିଙ୍କ ପାଖରେ ରହିଛି। ସତ କହିବାକୁ ଗଲେ ସଚିନ ଜଣେ ପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍ ଏବଂ ମୋ ସମୟରେ ତାଙ୍କ ଭଳି ବ୍ୟାଟ୍ସମ୍ୟାନ୍ ହୁଏତ କେହି ନଥିଲେ। ଯଦି ଆମେ ଟେକ୍‌ନିକକୁ ଦେଖିବା, ତାହେଲେ ସଚିନ ଏଥିରେ ମାହିର୍। ସଚିନ ଯେତେବେଳେ ଲୟରେ ଥାନ୍ତି, ତାଙ୍କୁ ଆଉଟ୍ କରିବା ସବୁଠାରୁ କାଠିକର ପାଠ। ତେଣୁ ଟେକନିକରେ ସଚିନଙ୍କର କୌଣସି ଦୁର୍ବଳତା ଥିବା ମୁଁ ଦେଖିବାକୁ ପାଇନି। ତା’ଛଡ଼ା ଜଣେ ବ୍ୟାଟ୍ସମ୍ୟାନ୍ ଭୁଲ୍ କରନ୍ତୁ ବୋଲି ବୋଲର ଆଶା କରନ୍ତି।

ସଚିନଙ୍କ ବ୍ୟତୀତ କ୍ଲାର୍କ କୋହଲିଙ୍କ ବ୍ୟାଟିଂକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ଏବଂ ତାଙ୍କୁ ସବୁ ଫର୍ମାଟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। କୋହଲିଙ୍କର ଟି-୨୦ ରେକର୍ଡ ଅବିଶ୍ୱସନୀୟ ରହିଥିବା ବେଳେ ଟେଷ୍ଟ କ୍ରିକେଟରେ ମଧ୍ୟ ତାଙ୍କର ଦବଦବା ଦେଖିବାକୁ ମିଳିଛି। ଉଭୟ ସଚିନ ଓ କୋହଲିଙ୍କ ମଧ୍ୟରେ ଗୋଟିଏ ସମାନତା ରହିଛି ଏବଂ ତାହା ହେଉଛି ଉଭୟ ବଡ଼ ଶତକ ମାରିବାରେ ମାହିର୍।

ସଚିନ ଏକମାତ୍ର କ୍ରିକେଟର୍ ଭାବେ ୨୦୦ ଟେଷ୍ଟ ଖେଳିବା ସହ ୧୦୦ ଅନ୍ତର୍ଜାତୀୟ ଶତକ ମାରିବାର ଗୌରବ ଅର୍ଜନ କରିଛନ୍ତି। ସଚିନ ୨୦୦ ଟେଷ୍ଟରେ ୫୧ ଶତକ ସହ ୧୫୯୨୧ ରନ୍ ଏବଂ ୪୬୩ ଦିନିକିଆରେ ୪୯ ଶତକ ସହ ୧୮୪୨୬ ରନ୍ କରିଛନ୍ତି। କୋହଲି ୮୬ ଟେଷ୍ଟରେ ୨୭ ଶତକ ସହ ୭୨୪୦ ରନ୍ ଏବଂ ୨୪୮ ଦିନିକିଆରେ ୪୩ ଶତକ ସହ ୧୧୮୬୭ ରନ୍ କରିଛନ୍ତି।

You might also like