ମୁସ୍‌କିଲ୍‌ରେ ଟିମ୍‌ ଇଣ୍ଡିଆ; ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଲେ ମହମ୍ମଦ ଶାମୀ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ଭାରତକୁ ଆଉ ଏକ ଝଟ୍‌କା ଲାଗିଛି। କଚଟି(ରିଷ୍ଟ)ରେ ଆଘାତ ଲାଗିବାରୁ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମୀ। ପୂର୍ବରୁ ଭାରତ ଫେରିବା ପାଇଁ କ୍ୟାପ୍ଟେନ୍ କୋହଲି ପାଟର୍ନିଟି ଲିଭ୍‌ ନେଇଥିବା ବେଳେ ଏବେ ଆଉ ଜଣେ ଅଭି‌ଜ୍ଞ ଖେଳାଳିଙ୍କ ବାଦ୍ ପଡ଼ିବା ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏମିତିରେ ବି ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତିରେ ଗତକାଲି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତର ଲଜ୍ଜାଜନକ ଭାବେ ପରାଜୟ ପରେ ସାରା ବିଶ୍ୱରୁ ସମାଲୋଚିତ ହୋଇଛି ଟିମ୍‌ ଇଣ୍ଡିଆ। ଆଗକୁ ଆହୁରି ୩ଟି ମ୍ୟାଚ୍ ରହିଛି। ଏବେ ଶାମୀ ଓ କୋହଲି ବାଦ ପଡ଼ିବା ପରେ ଧୂଆଁଦାର ଅଷ୍ଟ୍ରେଲିଆକୁ କିପରି ରୋକିବ ଟିମ୍‌ ଇଣ୍ଡିଆ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି ଆଡିଲେଡ୍‌ ଟେଷ୍ଟର ତୃତୀୟ ଦିନରେ ବ୍ୟାଟିଂ କରୁଥିବା ବେଳେ ଆହତ ହୋଇଥିଲେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ। ପରେ ତାଙ୍କୁ ସ୍କାନିଂ ପାଇଁ ହସ୍‌ପିଟାଲ ନିଆଯାଇଥିଲା। ଆଜି ମ୍ୟାଚ୍‌ ଚାଲିଥିବା ବେଳେ ତାଙ୍କ କଚଟି(ରିଷ୍ଟ)ରେ ଏତେ ଜୋର୍‌ରେ ଆଘାତ ଲାଗିଥିଲା। ଯନ୍ତ୍ରଣାରେ ସେ ହାତ ଟେକି ପାରୁନଥିଲେ ବୋଲି ବିରାଟ ସୂଚନା ଦେଇଥିଲେ। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସଙ୍କ ଶର୍ଟ ବଲ୍‌କୁ ସାମ୍ନା କରୁଥିବା ବେଳେ ବଲ୍‌ଟି ସିଧା ଯାଇ ଶାମୀଙ୍କ କଚଟିରେ ବାଜିଥିଲା। ଅସହ୍ୟ ଯନ୍ତ୍ରଣା ହେବାରୁ ଚେକିଂ ପାଇଁ ପଡ଼ିଆ ଭିତରକୁ ହେଲ୍ଥ ମେଡିକାଲ ଷ୍ଟାଫ୍‌ଙ୍କୁ ଡକାଯାଇଥିଲା। କିଛି ସମୟ ଚିକିତ୍ସା ପରେ ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ ଶାମୀ। କିନ୍ତୁ ହାତର ଯନ୍ତ୍ରଣା ପାଇଁ ଶାମୀ ଶେଷରେ ସେ ରିଟାର୍ଡହଟ୍‌ ହେବାକୁ ନିଷ୍ପତ୍ତି ନେଇଥିଲେ ।  ଏବେ ତାଙ୍କ ସ୍କାନିଂ ରିପୋର୍ଟରେ ହାତରେ ଫ୍ରେକଚ୍‌ର ହୋଇଥିବା ଜଣାପଡ଼ିଛି। ତେଣୁ ତାଙ୍କୁ ଟେଷ୍ଟ ସିରିଜ୍‌ରୁ ବାଦ ଦିଆଯାଇଛି।

ଶାମୀଙ୍କ ଅନୁପସ୍ଥିତିରେ ଭାରତ ବର୍ତ୍ତମାନ ଜସପ୍ରୀତ ବୁମରାଙ୍କ ବୋଲିଂ ଉପରେ ନିର୍ଭର କରିବ। ଉମେଶ ଯାଦବ ମଧ୍ୟ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ। ମହମ୍ମଦ ସିରାଜ ଏବଂ ନବଦୀପ ସାଇନଙ୍କୁ ବି ମୁକାବିଲା କରାଇବ ଟିମ୍‌ ଇଣ୍ଡିଆ।

ସୂଚନା ଥାଉକି, ଗତକାଲି  ଆଡିଲେଡ୍‌ରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୮ୱିକେଟ୍‌ରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ର ତୃତୀୟ ଦିନରେ ୯ ରନ୍‌ରୁ ଖେଳ ଆରମ୍ଭ କରିଥିବା ଇଣ୍ଡିଆ  ମାତ୍ର ୨୭ ରନ୍ କରି ମୂଲ୍ୟବାନ ୮ୱିକେଟ୍‌ ହରାଇଥିଲା। ଆଉ ଅଷ୍ଟ୍ରେଲିଆକୁ ମିଳିଥିଲା ୯୦ ରନ୍‌ର ସହଜ ଟାର୍ଗେଟ୍। ଯାହାକୁ ଦୁଇ ୱିକେଟ୍ ହରାଇ ହାସଲ କରିନେଇଥିଲା ଦଳ। ଷ୍ଟିଭ୍‌ ସ୍ମିଥ୍ (୧) ଓ ଜୋ ବର୍ଣ୍ଣସ (୫୧) ରନ୍ କରି ନଟ୍‌ଆଉଟ୍ ରହିଥିଲେ। ଏହି ବିଜୟ ସହ ଅଷ୍ଟ୍ରେଲିଆ ୪ ମ୍ୟାଚ୍‌ ବିଶିଷ୍ଠ ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ‌

ତେବେ ଭାରତର ଲଜ୍ଜାଜନକ ପରାଜୟ ପରେ ଇଣ୍ଡିଆକୁ କଡ଼ା ସମାଲୋଚନା କରିବା ସହିତ ବ୍ୟାଙ୍ଗ କରିଥିଲେ ପାକିସ୍ତାନୀ କ୍ରିକେଟର ଶୋଏବ ଅଖତର। ବିଲେଇ ଦେଖି ପାରା ଭୟରେ ଆଖିବୁଜି ଦେଲା ଭଳି ଅବସ୍ଥା ଟିମ୍ ଇଣ୍ଡିଆର ହେଲ ବୋଲି ଶୋଏବ୍ କହିଥିଲେ।

ଦୁଇ ଦଳ ମଧ୍ୟରେ ପରବର୍ତ୍ତି ମ୍ୟାଚ୍ ଡିସେମ୍ବର ୨୬ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‌ ଏଥର ମେଲବର୍ଣ୍ଣରେ ଖେଳାଯିବ। ଯେଉଁଥିରେ କୋହଲି  ଓ ଶାମୀ ଖେଳିବେ ନାହିଁ।

You might also like