ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଏମିତି ରେକର୍ଡ ରଚିଲେ ମିତାଲି ରାଜ

ଲକ୍ଷ୍ନୌ:ଭେଟେରାନ ବ୍ୟାଟ୍ସମ୍ୟାନ ମିତାଲି ରାଜ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି।  ଏପରି ରେକର୍ଡ କରିବାରେ ସେ ଭାରତରେ ପ୍ରଥମ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟ  ମହିଳା କ୍ରିକେଟର।  ଶୁକ୍ରବାର ସେ ୧୦ ହଜାର ରନ୍ ପୂରଣ କରିଛନ୍ତି।

ଭାରତୀୟ ଏକଦିବସୀୟ ଅନ୍ତଜାତୀୟ ଟିମ୍‌ର ନେତୃତ୍ୱ ନେଉଥିବା ୩୮ ବର୍ଷୀୟ ମିତାଲିଙ୍କ ପୂର୍ବରୁ  ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଛନ୍ତି । ମିତାଲି ତାଙ୍କଠାରୁ ମାତ୍ର  ୨୯୯ ରନ୍‌ ପଛରେ ରହିଛନ୍ତି। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ଦିନିକିଆରେ ଭାରତ ପକ୍ଷରୁ ଖେଳି ୨୮ ତମ ଓଭରରେ ମିତାଲି ଏହି ସଫଳତା ହାସଲ କରିଛନ୍ତି। ସେତିକି ନୁହେଁ, ମିତାଲି ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ରନ ହାସଲକାରୀ ଖେଳାଳି।

ତେବେ ଏହି ମାଇଲଷ୍ଟୋନ ଛୁଇଁବା ପରେ ମିତାଲି ପରବର୍ତ୍ତୀ ବଲ୍‌ରେ ଆଉଟ ହୋଇଯାଇଥିଲେ। ସେ ୫୦ ବଲ୍‌ରେ ୩୬ ରନ୍‌ କରିଥିଲେ। ସେ ୫ଟି ଚୌକା ମାରି ଏହି ସ୍କୋର ଛୁଇଁ ପାରିଥିଲେ। ମିତାଲି ୧୦ଟି ଟେଷ୍ଟ ମ୍ୟାଚରେ ୬୬୩ ରନ୍‌ କରିଥିଲେ। ତାଙ୍କର ବେଷ୍ଟ ସ୍କୋର ଥିଲା ୨୧୪।

ମିତାଲିଙ୍କର ଏଇ ସଫଳତା ପରେ BCCI ଟୁଇଟ କରି ତାଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରିଛି। BCCI ଟୁଇଟ୍‌ରେ ଲେଖିଛି, ‘ବାଃ, ଚାମ୍ପିଅନ କ୍ରିକେଟର ! ପ୍ରଥମ ଭାରତୀୟ ମହିଳା ଯାହାର ବ୍ୟାଟିଂ ୧୦ ହଜାର ଛୁଇଁଛି। ତାଙ୍କୁ ସଲାମ୍‌।’

୧୯୯୭ ମହିଳା କ୍ରିକେଟ ବିଶ୍ୱକପ୍‌ର ସମ୍ଭାବ୍ୟ ଦଳରେ ମିତାଲି ରହିଥିଲେ। ଏହି ସମୟରେ ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ସେ ଫାଇନାଲ ସ୍କ୍ୱାଡରେ ସ୍ଥାନ ପାଇ ନଥିଲେ। ୧୯୯୯ ମସିହାରେ ସେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ୨୦୦୧-୦୨ ସେସନରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ।

You might also like